Categories: ଖେଳ

ବଲ୍‌ରେ ସାନିଟାଇଜର ଲଗାଇ ବୋଲିଂ କରିବାରୁ ବାସନ୍ଦ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ, ୬।୯: କରୋନା ଭାଇରସ୍‌ ସଂକ୍ରମଣରୁ ରକ୍ଷା ପାଇବା ଲାଗି ମୁହଁରେ ମାସ୍କ ପରିଧାନ କରିବା ସହିତ ହାତକୁ ସାନିଟାଇଜର ମାଧ୍ୟମରେ ସଫା ରଖିବାକୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ପରାମର୍ଶ ଦିଆଯାଇଛି। କିନ୍ତୁ କ୍ରିକେଟ୍‌ ମ୍ୟାଚ୍‌ ଅବସରରେ ଜଣେ ବୋଲର୍‌ ବଲ୍‌ରେ ସାନିଟାଇଜର ବୋଳି ବୋଲିଂ କରିଥିଲେ। ଯେଉଁଥି ପାଇଁ ତାଙ୍କୁ ବାସନ୍ଦ କରାଯାଇଛି। ଏହି ବୋଲରଜଣଙ୍କ ହେଉଛନ୍ତି, ଅଷ୍ଟ୍ରେଲିଆର ମିଚ୍‌ କ୍ଲେଡନ୍‌। କାଉଣ୍ଟି କ୍ରିକେଟ୍‌ କ୍ଲବ ସସେକ୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବାବେଳେ ୩୭ ବର୍ଷୀୟ କ୍ଲେଡନ ଗତ ମାସରେ ମିଡିଲସେସ୍‌ ବିପକ୍ଷ ମ୍ୟାଚ୍‌ରେ ବୋଲିଂ କରୁ୍‌ଥିବାବେଳେ ବଲ୍‌ରେ ସାନିଟାଇଜର ଲଗାଇଥିବା ଅଭିଯୋଗ ହୋଇଥିଲା। ଏହି ମ୍ୟାଚ୍‌ରେ ସେ ୩ ଉଇକେଟ୍‌ ହାସଲ କରିଥିଲେ। ଇଂଲଣ୍ଡ ଆଣ୍ଡ୍‌ ଓ୍ବେଲ୍ସ କ୍ରିକେଟ୍‌ ବୋର୍ଡ (ଇସିବି) ପକ୍ଷରୁ ଏହି ଘଟଣାର ଯାଞ୍ଚ ଆରମ୍ଭ ହୋଇଛି। କିନ୍ତୁ ଇସିବି ରିପୋର୍ଟ ପ୍ରକାଶ ପାଇବା ପୂର୍ବରୁ ସସେକ୍ସ କ୍ଲେଡନଙ୍କୁ ବାସନ୍ଦ କରିଛି। ଆଗାମୀ ବବ୍‌ ଓ୍ବିଲ୍ସ ଟ୍ରଫି ପାଇଁ ସସେକ୍ସ ପକ୍ଷରୁ ଘୋଷିତ ୧୪ ଜଣିଆ ଦଳରେ ତାଙ୍କୁ ସାମିଲ କରାଯାଇନାହିଁ।

Share