ବୃଦ୍ଧା ମା’ଙ୍କ ଉପରେ ଇଟା ଲଦିଦେଲେ ପୁଅବୋହୂ

ଯାଜପୁର ଅଫିସ,୪ା୪: ଯାଜପୁର ଜିଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଦତ୍ତପୁର ଗ୍ରାମରେ ସମ୍ପତ୍ତି ଲୋଭରେ ବୃଦ୍ଧା ମା’ଙ୍କୁ ଇଟାରେ ପୋତି ଦେଇଥିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ତେବେ ଏହି ଘଟଣାକୁ ଦେଖି ପଡ଼ୋଶୀ ଲୋକେ ବୃଦ୍ଧାଙ୍କୁ ଉଦ୍ଧାର କରିଛନ୍ତି। ଏନେଇ ମଙ୍ଗଳପୁର ଥାନାରେ ଏକ ମାମଲା ୨୧୫/୨୦୨୨ ନମ୍ବରରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଚଳାଇଥବା ଜଣାପଡ଼ିଛି। ଅଭିଯୋଗ ଅନୁସାରେ ବିଧବା ବୃଦ୍ଧା ମଖି ବେହେରାଙ୍କ ୪ ପୁଅ ଅଛନ୍ତି। ମଖିଙ୍କୁ ଖାଇବାକୁ ଦେବା ପାଇଁ ୪ ପୁଅ ମଧ୍ୟରେ ଝଗଡ଼ା ଲାଗି ରହିଥିଲା। ଏପରିକି ପୈତୃକ ଘରଡିହରେ ଘର ନିର୍ମାଣ କରିବାକୁ ବିବାଦ ରହିଥିଲା। ଶନିବାର ରାତିରେ ମଝିଆ ପୁଅ ରଘୁନାଥ ଓ ବୋହୁ ମଧୁସ୍ମିତା ସେହି ଜମିରେ ଘର ନିର୍ମାଣ କରିବାକୁ ଉଦ୍ୟମ କରିଥିଲେ। ତେବେ ବୃଦ୍ଧା ମା’ ମଖି ଏହାକୁ ବିରୋଧ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଘର ନିର୍ମାଣ ପାଇଁ ଥିବା ଇଟାରେ ପୁଅବୋହୂ ମଖିଙ୍କୁ ପୋତି ଦେଇଥିବା ଭିଡିଓ ଭାଇରାଲ ହୋଇଥିଲା।