ଆଳି ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ

ଆଳି,୨୯ା୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ କଳଦିଆ ଗ୍ରାମର ଜଣେ ଯୁବକଙ୍କୁ ପୋଲିସ ତାଙ୍କ ଘରୁ ଉଠାଇ ଆଣି ଥାନାରେ ନିସ୍ତୁକ ପିଟିଛି। ପୋଲିସର ଏପରି ଥାର୍ଡଡିଗ୍ରୀକୁ ନେଇ ଯୁବକଙ୍କ ସ୍ତ୍ରୀ ଥାନା ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନା ମୁତାବକ, କଳଦିଆ ଗ୍ରାମର ରବୀନ୍ଦ୍ର ଦାସ ଓ ତାଙ୍କ ସ୍ତ୍ରୀ ସୁନିତା ଦାସଙ୍କ ମଧ୍ୟରେ ଗତ ଶନିବାର ରାତିରେ ସାମାନ୍ୟ ଘଟଣାକୁ ନେଇ ଯୁକ୍ତିତର୍କ ହୋଇଥିଲା। ସୁନିତା ଏ ନେଇ ଥାନା ଅଧିକାରୀଙ୍କୁ ଟେଲିଫୋନରେ ସୂଚନା ଦେଇଥିଲେ। ଏହାର କିଛି ସମୟ ପରେ ଥାନା ଏସ୍‌ଆଇ ପ୍ରଦୋଷ ପଟ୍ଟନାୟକଙ୍କ ସମେତ ଅନ୍ୟ ୬ ପୋଲିସ ରାତି ପ୍ରାୟ ୧୧ଟାରେ ଘରେ ପଶି ରବୀନ୍ଦ୍ରଙ୍କୁ ଥାନାକୁ ନେଇଥିଲେ। ରବୀନ୍ଦ୍ରଙ୍କ ସ୍ତ୍ରୀ ଓ ପରିବାର ଲୋକ ଥାନାକୁ ଆସିବା ପରେ ଥାନା ଅଧିକାରୀ ସେମାନଙ୍କୁ ଘରକୁ ଫେରାଇ ଦେଇଥିଲେ। ରବିବାର ସକାଳେ ପୁଣିଥରେ ପରିବାର ଲୋକେ ଥାନାକୁ ଆସିଥିଲେ। ସେତେବେଳେ ରବୀନ୍ଦ୍ରଙ୍କ ଅବସ୍ଥା ଗୁରୁତର ଥିବା ଦେଖିବାକୁ ପାଇଥିଲେ। ତାଙ୍କୁ ଥାନା ଆଇଆଇସିଙ୍କ ସମେତ ଅନ୍ୟ ପୋଲିସ ରାତିସାରା ପିଟିଥିବା ରବୀନ୍ଦ୍ର କହିଥିଲେ। ଏକଥା ଶୁଣିବା ପରେ ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ରବୀନ୍ଦ୍ରଙ୍କ ସ୍ତ୍ରୀ ସୁନିତାଙ୍କ କହିବା ମୁତାବକ ସାମାନ୍ୟ କଥାକୁ ନେଇ ମୁଁ ଥାନାକୁ ଜଣାଇଥିଲି। କିନ୍ତୁ ପୋଲିସ ବିନା ଏତଲାରେ ନିଷ୍ଠୁର ଭାବେ ମୋ ସ୍ବାମୀଙ୍କୁ ପିଟିଛି। ରବୀନ୍ଦ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଶରୀରରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାରୁ ଅନ୍ୟତ୍ର ନେଇ ସ୍କାନିଂ କରିବାକୁ ଡାକ୍ତର କହିଛନ୍ତି। ଏ ନେଇ ଥାନା ଅଧିକାରୀ ଦିଲ୍ଲୀପ ସାହୁ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।