୩ ଦିନ ପରେ ଧରାପଡ଼ିଲା କୁମ୍ଭୀର

ବାଲିଅନ୍ତା/ବାରଙ୍ଗ,୫ା୩(ଡି.ଏନ୍‌.ଏ.): ରାଜଧାନୀ ଉପକଣ୍ଠ ପାହାଳ ଥାନା ଅଧୀନ ନହରକଣ୍ଟା ନିକଟ ପୁରୀ ମୁଖ୍ୟ କେନାଲରୁ ୩ଦିନ ପରେ ଅର୍ଥାତ୍‌ ଶୁକ୍ରବାର ବନ ବିଭାଗ ଓ ନନ୍ଦନକାନନ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଏକ ଘଡ଼ିଆଳ କୁମ୍ଭୀରକୁ ଉଦ୍ଧାର କରାଯାଇଛି। ଏହାର ଲମ୍ବ ପ୍ରାୟ ୧୨ଫୁଟ। କୁମ୍ଭୀରକୁ ଏକ ଅଟୋରେ ନନ୍ଦନକାନନକୁ ନିଆଯାଇ ସ୍ବତନ୍ତ୍ର ଘଡ଼ଇଳ କୁମ୍ଭୀର ଟାଙ୍କିରେ ଛଡ଼ାଯାଇଛି। ୭ଦିନ ନନ୍ଦନକାନନ ବନ୍ୟପ୍ରାଣୀ ଚିକିତ୍ସକଙ୍କ ନଜରରେ ରହିବା ପରେ ମହାନଦୀରେ ଛଡ଼ାଯିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି।
ମୁତାବକ, ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମହାନଦୀରେ ୪ଟି କୁମ୍ଭୀର ଛଡ଼ାଯାଇଥିଲା। ଏମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଟ୍ରାନ୍ସମିଟର ଚିପ୍‌ ଖଞ୍ଜାଯାଇଥିଲା। ତେବେ ସେଥିରୁ ଏକ କୁମ୍ଭୀର ବାଟବଣା ହୋଇ ମୁଣ୍ଡଳୀ ଦେଇ ପୁରୀ ମୁଖ୍ୟ କେନାଲକୁ ପଶି ଆସିଥିଲା। ଗତ ୩ଦିନ ହେବ ଉକ୍ତ କେନାଲରେ ବିଚରଣ କରୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ବାରଙ୍ଗ, ନୂଆପାଟଣା ଆଦି ଗ୍ରାମ ନିକଟ କେନାଲରେ କୁମ୍ଭୀର ଥିବା ନେଇ ଲୋକେ ବନ ବିଭାଗକୁ ଜଣାଇଥିଲେ। କୁମ୍ଭୀରକୁ ଧରିବା ପାଇଁ ବନ ବିଭାଗ ଦୁଇଥର ଉଦ୍ୟମ କରି ବିଫଳ ହୋଇଥିଲା। ତେବେ ଶୁକ୍ରବାର ସକାଳ ୬ଟାରେ ନହରକଣ୍ଟା ଗ୍ରାମ ନିକଟରେ କୁମ୍ଭୀର କୂଳରେ ଥିବା ଲୋକେ ଦେଖିବାକୁ ପାଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ କୁମ୍ଭୀରକୁ ଦେଖିବା ପାଇଁ କେନାଲର ଉଭୟ ପାର୍ଶ୍ୱରେ ଶତାଧିକ ଲୋକ ଜମା ହୋଇଯାଇଥିଲେ। କେନାଲରେ କମ୍‌ ପାଣି ଥିବାରୁ କୁମ୍ଭୀର କେଉଁଆଡ଼େ ଯାଇ ନ ପାରି କୂଳରେ ବୁଲିବା ଯୋଗୁ ଲୋକେ ଭୟଭୀତ ହୋଇପଡ଼ିଥିଲେ। ସ୍ଥାନୀୟ ସାମାଜିକ କର୍ମୀ ସ୍ବାକ୍ଷର ରଞ୍ଜନ ମହାନ୍ତି, ଦୀପକ କୁମାର ସାମନ୍ତରାୟ ପ୍ରମୁଖ ସିଟି ଫରେଷ୍ଟ ବିଭାଗକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ସିଟି ଡିଭିଜନର ଡିଏଫ୍‌ଓଙ୍କ ନିର୍ଦ୍ଦେଶକ୍ରମେ ଏସିଏଫ୍‌ ବିଜୟ କୁମାର ପରିଡ଼ା ଓ ଅନନ୍ତ କୁମାର ପ୍ରଧାନଙ୍କ ନେତୃତ୍ୱରେ ୧୨ଜଣିଆ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ନନ୍ଦନକାନନରୁ ଜାଲ ନେଇ ଆସିଥିବା କର୍ମଚାରୀ କେନାଲରେ ପଶି ଜାଲ ବିଛାଇ ଥିଲେ। ପ୍ରାୟ ୧ଘଣ୍ଟାର ପରିଶ୍ରମ ପରେ କୁମ୍ଭୀରଟିକୁ ପାଣିରୁ ଉଦ୍ଧାର କରାଯାଇଥିଲା। ଏଥିରେ ବାଲିପାଟଣା ଫରେଷ୍ଟ ରେଞ୍ଜ କର୍ମଚାରୀ ଓ ନହରକଣ୍ଟାର କେତେଜଣ ଯୁବକ ସହଯୋଗ କରିଥିଲେ। କୁମ୍ଭୀରଟିକୁ ଦେଖିବା ପାଇଁ ୧୬ନଂ. ଜାତୀୟ ରାଜପଥର କେନାଲ ବ୍ରିଜ୍‌ ଲୋକାରଣ୍ୟ ହୋଇପଡ଼ିଥିଲା। ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା।