ବିଧାନସଭା ସମ୍ମୁଖରେ ୩ ଚାଷୀଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର,୨୭।୧୧(ବ୍ୟୁରୋ)-କଡ଼ା ସୁରକ୍ଷା ବଳୟ ଭେଦ କରି ବିଧାନସଭା ଆଗରେ ପୁଣି ଆତ୍ମାହୁତି ଉଦ୍ୟମ। ଗତ ମଙ୍ଗଳବାର ନୟାଗଡ଼ ପରୀ ହତ୍ୟା ମାମଲାରେ ତାଙ୍କ ବାପା ଓ ମା’ ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରିଥିବାବେଳେ ଶୁକ୍ରବାର ଆଉଏକ ଘଟଣା ଘଟିଛି। ଅଧିବେଶନ ଚାଲିଥିବା ସମୟରେ ୩ଜଣ ଚାଷୀ ବିଧାନସଭା ମୁଖ୍ୟ ଗେଟ୍‌ ନିକଟରେ ପହଞ୍ଚତ୍ ଋଣ ଜାଲିଆତିର ନ୍ୟାୟ ଦାବି କରିଥିଲେ। ସମବାୟ ବ୍ୟାଙ୍କରୁ ଋଣ ନେଇ ନ ଥିଲେ ମଧ୍ୟ ସେମାନଙ୍କ ଖାତାରୁ ଲକ୍ଷାଧିକ ଟଙ୍କାର ଋଣ ଉଠା ଯାଇଛି। ଏନେଇ ଦପ୍ତରରୁ ଦପ୍ତର ବୁଲି ଚପଲ ଛିଡି ଗଲାଣି, ହେଲେ ପ୍ରଶାସନ ପକ୍ଷରୁ କୌଣସି ସମାଧାନ କରାଯାଉନାହିଁ। ଆମେ ଗରିବ ଲୋକ, କେମିତି ୩ ରୁ ୪ଲକ୍ଷ ଟଙ୍କା ଶୁଝିବୁ। ଆପଣଙ୍କ ଗୋଡ଼ ଧରୁଛୁ ଆମକୁ ମରିବାକୁ ଦିଅ। କାନ୍ଦି କାନ୍ଦି ଏମିତି କହୁଥିବା ସମୟରେ ସେମାନେ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ତେବେ ସେଠାରେ ଉପସ୍ଥିତ ଥିବା ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ସେମାନଙ୍କୁ କାବୁ କରିଥିଲେ।