ପଞ୍ଚକ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ପୁରୀ ଅଫିସ, ୧୫ା୧୧: କାର୍ତ୍ତିକ ମାସ ଶୁକ୍ଳପକ୍ଷ ବଡ଼ ଏକାଦଶୀ ସୋମବାରଠାରୁ ପଞ୍ଚକ ଆରମ୍ଭ ହେଉଛି। ପଞ୍ଚକ ୫ ଦିନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଭିନ୍ନ ବେଶ ଅନୁଷ୍ଠିତ ହେବ। ଏହି ବେଶ ଦର୍ଶନ ସହ ପଞ୍ଚକ ବ୍ରତ କରିବା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା କଡ଼ାକଡ଼ି ସହ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବଡ଼ ଏକାଦଶୀରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଓ କାର୍ତ୍ତିକ ପୂର୍ଣ୍ଣିମାରେ ରାଜରାଜେଶ୍ୱର (ସୁନାବେଶ) ଦର୍ଶନ ଲାଗି ଲକ୍ଷାଧିକ ଭକ୍ତ ଶ୍ରୀମନ୍ଦିରକୁ ଆସିଥାନ୍ତି। ତେବେ ଚଳିତ ବର୍ଷ କୋଭିଡ୍‌ କଟକଣାକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ବଡ଼ ଏକାଦଶୀ ଓ ପୂର୍ଣ୍ଣିମା ଦିନ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ଉପରେ କଟକଣା ଲଗାଯାଇଛି। ମାତ୍ର ଅନ୍ୟ ଦିନଗୁଡ଼ିିକରେ ଶ୍ରଦ୍ଧାଳୁମାନେ ପ୍ରଶାସନର କଟକଣା ମାନି ଦାରୁଦିଅଁଙ୍କ ଦର୍ଶନ କରିପାରିବେ। ଏସ୍‌ପି କନଓ୍ବର ବିଶାଲ ସିଂ କହିଛନ୍ତି, ପୋଲିସ ପ୍ରଶାସନ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୩ ଅତିରିକ୍ତ ଏସ୍‌ପି, ୮ ଡିଏସ୍‌ପି, ୨୯ ଇନ୍ସପେକ୍ଟର, ୧୦୨ ଏସ୍‌ଆଇ ଏବଂ ଏଏସ୍‌ଆଇ, ହାବିଲଦାର କନଷ୍ଟେବଳ ଓ ହୋମ୍‌ଗାର୍ଡଙ୍କ ସମେତ ୨୦ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। ସେହିଭଳି ଟ୍ରାଫିକ ବ୍ୟବସ୍ଥାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ସମୁଦ୍ରକୂଳ, କୋଣାର୍କ, ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ଲାଇଫଗାର୍ଡ ଓ ପର୍ଯ୍ୟାପ୍ତ ପୋଲିସ ମୁତୟନ ରହିବେ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବଡଦାଣ୍ଡ ମରିଚିକୋଟ ଛକଠାରୁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। ବ୍ୟାରିକେଡ୍‌ ଦେଇ ଭକ୍ତମାନେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ। ସେହିପରି ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ। ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ସହରର ୪ଟି ସ୍ଥାନରେ ପାର୍କିଂ ସ୍ଥାନ କରାଯାଇଛି।