ବର୍ତ୍ତମାନ ରାଜନୀତି କରିବାର ସମୟ ନୁହେଁ: ଭକ୍ତ ଦାସ,ଗିଡିପାବାଲି ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦାବି

ଭଞ୍ଜନଗର, ୬/୧୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲାରେ ଭୟାବହ ବନ୍ୟା ପରେ ପୁନରୁଦ୍ଧାର କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଲୋକେ ଏବେ ବି ନାନା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଏଭଳି ସମୟରେ ରାଜନୀତି କରିବା ଉଚିତ ନୁହେଁ। ବରଂ ବନ୍ୟା ବିପନ୍ନଙ୍କୁ ସହାୟତା ପ୍ରଦାନ ଓ ପୁନରୁଦ୍ଧାର କାର୍ଯ୍ୟକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ କହିଛନ୍ତି।

ଗୁରୁବାର ଓ ଶୁକ୍ରବାର ଦୁଇଦିନ ଧରି ସେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ଅବସରରେ ଭଞ୍ଜନଗର ବ୍ଲକ୍‌ର ଗିଡିପାବାଲିଠାରେ ବନ୍ୟାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ। ଶୁକ୍ରବାର ଭଞ୍ଜନଗର ବ୍ଲକ୍‌ର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସନ୍ଧ୍ୟାରେ ଫେରିବା ସମୟରେ ଗିଡିପାବାଲିରେ ବନ୍ୟାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରିବାକୁ ସେ ଦାବି କରିଥିଲେ।

ସେ କହିଥିଲେ ଯେ ବନ୍ୟାରେ ଚାଷୀମାନେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ପ୍ରାୟ ୫ ଲକ୍ଷ ଏକର ଜମିର ଫସଲ ନଷ୍ଟ ହୋଇଯାଇଛି। ତେଣୁ ଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ସହ ବନ୍ୟା ବିପନ୍ନଙ୍କୁ ପର୍ଯ୍ୟାପ୍ତ ସହାୟତା ଯୋଗାଇ ଦେବାକୁ ସେ ଦାବି କରିଥିଲେ। ସରକାର ଘୋଷଣା କରିଥିବା କ୍ଷତିପୂରଣ ରାଶି ସମୁଦ୍ରକୁ ଶଙ୍ଖେ ସଦୃଶ ବୋଲି ସେ ମତ ଦେବା ସହ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଦାବି ଜଣାଇଥିଲେ।

ଅପରପକ୍ଷରେ, ଶନିବାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ବନ୍ୟା ପ୍ରଭାବିତ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆକାଶମାର୍ଗରୁ ଗଞ୍ଜାମ ଜିଲ୍ଲାର ବନ୍ୟାଜନିତ କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ। ବନ୍ୟା ପରବର୍ତ୍ତୀ ସ୍ଥିତି ଓ ପୁନରୁଦ୍ଧାର କାର୍ଯ୍ୟକୁ ନେଇ ଜିଲ୍ଲାରେ ରାଜନୈତିକ ତତ୍ପରତା ବୃଦ୍ଧି ପାଇଛି।

ଭକ୍ତ ଚରଣ ଦାସଙ୍କ ଗସ୍ତ ସମୟରେ ଜିଲ୍ଲା କଂଗ୍ରେସ ସଭାପତି ବି. ଦଣ୍ଡପାଣି ପାତ୍ର, କଂଗ୍ରେସ ନେତ୍ରୀ ସୋନାଲି ସାହୁ, ନେତା ଶୁଭେନ୍ଦୁ ମହାନ୍ତି, ଅରବିନ୍ଦ ଦାସ, ସତ୍ୟବ୍ରତ ନାୟକ, ସଞ୍ଜୟ ତ୍ରିପାଠୀ, ପ୍ରଶାନ୍ତ ବିଷୋୟୀ, ଦେବକାନ୍ତ ଶର୍ମା, ସୂତପା ଦାସ, ବାପୁନା ରାଉତ, ବିଦ୍ୟାଧର ପ୍ରଧାନ, ସନ୍ତୋଷ ଦିଗାଲ, ମୁସ୍କାନ ବିଷୋୟୀ, ଏ. ବିଷ୍ଣୁ ପ୍ରସାଦ, ରବି ଦାସ ଓ ପ୍ରତାପ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share