ଏହି ବିଜୟ ଆମ ପାଇଁ ଦାୟିତ୍ୱ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୨ା୩(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ହିଞ୍ଜିଳି ଓ ଶେରଗଡ଼ ବ୍ଲକର ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କ ସହ ଆଲୋଚନାକରି ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହାସହ ଦଳମତରୁ ଊଦ୍ଧର୍‌ବରେ ରହି ଲୋକଙ୍କ ସେବା କରିବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଛନ୍ତି। ନବୀନ କହିଛନ୍ତି, ବର୍ତ୍ତମାନ ନିର୍ବାଚନ ଶେଷ ହୋଇଛି। ତେଣୁ ଆପଣମାନେ ସମସ୍ତଙ୍କ ପାଇଁ କାମ କରନ୍ତୁ। ଦଳମତରୁ ଉପରକୁ ଉଠି କାମ କଲେ ଆମେ ସବୁବେଳେ ଲୋକଙ୍କ ଭରସା ଓ ଆଶୀର୍ବାଦ ପାଇପାରିବା। ସାରା ରାଜ୍ୟରେ ପଞ୍ଚାୟତ ନିର୍ବାଚନରେ ଲୋକେ ଏକ ଐତିହାସିକ ରାୟ ଦେଇଛନ୍ତି। ସେଥିପାଇଁ ସେମାନଙ୍କ ନିକଟରେ ଆମେ ଋଣୀ। ଏ ବିଜୟ ଏକ ବହୁତ ବଡ଼ ଦାୟିତ୍ୱ ବୋଲି ପ୍ରକାଶକରି ସେ କହିଛନ୍ତି, ଆଶା କରୁଛି ଯେ ସମସ୍ତେ ନିଜ ଗାଁର, ଅଞ୍ଚଳର ବିଜୟ ପାଇଁ କାମ କରିବେ। ଲୋକଙ୍କ ସୁଖଦୁଃଖରେ ସବୁବେଳେ ସେମାନଙ୍କ ସାଥିରେ ରହିବେ।