୩ ଜଣଙ୍କ ଲାଏ ଡିଟେକ୍ସନ ଟେଷ୍ଟ ହୋଇପାରେ

ଭୁବନେଶ୍ୱର,୫ା୮(ବ୍ୟୁରୋ): ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାକୁ ମାସେ ବିତିବାକୁ ବସିଲାଣି। କିନ୍ତୁ କ୍ରାଇମ୍‌ବ୍ରାଞ୍ଚ ହାତରେ ସେଭଳି କିଛି ବଳିଷ୍ଠ ସୁରାକ ଲାଗିନାହିଁ। କେବଳ ଜିଆରପିର ତଦନ୍ତ ରିପୋର୍ଟ ଓ ସମସ୍ତ ବୟାନକୁ ନେଇ ଅନ୍ଧାରରେ ବାଡ଼ି ବୁଲାଉଛି କ୍ରାଇମ୍‌ବ୍ରାଞ୍ଚ ସ୍ପେଶାଲ ଟିମ୍‌। ତେବେ ଅଧିକ ତଦନ୍ତ କ୍ରମରେ ବିଦ୍ୟାଶ୍ରୀ, ବିକାଶ, ପପୁଙ୍କ ଲାଏ ଡିଟେକ୍ସନ କରିପାରେ କ୍ରାଇମବ୍ରାଞ୍ଚ।
ଆଦିତ୍ୟଙ୍କ ମୃତ୍ୟୁ ପୂର୍ବରୁ ଅର୍ଥାତ ୬ ତାରିଖ ରାତି ୭ଟା ୪୫ରେ ସେ କରିଥିବା ଶେଷ ପୋଷ୍ଟକୁ ନେଇ କ୍ରାଇମ୍‌ବ୍ରାଞ୍ଚ ଖୋଳତାଡ଼ କରୁଛି। ଆଦିତ୍ୟ ନିଜେ ଏହି ପୋଷ୍ଟ କରିଥିଲେ ନା ତାଙ୍କୁ ହତ୍ୟା କରାଯିବା ପରେ ଆତ୍ମହତ୍ୟା ରୂପ ଦେବାକୁ ଏଭଳି ପୋଷ୍ଟ କରାଯାଇଛି, ସେ ସମ୍ପର୍କିତ ବିସ୍ତୃତ ତଥ୍ୟ ଜାଣିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ଫେସ୍‌ବୁକ୍‌ ମୁଖ୍ୟାଳୟକୁ ଚିଠି ଲେଖିଛି। ଏହାସହ ଆଦିତ୍ୟଙ୍କ ୬ ମାସର ସିଡିଆର ରିପୋର୍ଟର ତନାଘନା ଚାଲିଛି। ସେ ନିୟମିତ କାହାସହ କଥା ହେଉଥିଲେ, ସେମାନଙ୍କ ସହ ଆଦିତ୍ୟଙ୍କ ସମ୍ପର୍କ, ପୂର୍ବରୁ ଆଦିତ୍ୟଙ୍କୁ ଧମକପୂର୍ଣ୍ଣ ଫୋନ୍‌ କିମ୍ବା ମେସେଜ ଆସିଛି କି, ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜିବାରେ ଲାଗିଛି ତଦନ୍ତକାରୀ ଟିମ୍‌। ଅନ୍ୟପକ୍ଷରେ ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ କ୍ରାଇମ୍‌ବ୍ରାଞ୍ଚ ଜେରା ବେଳେ ତାଙ୍କ ଭିତରେ ସେଭଳି ପାରିବାରିକ କଳହ ନ ଥିବା କହିଥିଲେ। ଏହାସହ ବିଦ୍ୟାଶ୍ରୀ ସ୍ବାମୀଙ୍କ ମୃତ୍ୟୁ ପାଇଁ ବିକାଶ, ପପୁଙ୍କ ଉପରେ ଦୋଷ ଲଦୁଛନ୍ତି। ସେପଟେ ବିକାଶ, ପପୁ ଆଦିତ୍ୟଙ୍କ ମୃତ୍ୟୁ ପାଇଁ ପାରିବାରିକ କଳହକୁ କାରଣ ବୋଲି କହୁଛନ୍ତି। ଏଭଳି ଦୋଷ ଲଦାଲଦି ଭିତରେ କିଏ ସତ କହୁଛି ତାହା ଜାଣିବା ପାଇଁ ବିଦ୍ୟାଶ୍ରୀ, ବିକାଶ ଓ ପପୁଙ୍କ ଲାଏ ଡିଟେକସନ୍‌ ଟେଷ୍ଟ ହୋଇପାରେ। କ୍ରାଇମ୍‌ବ୍ରାଞ୍ଚ ଏଭଳି ଯୋଜନାରେ ଥିବା ପରୋକ୍ଷରେ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଜବତ ଡାଏରୀର ଲେଖା ଆଦିତ୍ୟ ଲେଖିଥିବା ଷ୍ଟେଟ ହ୍ୟାଣ୍ଡରାଇଟିଂ ବ୍ୟୁରୋ ରିପୋର୍ଟ ଦେଇଥିଲେ ମଧ୍ୟ ଏହାକୁ ପରିବାର ଲୋକ ବିଶ୍ୱାସ କରୁନାହାନ୍ତି। ଆଦିତ୍ୟଙ୍କୁ ହତ୍ୟା କରାଯିବା ପୂର୍ବରୁ ତାଙ୍କୁ ଧମକାଇ ଏହା ଲେଖାଯାଇଥିବା ପରିବାର ଲୋକେ କହୁଛନ୍ତି। ତେଣୁ ବିଦ୍ୟାଶ୍ରୀ, ବିକାଶ ଓ ପପୁଙ୍କ ହ୍ୟାଣ୍ଡରାଇଟିଂ ମଧ୍ୟ ଯାଞ୍ଚ କରାଯିବ।