ମୂକ, ବଧିର ବେଶରେ ବୁଲୁଛନ୍ତି ତାମିଲନାଡୁର ଚୋର

ଭୁବନେଶ୍ୱର,୨୮।୪(ବ୍ୟୁରୋ): ସାବଧାନ! ସହରରେ ମୂକ, ବଧିର ବେଶରେ ବୁଲୁଛନ୍ତି ତାମିଲନାଡୁର ଚୋର। ଦେଖାଉଛନ୍ତି ଦିବ୍ୟାଙ୍ଗ ପ୍ରମାଣପତ୍ର। ଭିକ୍ଷା ମାଗିବା ଆଳରେ ଘରକୁ ଘର, ହଷ୍ଟେଲ, ମେସ୍‌ ବୁଲି ଚୋରି କରୁଛନ୍ତି। ଏଭଳି ଏକ ଗ୍ୟାଙ୍ଗ୍‌କୁ କମିଶନରେଟ ସ୍ପେଶାଲ ସ୍କ୍ବାଡ୍‌ ଧରିଛି। ବୁଧବାର ଗ୍ୟାଙ୍ଗ୍‌ର ୨ ସଦସ୍ୟଙ୍କୁ ଖଣ୍ଡଗିରି ଥାନା ପୋଲିସ ଗିରଫ କରିବା ସହ ସେମାନଙ୍କଠାରୁ ୨୭ ମୋବାଇଲ ଫୋନ, ଗୋଟିଏ ଲାପଟପ, ଡିଏସ୍‌ଏଲ୍‌ଆର୍‌ କ୍ୟାମେରା ଆଦି ଜବତ କରିଛି। ଏଥିସହ ଜାଲ ମୂକ ଓ ବଧିର ପ୍ରମାଣ ପତ୍ର ଜବତ ମଧ୍ୟ ଜବତ କରାଯାଇଛି। ବଡଗଡ, ଖଣ୍ଡଗିରି ଓ ଶହୀଦନଗର ଥାନାଞ୍ଚଳରେ ହୋଇଥିବା ଚୋରି ଘଟଣାରେ ଏମାନେ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଛି। ଅଭିଯୁକ୍ତଦ୍ୱୟଙ୍କୁ ଗୁରୁବାର କୋର୍ଟଚାଲାଣ କରାଯିବ ଓ ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ ବୋଲକମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ଏହି ଗ୍ୟାଙ୍ଗ୍‌ ବିଶେଷକରି ସକାଳ ସମୟରେ ବେଶ୍‌ ସକ୍ରିୟ ରହିଥାନ୍ତି। ହଷ୍ଟେଲରେ ଶୋଇଥିବା ଛାତ୍ରୀଛାତ୍ର ଓ ପ୍ରାତଃଭ୍ରମଣରେ ଯାଉଥିବା ପରିବାର ଉପରେ ନଜର ରଖିଥାନ୍ତି। କବାଟ ଖୋଲା ଥିବାବେଳେ ସେମାନେ ଘର ଭିତରକୁ ପଶି ମୋବାଇଲ, ଲାପଟପ, କ୍ୟାମେରା ଓ ଅନ୍ୟ ସାମଗ୍ରୀ ଚୋରି କରି ଚମ୍ପଟ ମାରିଥାନ୍ତି। ଧରାପଡ଼ିଗଲେ ସେମାନେ ନିଜକୁ ମୂକ ଓ ବଧିର କହିବା ସହ ପାଖରେ ରଖିଥିବା ପ୍ରମାଣପତ୍ରକୁ ଦେଖାଇ ଖସି ଯାଇଥାନ୍ତି। ୫ଦିନ ତଳେ କଳିଙ୍ଗନଗରରେ ରହୁଥିବା ଏକ ମେସରୁ ମଧ୍ୟ ଏମାନେ ଚୋରି କରୁଥିଲେ। ଏମାନଙ୍କୁ ଧରିବାକୁ ସ୍ପେଶାଲ ସ୍କ୍ବାଡ୍‌ ତତ୍ତ୍ୱାବଧାନରେ ଏକ ଟିମ୍‌ ଗଠନ କରାଯାଇଥିଲା। ବିଭିନ୍ନ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରି ଅଭିଯୁକ୍ତଦ୍ୱୟଙ୍କୁ ଚିହ୍ନଟ କରାଯାଇଥିଲା। ଖଣ୍ଡଗିରି ଥାନା ଅଞ୍ଚଳରେ ବୁଧବାର ସକାଳେ ଉଭୟଙ୍କୁ ପୋଲିସ କାବୁ କରିଥିଲା।