ଦିଗପହଣ୍ଡି,୧୯ା୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ଦଳିତ ସାହିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ରବିବାର ସନ୍ଧ୍ୟାରେ ରୋଷେଇ ଗ୍ଯାସ ସିଲିଣ୍ଡର ଲିକ୍ ହୋଇ ବିସ୍ଫୋରଣ ହେବାପରେ ଅଗ୍ନିକାଣ୍ଡ ଘଟିଛି । ହେଲେ ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଜାଗିଲି ନାଇକଙ୍କ ପରିବାର ଲୋକେ ।
ଅଗ୍ନିକାଣ୍ଡରେ ସୁଗ୍ରୀବ ନାଇକ, ସୁଶୀଳା ନାଇକ ପ୍ରମୁଖ ୩ ପରିବାରର ଚାଳ ଛପର ଘର ଜଳି ଯାଇଛି । ଜାଗିଲିଙ୍କ ଘରେ ତାଙ୍କ ସ୍ତ୍ରୀ ରୋଷେଇ କରୁଥିବା ବେଳେ ଗ୍ଯାସ ସିଲିଣ୍ଡର ପାଇପ ଫାଟି ଗ୍ୟାସ ଲିକ୍ ହେଉଥିଲା। ହେଲେ ସେ ଜାଣିନପାରି ଲାଇଟର ଜଳାଇବା ମାତ୍ରେ ହଠାତ୍ ପୁରା ଘରକୁ ନିଆଁ ବ୍ୟାପି ଯାଇଥିଲା। ପରେ ସିଲିଣ୍ଡରଟି ବିସ୍ଫୋରଣ ଘଟିଥିଲା। ଏହାସହ ପଡୋଶୀ ଦୁଇଘରକୁ ନିଆଁ ବ୍ୟାପୀ ଯାଇଥିଲା। ଖବରପାଇ ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ଅଗ୍ନିକାଣ୍ଡରେ ଜାଗିଲିଙ୍କ ସମେତ ୩ ପରିବାରର ସମସ୍ତ ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନି ବିପନ୍ନ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।