ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି ସୋରେନଙ୍କୁ ଟିକେଟ୍‌ ଦେଇଛି। ଅଞ୍ଜନି ଏଥର ଓଡ଼ିଶାର ମୟୂରଭଞ୍ଜ ସିଟ୍‌ରୁ ନିର୍ବାଚନ ଲଢିବେ।

ଅଞ୍ଜନି ୨୦୧୯ ଲୋକ ସଭା ନିର୍ବାଚନ ଲଢିଛନ୍ତି। ପୂର୍ବଥର ମଧ୍ୟ ସେ ମୟୂରଭଞ୍ଜ ସିଟ୍‌ରୁ ନିର୍ବାଚନ ଲଢିଥିଲେ। ପୂର୍ବ ନିର୍ବାଚନରେ ତାଙ୍କୁ ୧,୩୫,୫୫୨ ସିଟ୍‌ ମିଳିଥିଲା। ପୂର୍ବଥର ସେ ସେଠାରୁ ବିଶେଶ୍ୱର ଟୁଡୁଙ୍କୁ ମୁକାବିଲା କରିଥିଲେ। ଯେଉଁଥିରେ ଟୁଡୁ ଜିତି ଯାଇଥିଲେ।

ଏବେ ପୁଣିଥରେ ଜେଏମଏମ ଅଞ୍ଜନିଙ୍କୁ ମୟୂରଭଞ୍ଜରୁ ଟିକେଟ୍‌ ଦେଇଛି। ଏଥର ସେ ଭାଜପାର ନବଚରଣ ମାଝୀ ଓ ବିଜେଡିର ସୁଦାମ ମାରଣ୍ଡିଙ୍କ ସହ ମୁକାବିଲା କରିବେ। ଓଡ଼ିଶାର ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲାରେ ଜେଏମଏମ ଫୁଲ୍‌ ଦମ୍‌ରେ ସକ୍ରିୟ ରହିଛି। କାରଣ ଏହି ଦୁଇ ଜିଲା ଝାଡ଼ଖଣ୍ଡ ସୀମାକୁ ଲାଗି ରହିଛି। ସୁଦାମ ମାରାଣ୍ଡି ମୟୂରଭଞ୍ଜରୁ ୨୦୦୪ରେ ଲୋକ ସଭା ନିର୍ବାଚନ ଜେଏମଏମ ଟିକେଟରୁ ହିଁ ଜିତିଥିଲେ। ୨୦୦୯ରେ ପୁଣିଥରେ ଦଳ ତାଙ୍କୁ ଟିକେଟ୍‌ ଦେଇଥିଲା। ପରେ ଜେଏମଏମ ଏହି ସିଟ୍‌ରେ ଦୂର୍ବଳ ହେବାକୁ ଲାଗିଲା।

୨୦୧୪ ଲୋକ ସଭା ନିର୍ବାଚନରେ ଜେଏମଏମର ପ୍ରାର୍ଥୀଙ୍କୁ ଏଠାରେ ୧୭ପ୍ରତିଶତରୁ କମ୍‌ ଭୋଟ୍‌ ମିଳିଥିଲା। ସେତେବେଳେ ଏଠାରୁ ବିଜେଡିର ରାମଚନ୍ଦ୍ର ହାଁସଦା ବାଜିମାତ୍‌ କରିଥିଲେ। କିନ୍ତୁ ୨୦୧୮ରେ ଭାଜପା ଏହି ଆସନକୁ ଦଖଲ କରିଥିଲା। ତେବେ ଭାଜପା ଏଥର ମୟୂରଭଞ୍ଜରୁ ବିଶେଶ୍ୱର ଟୁଡୁଙ୍କ ଟିକେଟ୍‌ କାଟି ଦେଇଛି। ତାଙ୍କ ବଦଳରେ ନବଚରଣ ମାଝୀଙ୍କୁ ଟିକେଟ୍‌ ଦେଇଛି।