କୃଷ୍ଣପ୍ରସାଦ,୯।୯(କୈଳାଶ ଚନ୍ଦ୍ର ପଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ବ୍ରାହ୍ମଣଦେଓ ଗ୍ରାମର ଚନ୍ଦନ କୁମାର ବିଶ୍ୱାଳ(୧୯) ତିନି ମାସ ହେଲା କେଉଁ ଆଡେ ନିଖୋଜ ହୋଇଯାଇଥିବା ବେଳେ ତାଙ୍କର କୋଣସି ପତ୍ତା ମିଳିପାରୁ ନାହିଁ। ଏନେଇ ପରିବାର ଲୋକେ ହତାଶ ହୋଇ ପଡିଛନ୍ତି।
କୃଷ୍ଣପ୍ରସାଦ ପୋଲିସ ସୂଚନା ମୁତାବକ, ଚନ୍ଦନ ଚଳିତ ବର୍ଷ +2 ପରୀକ୍ଷା ଦେଇ ଫେଲ ହୋଇଯାଇଥିଲେ। ଏନେଇ ପରିବାର ଲୋକେ ପୁଅଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ। ଏଭଳିସ୍ଥିତିରେ ଚନ୍ଦନ ୨୦୨୫ ମେ ୨୧ ତାରିଖ ରାତିରେ କେଉଁଆଡେ ଚାଲିଯାଇଛନ୍ତି। ପରିବାର ଲୋକେ ଗାଁ ଗଣ୍ଡା, ବନ୍ଧୁ ବାନ୍ଧବଙ୍କ ଘର ସହ ଚାରିଆଡେ ଖୋଜି ଖୋଜି କରିଥିବା ବେଳେ ତାଙ୍କର କୌଣସି ସନ୍ଧାନ ପାଇ ନ ଥିଲେ।
ଏନେଇ ପରବାର ଲୋକେ କୃଷ୍ଣପ୍ରସାଦ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ୍ ମାମଲା(ନଂ.୧୧୩/୨୫) ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ନିଖୋଜ ଯୁବକଙ୍କ ଫଟୋ ପୋଷ୍ଟର ମରାଯାଇଛି। ଏପରିକି କୃଷ୍ଣପ୍ରସାଦ ପୋଲିସ ଓଡିଶାର ବିଭିନ୍ନ ଥାନାକୁ ଘଟଣା ସଂକ୍ରାନ୍ତରେ ଅବଗତ କରାଇଛି। ପୋଲିସ ଉପଖଣ୍ଡ ଅଧିକାରୀ ଭାବଗ୍ରାହୀ ରାଉତ କହିଛନ୍ତି ଯେ, ପୋଲିସ ରାଜ୍ୟ ବାହାରେ ମଧ୍ୟ ଯୁବକଙ୍କୁ ଖୋଜିବା ନେଇ ଉଦ୍ୟମ ଆରମ୍ଭ କରିଛି। ନିଶ୍ଚିତ ଯୁବକଙ୍କୁ ଉଦ୍ଧାର କରାଯିବ।


