କୋଟିଆ ଭୋଟରଙ୍କୁ ଜଗିବେ ୩ ଦଳ

କୋରାପୁଟ,୧।୧୧(ଅମିତାଭ ବେହେରା): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆକୁ ନେଇ ପୁଣି ରାଜନୈତିକ ତତ୍ପରତା ଦେଖିବାକୁ ମିଳିଛି। କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ର ପକ୍ଷରୁ ହେବାକୁ ଥିବା ନିର୍ବାଚନକୁ ନେଇ କୋରାପୁଟ ସର୍କିଟ ହାଉସରେ ଶନିବାର ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ମନ୍ତ୍ରୀ ତଥା କୋଟିଆ ପଞ୍ଚାୟତର ବାସିନ୍ଦା ଜୟରାମ ପାଙ୍ଗୀଙ୍କ ଅଧ୍ୟକ୍ଷତାରେ କୋରାପୁଟ ବିଧାୟକ ରଘୁରାମ ମାଛ ଉପସ୍ଥିତ ଥିଲେ। ଆନ୍ଧ୍ର ନିର୍ବାଚନକୁ ନେଇ ଏକ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି। ବୈଠକରେ ଆନ୍ଧ୍ର ନିର୍ବାଚନରେ ଓଡ଼ିଶାର କୌଣସି ଭୋଟର ମତଦାନ ନ କରିବା ପ୍ରତି ୩ ପ୍ରମୁଖ ରାଜନୈତିକ ଦଳର ନେତା ଓ କର୍ମୀ ନଜର ରଖିବେ। ଏଥିପାଇଁ ନଭେମ୍ବର ୪ ରାତିରୁ ବିଭିନ୍ନ ଦଳର ସଭାପତି, ବିଧାୟକ ଓ ବହୁ କର୍ମୀ କୋଟିଆରେ ରାତ୍ରିଯାପନ କରିବେ। ନିର୍ବାଚନ ଦିନ ଭୋଟରଙ୍କୁ ସଚେତନକରି ଓଡ଼ିଶାର ଭୋଟରଙ୍କ ଉପରେ ନଜର ରଖିବେ। ଫାଟୁସେନେରୀ ଗ୍ରାମରେ କଂଗ୍ରେସ କର୍ମୀ, ଉପରସେମ୍ବିରେ ଭାଜପା କର୍ମୀ ଓ ନେରେଡିବାଲସାରେ ବିଜେଡି କର୍ମୀ ମୁତୟନ ରହିବେ। ଏଥିସହ ନିର୍ବାଚନ ଦିନ ସମସ୍ତ ଦଳର ସଭାପତି ଓ ବିଧାୟକଙ୍କ ସହ ପୂର୍ବତନ ମନ୍ତ୍ରୀ ପାଙ୍ଗୀ ବିଭିନ୍ନ ଗ୍ରାମ ପରିଦର୍ଶନ କରିବେ। ଆପୋସ ସମନ୍ବୟ ରକ୍ଷାକରି ଲୋକଙ୍କୁ ଆନ୍ଧ୍ର ନିର୍ବାଚନରେ ଭୋଟ ନ ଦେବାକୁ ସଚେତନ କରାଇବେ। ବୈଠକରେ କୋଟିଆ ମାଟି ଓଡ଼ିଶାର ଥିଲା, ଓଡ଼ିଶାର ଅଛି ଓ ଆଗକୁ ଓଡ଼ିଶାର ହୋଇ ରହିବ ବୋଲି ବିଧାୟକ ମାଛ କହିଛନ୍ତି। ଆନ୍ଧ୍ର ନିର୍ବାଚନ କୋଟିଆରେ କରାଇ ଦିଆଯିବ ନାହିଁ ବୋଲି ସେ ପ୍ରକାଶ କରଛନ୍ତି। କୋଟିଆର ସୁରକ୍ଷା ପାଇଁ ଅଧିକାରୀ ଓ କର୍ମଚାରୀ, ଗଣମାଧ୍ୟମ, ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀ ଏକଜୁଟ ହେବାକୁ ସେ ଆହ୍ବାନ ଦେଇଥିଲେ। ଆସନ୍ତା ନଭେମ୍ବର ୫ରେ କୋଟିଆରେ ଗୋଟିଏ ହେଲେ ଭୋଟ ପଡ଼ିବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି। ବୈଠକରେ କୋରାପୁଟ ଜିଲା ଭାଜପା ସଭାପତି ଶିବ ମୁଦୁଲି, ବିଭିନ୍ନ ଦଳର ନେତା ଓ କର୍ମୀ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share