ବିପଦସଙ୍କୁଳଭାବେ ଗାଡ଼ିରେ ନିଆଯାଉଛି ଜିନିଷ,ସାଇଡ ଦେଲାବେଳକୁ ଘଟୁଛି ଦୁର୍ଘଟଣା

ତେନ୍ତୁଳିଖୁଣ୍ଟି, ୨।୧୧(ଚିଦାନନ୍ଦ ସାହୁ):ତେନ୍ତୁଳିଖୁଣ୍ଟି ବ୍ଲକର ୧୦ରୁ ଅଧିକ ଚାଉଳ ମିଲ ରହିଛି। ସେଠାରୁ ଖୁଲୁମଖୁଲାଭାବେ ଦିନରେ କୁଣ୍ଡା ଚାଲାଣ ହେଉଛି। ଆନ୍ଧ୍ର, ତେଲେଙ୍ଗାନା, ଝାଡ଼ଖଣ୍ଡକୁ ଓଭରଲୋଡିଂ କରି କୁଣ୍ଡା ଚାଲାଣ କରାଯାଉଛି। ମୁଖ୍ୟ ରାସ୍ତାରେ ଯାତାୟାତବେଳେ ଗାଡ଼ିକୁ ସାଇଡ ଦେଲାବେଳକୁ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି। ଏହି ଗାଡି ଚକାତଳେ ମେଗା ଜଳ ପ୍ରକଳ୍ପ ପାଇପ ଲାଇନ ଦବି ଯାଉଛି। ଗାଡ଼ି ଓଭର ଲୋଡିଂ କରି ନେଉଥିବାରୁ ବିଦ୍ୟୁତ୍‌ ତାର ଲାଗି ଲାଗୁଛି। ଗାଡ଼ିଗୁଡ଼ିକ ଗଲାପରେ ଉକ୍ତ ତାରେ ଛିଣ୍ଡି ଯାଉଥିବା ଅଭିଯୋଗ ମଧ୍ୟ ହେଉଛି। ପୋଲିସ ଗାଡ଼ି ଯାଞ୍ଚ କରୁଛି। କିନ୍ତୁ ଏହି ଗାଡ଼ିସବୁ ବାହାର ରାଜ୍ୟରୁ ଆସି ଓଭର ଲୋଡିଂ ସହ ରାସ୍ତାକୁ ସମ୍ପୂର୍ଣ୍ଣ କଭର କରି ଯାଉଥିଲେ ମଧ୍ୟ ପୋଲିସ ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହେଉଛି। ଏହି ବିପଦ ସଙ୍କୁଳ ଅବସ୍ଥାରେ ଗାଡି ଯିବା ଆସିବା କରିବା କିଭଳି କାହାର ଦୃଷ୍ଟି ପଡ଼ୁନି ବୋଲି ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ତେନ୍ତୁଳିଖୁଣ୍ଟି ଏମ୍‌ଆଇ ରୋହିତ କୁମାର ମାଝିଙ୍କୁ ପଚାରିବାରୁ ବିଷୟରେ ଅବଗତ ନାହିଁ। ଉପରିସ୍ଥ ଅଧିକାରୀଙ୍କୁ ଯୋଗାଯୋଗ କରି ଏପରି ଗାଡ଼ି ଚଳାଚଳ ଉପରେ କାର୍ଯାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।