ଏହି କାରଣରୁ ଭାଜପାରେ ଯୋଗଦେଲେ ଆକାଶ ଦାସନାୟକ: ନିଜେ କଲେ ଖୁଲାସା

ଭୁବନେଶ୍ୱର,୩୧।୮: କୋରେଇ ବିଧାୟକ ତଥା ଓଲିଉଡ ଅଭିନେତା ଆକାଶ ଦାସନାୟକ ରବିବାର ଭାଜପାରେ ସାମିଲ ହୋଛନ୍ତି। ରାଜ୍ୟ ଭାଜପା କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଆକାଶ ଯୋଗ ଦେଇଛନ୍ତି। ଆକାଶଙ୍କ ସମର୍ଥକ ମଧ୍ୟ ଭାଜପାରେ ମିଶିଥିଲେ। ଶନିବାର କାଲି ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ଆକାଶ।
ଭାଜପାରେ ଯୋଗଦେବା ପରେ ଆକାଶ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତର ଆହ୍ବାନରେ ଅନୁପ୍ରାଣିତ ହୋଇ ମୁଁ ଏହି ଦଳରେ ସାମିଲ ହୋଇଛି। ମୋ ଜୀବନ ସମାଜ ସେବା ପାଇଁ ଓ କୋରେଇ ବାସୀଙ୍କ ସେବା ପାଇଁ ସମର୍ପିତ। ମାଆ, ମାଟି ଓ ସ୍ବାଭିମାନ ପାଇଁ ଆମେ ସମସ୍ତେ ଏକାଠି ହୋଇଛୁ। ଆମେ ସମସ୍ତେ ଜଣେ ଜଣେ ସୈନିକ ଭାବେ ଏ ସଂଗ୍ରାମ ଜାରି ରଖିବା। ମୁଁ ଆତ୍ମ ସମ୍ମାନକୁ ଦଳିଦେବା ଅପେକ୍ଷା ଓଡିଶାର ବିକାଶ ପାଇଁ ଭାଜପାରେ ସାମିଲ ହୋଇଛି ବୋଲି ଆକାଶ କହିଛନ୍ତି।
ତେବେ ବିଜେଡିରୁ ଇସ୍ତଫା ଦେବା ପରେ ଆକାଶ ଅନ୍ତରଆତ୍ମାର ସ୍ବର, ଆତ୍ମସମ୍ମାନ, ଅଭିମାନ ପାଇଁ ଓ କୋରେଇ ଜନସାଧାରଣଙ୍କ ସ୍ବାଭିମାନ ପାଇଁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା କହିଥିଲେ। ୨୦୧୪ରୁ ୨୦୧୯ ମସିହା ପର୍ଯ୍ୟନ୍ତ ଆକାଶ ଯାଜପୁର ଜିଲା କୋରେଇ ବିଧାୟକ ହୋଇଥିଲେ। କିନ୍ତୁ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ତାଙ୍କୁ ଟିକେଟ ଦେଇ ନ ଥିଲା।