ଜାହାଜରୁ ଖସିପଡ଼ିଲେ ୩ ନାବିକ

ପାରାଦୀପ,୨୩ା୧୦(ସ୍ବ.ପ୍ର.):ପାରାଦୀପ ବନ୍ଦର ନିକଟସ୍ଥ ଆଙ୍କରେଜ ଅଞ୍ଚଳ ସମୁଦ୍ରରେ ଗୁରୁବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ମାଲ୍ଟା ଫ୍ଲାଗ୍‌ ବହନକାରୀ ଲୁହାପଥର ପରିବହନ କରିବାକୁ ବାଂଲାଦେଶରୁ ଆସିଥିବା ଓସନ ସେଞ୍ଚୁରୀ ନାମକ ଜାହାଜର ସେଫ୍ଟି ବୋଟ୍‌ରୁ ୩ଜଣ ଯନ୍ତ୍ରୀ(ନାବିକ)ଖସିପଡ଼ି ସମୁଦ୍ରରେ ଭାସି ଯାଇଥିଲେ। ସେମାନଙ୍କୁ ପାରାଦୀପ ବନ୍ଦର ମେରାଇନ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଉକ୍ତ ଜାହାଜ ପାରାଦୀପର ଆଙ୍କରେଜ୍‌ରେ ଅପେକ୍ଷା କରିଥିଲା। ସମ୍ପୃକ୍ତ ୩ ନାବିକ ଜାହାଜର ସେଫ୍ଟି ବୋଟ୍‌ରେ ବସି କାମ କରୁଥିଲେ। ବର୍ଷାଯୋଗୁ କୌଣସି କାରଣ ବଶତଃ ସେହି ସେଫ୍ଟିବୋଟଟି ଜାହାଜରୁ ପାଣିକୁ ଖସିପଡ଼ି ବୁଡ଼ି ଯାଇଥିଲା। ସମୁଦ୍ର ଅଶାନ୍ତ ଥିବାରୁ ସମ୍ପୃକ୍ତ ନାବିକମାନେ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ଜଣ ସେକେଣ୍ଡ୍‌ ଓ ଥାର୍ଡ ଇଞ୍ଜିନିୟର ଏବଂ ଅନ୍ୟ ଜଣେ ଇଲେକ୍ଟ୍ରିକାଲ ଇଞ୍ଜିନିୟର। ଏସମ୍ପର୍କରେ ଜାହାଜର କ୍ୟାପଟେନ ତୁରନ୍ତ ପୋର୍ଟ ମେରାଇନ ବିଭାଗକୁ ଖବର ଦେଇଥିଲେ। ସୂଚନା ପାଇବା ମାତ୍ରେ ବନ୍ଦର ହାର୍ବର ମାଷ୍ଟର ଅଲେଖ ଚନ୍ଦ୍ର ସାହୁଙ୍କ ଉଦ୍ୟମରେ ପାଟ୍ରୋଲିଂ କ୍ରାଫ୍ଟ ଓ ଟଗ୍‌ ବୋଟ୍‌କୁ ପଠାଯାଇ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ବୁଡିଯାଇଥିବା ସେଫ୍ଟି ବୋଟ୍‌କୁ ଉଦ୍ଧାର କରି ବନ୍ଦର ମଧ୍ୟକୁ ଅଣାଯିବା ପାଇଁ ଉଦ୍ୟମ ଜାରି ରହିଛି। ପ୍ରକାଶଯେ, ୨୦୦୯ ସେପ୍ଟେମ୍ବର ୯ରେ ବୁଡିଥିବା ବ୍ଲାକରୋଜ ଜାହାଜରୁ ୨୬ ଜଣଙ୍କୁ ମେରାଇନ ବିଭାଗ ଉଦ୍ଧାର କରିଥିଲା।