ଏ ବର୍ଷ ହେବନି ଯାତ୍ରା, ମିନାବଜାର

କୋଣାର୍କ,୨୭।୧୧(ଡି.ଏନ୍‌.ଏ.): ଡିସେମ୍ବର ୧ରୁ ୫ତାରିଖ ପର୍ଯ୍ୟନ୍ତ ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଓଟିଡିସିର ମିଳିତ ଆନୁକୂଲ୍ୟରେ କୋଣାର୍କସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତଭିତ୍ତିକ କୋଣାର୍କ ଉତ୍ସବ ଏବଂ ଚନ୍ଦ୍ରଭାଗା ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଅନୁଷ୍ଠିତ ହେବ। ହେଲେ ଚଳିତବର୍ଷ କରୋନା ସଂକ୍ରମଣ ଭୟ ଦୂର ହୋଇ ନ ଥିବାରୁ କଟକଣା ଅନୁଯାୟୀ ଉତ୍ସବରେ ଯାତ୍ରା ଓ ମିନାବଜାରକୁ ପ୍ରଶାସନ ପକ୍ଷରୁ ବାତିଲ କରାଯାଇଛି। ଏଥିନିମନ୍ତେ ଶୁକ୍ରବାର ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମନ୍ବୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଜିଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଜିଏମ ଶାନ୍ତନୁ ମହାନ୍ତି, ଜିଲା ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ ଏବଂ ସମସ୍ତ ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ। କୋଭିଡ୍‌ ଗାଇଡଲାଇନ ଅନୁଯାୟୀ ଏହି ଉତ୍ସବ ସମୟରେ ପାର୍କିଂ, ପରିମଳ, ଟ୍ରାଫିକକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଆଇନଶୃଙ୍ଖଳା, ଆଲୋକ ବ୍ୟବସ୍ଥା, ସ୍ବାସ୍ଥ୍ୟସେବା, ଅଗ୍ନିଶମ ବିଭାଗ, ପୂର୍ତ୍ତ ବିଭାଗ, ପିଏଚ୍‌ଡି ଓ ଏଏସ୍‌ଆଇ ଆଦି ବିଭାଗକୁ ସୁଚାରୁରୂପେ କାର୍ଯ୍ୟ ତୁଲାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ସମୟରେ ଚନ୍ଦ୍ରଭାଗା ମେଳାପଡ଼ିଆରେ ବାଇକ୍‌ ଓ କାର ପାକର୍ିଂ ମ୍ୟୁଜିୟମ ପରିସରରେ ରହିବ। ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ ଚାଲିବ। ବୈଠକ ଶେଷରେ ଜିଲାପାଳ ମୁକ୍ତାକାଶ ରଙ୍ଗମଞ୍ଚ, ଚନ୍ଦ୍ରଭାଗା ବେଳାଭୂମିର ସ୍ଥିତି ଅନୁଧ୍ୟାନ କରିଥିଲେ। ଚଳିତବର୍ଷ କୋଭିଡ୍‌ କଟକଣାରେ ସମସ୍ତ ନିୟମ ମାନି ଉତ୍ସବ ଅନୁଷ୍ଠିତ ହେବ। ଏହି ଉତ୍ସବ ସଫଳତାର ସହିତ ଶେଷ ହେବ ବୋଲି ସୂଚନା ଦେଇଛନ୍ତି ଜିଲାପାଳ ବମର୍ର୍ା। ଶେଷରେ ଜିଲା ପର୍ଯ୍ୟଟନ ଅଧିକାରୀ ପ୍ରଧାନ ଧନ୍ୟବାଦ ଦେଇଥିଲେ।