ଝାରସୁଗୁଡ଼ା, ୧୭।୭ (ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲା ଓ ଦୌରା ଜଜ୍ଙ୍କ ଅଦାଲତ ପରିସରକୁ ବୋମା ମାଡ଼ କରି ଉଡ଼ାଇ ଦେବା ପାଇଁ ଏକ ସମ୍ବେଦନଶୀଳ ଧମକପୂର୍ଣ୍ଣ ସୂଚନା ମିଳିଛି। ଜିଲା ଜଜ୍ଙ୍କ ସରକାରୀ ଇ-ମେଲ ଆଇଡି dj.jharsuguda-od@gov.in କୁ ଏକ ଅଜ୍ଞାତ ମେଲ ଆସିବା ପରେ କୋର୍ଟ ପରିସରରେ ତୀବ୍ର ଉତ୍ତେଜନା ଓ ଆଶଙ୍କା ପ୍ରକାଶ ପାଇଛି। ଜିଲା ଜଜ୍ଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ମିଳିବା ପରେ ପ୍ରଶାସନ ଓ ପୋଲିସ ତୁରନ୍ତ ତତ୍ପରତା ପ୍ରକାଶ କରିଛନ୍ତି। ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲା ବାର୍ ଆସୋସିଏଶନ ପକ୍ଷରୁ ସମସ୍ତ ଆଇନଜୀବୀ, କୋର୍ଟ କର୍ମଚାରୀ ଏବଂ ସାଧାରଣ ଜନତାଙ୍କୁ ତୁରନ୍ତ କୋର୍ଟ ପରିସର ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ଅନୁରୋଧ କରାଯାଇଛି। ଏଥିସହିତ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ସମସ୍ତଙ୍କୁ ଧୌର୍ଯ୍ୟ ରଖିବା ସହ ସୁରକ୍ଷା କର୍ମୀ ଓ ସ୍ଥାନୀୟ ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ନିବେଦନ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ulaganathan.santhosh@atomicmail.io ନାମକ ଏକ ସନ୍ଦେହଜନକ ଇ-ମେଲ ଆଇଡିରୁ ଗତକାଲି ଏହି ଧମକପୂର୍ଣ୍ଣ ବାର୍ତ୍ତା ପଠାଯାଇଥିଲା। ଏହି ମେଲରେ ଅପରାହ୍ନ ୧ଟା ୧୫ ମିନିଟ୍ ସମୟରେ ବିଚାରପତିଙ୍କ କାର୍ଯ୍ୟାଳୟ, ଚାମ୍ବର ଏବଂ ରେ ସାଂଘାତିକ ଗ୍ୟାସ ବୋମା ବିସ୍ଫୋରଣ କରାଯିବ ବୋଲି ଉଲ୍ଲେଖ ରହିଛି। ଏହାସହ ବାହାରକୁ ଯିବା ସମୟରେ ନାକ ଓ ମୁହଁ ଘୋଡ଼ାଇବା ପାଇଁ ମଧ୍ୟ ଏଥିରେ କୁହାଯାଇଛି। ତେବେ ଏହି ଇ-ମେଲରେ ଭାଷା ଓଡ଼ିଶା ବାହାରର କୌଣସି ସଂଗଠନ ଦ୍ୱାରା ଟ୍ରାନ୍ସଲେଟ କରାଯାଇଥିବା ଭଳି ପ୍ରତିତ ହେଉଛି।ଏହି ଘଟଣା ସାମ୍ନାକୁ ଆସିବା ପରେ ଝାରସୁଗୁଡ଼ା ପୋଲିସ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ପକ୍ଷରୁ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କଡ଼ାକଡ଼ି କରାଯାଇଛି। ବମ ସ୍କୱାଡ ଏବଂ ର୍ସ୍ନିଫର୍ ଡଗ ସହାୟତାରେ ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ଏହି ବୋମା ଧମକ ପଛରେ ଥିବା ପ୍ରକୃତ ସତ୍ୟତା ଏବଂ ସାଇବର ଲିଙ୍କର ଯାଞ୍ଚ ପାଇଁ ଝାରସୁଗୁଡ଼ା ପୋଲିସର ଏକ ସ୍ବତନ୍ତ୍ର ଟିମ ତଦନ୍ତ ଚଳାଇଛି। ଅଯଥା ଆତଙ୍କିତ ନହେବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଆଶ୍ୱାସନା ଦିଆଯାଇଛି ।