କଟକ ସଦର, ୧୫।୧୧ (ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ଅନ୍ତର୍ଗତ ପରମହଂସଠାରେ ଶନିବାର ୨୯୨ ଜଣ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ପ୍ରଦାନ କରାଯାଇଛି। ଏହି ଅବସରରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଉପସ୍ଥିତ ରହି ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଡିଓ ପ୍ରତୀକ ସାହୁ ଓ ଅତିରିକ୍ତ ବିଡିଓ ଗିରିଜା ପ୍ରସାଦ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।
ତେବେ ଏହି ଭତ୍ତା ବଣ୍ଟନ ସମାରୋହରେ ୩ ଜଣ ସରପଞ୍ଚ ମଞ୍ଚରେ ଅନୁପସ୍ଥିତ ରହିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ବ୍ଲକ ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତଙ୍କୁ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରାଯାଇ ନ ଥିବାରୁ ଏହାର ପ୍ରତିବାଦରେ ପରମହଂସ, ଗତି ରାଉତପାଟଣା ଓ ନିମେଇସାପୁର ପଞ୍ଚାୟତର ସରପଞ୍ଚମାନେ ମଞ୍ଚକୁ ଆସି ନ ଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ବିଡିଓ ପ୍ରତୀକ ସାହୁ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ବ୍ଲକ ଅଧ୍ୟକ୍ଷାଙ୍କୁ କାର୍ଯ୍ୟକ୍ରମ ସମ୍ପର୍କରେ ଚିଠି ମାଧ୍ୟମରେ ନିମନ୍ତ୍ରଣ କରାଯାଇଥିଲା ବୋଲି ସେ କହିଛନ୍ତି। ମାତ୍ର ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଡିଓଙ୍କ ଏହି ଦାବିକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କୁହାଯାଇଛି। ଏହାକୁ ନେଇ ବ୍ଲକ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।
ଏହି କାର୍ଯ୍ୟକ୍ରମରେ ହୃଷୀକେଶ ଜେନା, ଜିଲା ଭାଜପା ଉପସଭାପତି ସୁରେଶ ଚନ୍ଦ୍ର ଜେନା, ମଣ୍ଡଳ ସଭାପତି ନିରଞ୍ଜନ ରାଉଳ, ରାଧାମୋହନ ମହଲା, ଶ୍ରୀକାନ୍ତ ଦାଶ, ଦୀନବନ୍ଧୁ ବେଉରା ଓ ଦୀପକ ବେହେରା ପ୍ରମୁଖ ସହଯୋଗ କରିଥିଲେ।