୧୩ ବଖରା ଭସ୍ମୀଭୂତ

ନୂଆଗାଁ,୨୧।୪(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ଶିଖରଗୋଛା ଗ୍ରାମରେ ଶନିବାର ନିଆଁ ଲାଗି ୧୩ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିବିପନ୍ନମାନେ ପିନ୍ଧା ଲୁଗା ବ୍ୟତୀତ ଅନ୍ୟ କୌଣସି ସାମଗ୍ରୀ ଉଦ୍ଧାର କରି ପାରିନାହାନ୍ତି। ଗ୍ରାମବାସୀଙ୍କ ସହିତ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଉଦୟପୁର ପଞ୍ଚାୟତ ଶିଖରଗୋଛା ଗ୍ରାମରେ ଶନିବାର ଅପରାହ୍ନ ୩ଟା ସମୟରେ କୌଣସି କାରଣରୁ ଜଣେ ଗ୍ରାମବାସୀଙ୍କ ଚାଳରେ ନିଆଁ ଲାଗି ଯାଇଥିଲା। ପ୍ରବଳ ଖରା ଯୋଗୁ ଚାଳର ନିଆଁକୁ ଆୟତ କରିବା କଷ୍ଟକର ହୋଇଥିଲା। ଖବର ପାଇ ନୂଆଁଗାଁ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚ ନିଆଁକୁ ଆୟତ କରିବାକୁ ଚେଷ୍ଠା କରିଥିଲେ। ଏହି ଘଟଣାରେ ଶିଖରଗୋଛା ଗ୍ରାମର ବାବାଜୀ ମହାକୁଡଙ୍କ ଗୁହାଳ, ଉଚ୍ଛବ ବେହେରାଙ୍କ ଘର ଓ ଗୁହାଳ, ମନୋରଞ୍ଜନ ବେହେରାଙ୍କ ଘର ଓ ଗୁହାଳ, ମାନସ ବେହେରା, ମାହାଲି ବେହେରା, ଦୈତାରୀ ବେହେରା, ଜଗନ୍ନାଥ ବେହେରା, ଭଗବାନ ବେହେରା, ବାମଦେବ ବେହେରା, କାଳିଆ ବେହେରା ଓ ଦୁଃଖୀଶ୍ୟାମ ବେହେରାଙ୍କ ମୋଟ ୧୩ ବଖରା ଘର ପୋଡ଼ିଯିବା ସହ ଅନେକ ସାମଗ୍ରୀ ଜଳି ପାଉଁଶ ହୋଇଛି। ବୃଦ୍ଧା ମାହାଲି ବେହେରା ପାଇଥିବା ଭତ୍ତା ଟଙ୍କାକୁ ଖର୍ଚ୍ଚ ନ କରି ସାଇତି ଥିବା ବେଳେ ବାକ୍ସରେ ଥିବା ୧୦ ହଜାର ଟଙ୍କା ପୋଡି ଯାଇଛି । ସେହିପରି ଉଚ୍ଛବ ବେହେରାଙ୍କ ପ୍ରାୟ ୩୦ ହଜାର ଟଙ୍କା ପୋଡ଼ି ଯାଇଥିବା କହିଛନ୍ତି। ମନୋରଞନ ବେହେରାଙ୍କ ଗୁହାଳରେ ଥିବା ଶଗଡ଼, ଗୋଖାଦ୍ୟ ଆଦି ପୋଡିଯିବା ସହ ଘରେ ଥିବା ଅନେକ ସାମଗ୍ରୀ ପୋଡ଼ି ଯାଇଛି। ମହିତମା ରାଜସ୍ବ ନିରୀକ୍ଷକ ଓ କର୍ମଚାରୀ ପହଞ୍ଚତ୍ ତଦନ୍ତ କରିବା ସହ ଯଥାଶୀଘ୍ର ଜରିପାଲ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିବେ ବୋଲି କହିଛନ୍ତି ା ତେବେ ନିଆଁ ଲାଗିବାର କାରଣ ଜଣାପଡି ନାହିଁ।