Categories: Home Leftଖେଳ

ଭାରତୀୟ ଦଳରେ ସ୍ଥାନ ପାଇଲେ ଏହି ଉଦୀୟମାନ ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୬: ଆୟର୍ଲାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ସିରିଜ ପାଇଁ ଆଘାତପ୍ରାପ୍ତ ଅଲରାଉଣ୍ଡର ନୀତିଶ ରେଡ୍ଡୀଙ୍କ ସ୍ଥାନରେ ଉଦୀୟମାନ ଖେଳାଳି ସୂର୍ଯ୍ୟାଂଶ ଶେଡ୍‌ଗେଙ୍କୁ ଭାରତୀୟ ଦଳରେ ନିଆଯାଇଛି।

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ ମଙ୍ଗଳବାର ଏହି ସୂଚନା ଦିଆଯାଇଛି। ଜୁନ୍‌୨୦ରେ ଆଫଗାନିସ୍ତାନ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ ସିରିଜ ବେଳେ ନୀତିଶଙ୍କ ଜଂଘ ମାଂସପେଶୀରେ ଆଘାତ ଲାଗିଛି। ଡାକ୍ତରୀ ପରୀକ୍ଷା ପରେ ବିସିସିଆଇ ମେଡିକାଲ ଟିମ୍‌ ତାଙ୍କୁ ରିହାବିଲିଟେଶନରେ ରହିବା ପାଇଁ ପରାମର୍ଶ ଦେଇଛି।

ନିକଟରେ ଶ୍ରୀଲଙ୍କାରେ ଅନୁଷ୍ଠିତ ତ୍ରିକୋଣୀୟ ସିରିଜରେ ଭାରତ ‘ଏ’ ତରଫରୁ ଶେଡ୍‌ଗେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ମିଡଲ ଅର୍ଡରରେ ବ୍ୟାଟିଂ କରି ଏହି ୨୩ ବର୍ଷୀୟ ୫ଟି ମ୍ୟାଚରେ ୧୪୭ ରନ ସଂଗ୍ରହ କରିଥିବା ବେଳେ ଟୁର୍ନାମେଣ୍ଟରେ ୨୩ ଓଭର ବୋଲିଂ ମଧ୍ୟ କରିଛନ୍ତି।

୨୦୨୪-୨୫ରେ ସୟଦ ମୁସ୍ତାକ ଅଲି ଟ୍ରଫି ଟାଇଟଲ ଜିତିଥିବା ମୁମ୍ବାଇ ଦଳର ଅନ୍ୟତମ ସଦସ୍ୟ ଥିଲେ ଶେଡ୍‌ଗେ। ଲୋୟର ମିଡଲ ଅର୍ଡରରେ ସେ ୨୫୧.୯୨ ଷ୍ଟ୍ରାଇକ୍‌ ରେଟ୍‌ରେ ୧୩୧ ରନ ସ୍କୋର କରିଥିଲେ। ଆଗାମି ଦୁଇଟି ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ପୂରଣ କରିଥାନ୍ତେ ରେଡ୍ଡୀ। ମାତ୍ର ଇଞ୍ଜୁରୀ ଯୋଗୁ ଅନ୍ତର୍ଜାତୀୟ ଦିନିକିଆରେ ସେ ୧୦ ଓଭର ବୋଲିଂ କରିବା ଅବସ୍ଥାରେ ନାହାନ୍ତି।

 

Share