ଟଙ୍କା ନ ନେବାରୁ ଭୋଟରଙ୍କୁ ଧମକ: ରାଶନ୍‌ କାର୍ଡ଼, ଭତ୍ତା କାର୍ଡ଼ କାଟିଦେବୁ

ଯାଜପୁର ଅଫିସ,୧୦ା୨: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଟଙ୍କା ବାଣ୍ଟିବା ଘଟଣାକୁ ଭୋଟର ନାପସନ୍ଦ କରିଛନ୍ତି। ଏନେଇ ମାମଲା ଥାନା ପର୍ଯ୍ୟନ୍ତ ଯାଇଛି। ଯାଜପୁର ଜିଲା ଧର୍ମଶାଳା ବ୍ଲକ ବ୍ରହ୍ମବରଦା ଫାଣ୍ଡି ଅଧୀନ କୋଠଢ଼ିହ ଦଳିତ ସାହିରେ ଭୋଟରଙ୍କ ମଧ୍ୟରେ ଏଭଳି ସଚେତନତା ଦେଖିବାକୁ ମିଳିଛି। ତେବେ ଟଙ୍କା ନ ନେବାରୁ ସରପଞ୍ଚ ପ୍ରାର୍ଥୀଙ୍କ ସମ୍ପର୍କୀୟ ସେମାନଙ୍କ ରାଶନ୍‌ କାର୍ଡ଼, ଭତ୍ତା କାର୍ଡ଼ କାଟିଦେବୁ ବୋଲି ଚେତାବନୀ ଦେବା ସହ ଜାତିଆଣା ଆକ୍ଷେପ କରି ଗାଳିଗୁଲଜ କରିଥିବା ଥାନାରେ ଅଭିଯୋଗ ହୋଇଛି। ଅନ୍ୟପକ୍ଷେ କେତେଜଣ ଦଳିତଙ୍କ ନାମରେ ମଧ୍ୟ ସରପଞ୍ଚ ପ୍ରାର୍ଥୀଙ୍କ ସମ୍ପର୍କୀୟ ଓଲଟା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଅନୁଯାୟୀ, ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ୧୫ ନମ୍ବର ଜୋନ୍‌ରେ ଜିଲା ପରିଷଦ ପ୍ରାର୍ଥୀ ଭାଗ୍ୟଧର ସେଠୀଙ୍କ ପାଇଁ ପ୍ରଚାର ନିମନ୍ତେ କୋଠଢ଼ିହସ୍ଥିତ ଦଳିତସାହିକୁ ଆସିଥିଲେ। ସେହି ସମୟରେ ମଙ୍ଗଳପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ପ୍ରମୋଦ ଜେନା ତାଙ୍କ ସମର୍ଥକଙ୍କ ସହ ବିଧାୟକଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଯାଉଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ସରପଞ୍ଚ ପ୍ରାର୍ଥୀ ପ୍ରିୟରଞ୍ଜନ ପ୍ରଧାନଙ୍କ ସମର୍ଥକମାନେ ଜେନାଙ୍କୁ ବାଟରେ ଅଟକାଇ ଠେଲାପେଲା କରିଥିଲେ। ସେହି ସମୟରେ ସରପଞ୍ଚ ପ୍ରାର୍ଥୀ ପ୍ରିୟରଞ୍ଜନ ପ୍ରଧାନଙ୍କ ସମ୍ପର୍କୀୟ ପ୍ରଫୁଲ୍ଳ ପ୍ରଧାନ ବାହାରୁ ଭଡ଼ାଟିଆ ଗୁଣ୍ଡାଆଣି ଦଳିତ ସାହିରେ ପହଞ୍ଚି ସେମାନଙ୍କୁ ଭୋଟ୍‌ ଦେବାପାଇଁ ଅର୍ଥରାଶି ଯାଚିଥିଲେ। ଦଳିତସାହି ବାସିନ୍ଦା ଉକ୍ତ ଅର୍ଥ ରାଶିକୁ ଗ୍ରହଣ ନ କରି ଟଙ୍କା ନେଇ ଭୋଟ୍‌ ଦେଇପାରିବୁ ନାହିଁ ବୋଲି ରୋକ୍‌ଠୋକ୍‌ ମନା କରି ଦେଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ସେମାନେ ଦଳିତସାହି ବାସିନ୍ଦାଙ୍କୁ ଗାଳିଗୁଲଜ କରି ଧମକ ଦେଇଥିଲେ। ଏ ନେଇ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳିତସାହିର ପଞ୍ଚୁ ମଳିକ, ରବୀନ୍ଦ୍ର ମଳିକ, ପ୍ରଫୁଲ୍ଳ କୁମାର ମଳିକ, ଆତୁଳ ମଳିକ, ଟୁଟୁ ମଳିକ ପ୍ରମୁଖ ବ୍ରହ୍ମବରଦା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ବିପକ୍ଷଙ୍କ ତରଫରୁ ମଧ୍ୟ ପାଲଟା ଅଭିଯୋଗ ହୋଇଛି। ଅଭିଯୋଗ କ୍ରମେ ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ଏସ. ଦାଶରଥି ପାତ୍ର ତଦନ୍ତ ଚଳାଇଛନ୍ତି।