ଥାନା ବୋଲେରୋ ଧରି ଛୁ

ଢେଙ୍କାନାଳ ଅଫିସ, ୧୫।୯: ସନ୍ଦେହ ଜନକ ଅବସ୍ଥାରେ ରାତିରେ ରାସ୍ତାରେ ବୁଲୁଥିବାବେଳେ ଉଠାଇ ଆଣିଥିଲା ପୋଲିସ। ଅସ୍ବାଭାବିକ ଆଚରଣରୁ ମାନସିକ ଭିନ୍ନକ୍ଷମ ହୋଇଥିବା ଅନୁମାନ କରି ପୋଲିସ ଗାଡ଼ିରେ ଯୁବକଙ୍କୁ ଘରକୁ ଛାଡ଼ିବାକୁ ଯାଉଥିଲେ ବିଭାଗୀୟ ଡ୍ରାଇଭର। ହେଲେ ଚାଳକ ଥାନାକୁ ପାଣି ବୋତଲ ଆଣିବାକୁ ଯାଇଥିବା ସୁଯୋଗରେ ନାଲିବତି ଲାଗିଥିବା ପୋଲିସ ବୋଲେରୋ ଧରି ଚମ୍ପଟ ମାରିଲେ ଅଭିଯୁକ୍ତ। ପାଖାପାଖି ଘଣ୍ଟାଏ ମଧ୍ୟରେ ପହଞ୍ଚତ୍ଗଲେ ଢେଙ୍କାନାଳ ଟାଉନ ଥାନାରୁ କଟକ ଜିଲା ଖୁଣ୍ଟୁଣୀରେ। ଅଭିଯୁକ୍ତଙ୍କୁ ପୋଲିସ ଧରିବା ସହ ଗାଡ଼ି ମଧ୍ୟ ଜବତ କରାଯାଇଛି। ତେବେ ଥାନାର ସୁରକ୍ଷା ବଳୟ ଭେଦ କରି ଜଣେ ଯୁବକ ପୋଲିସ ବିଭାଗର ନାଲିବତି ଗାଡ଼ି ଧରି ଚମ୍ପଟ ମାରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

ପୋଲିସ ସୂଚନା ଅନୁଯାୟୀ, ଗଁଦିଆ ବ୍ଲକ ଯୋରନ୍ଦା ଫାଣ୍ଡି ଅଧୀନ ହାଟବାଇସିଙ୍ଗା ଗ୍ରାମର ଧର୍ମେନ୍ଦ୍ର ସ୍ବାଇଁ (୩୦)ଙ୍କୁ ଥାନାକୁ ଆଣିଥିଲା। ଯୁବକଙ୍କ କଥାବାର୍ତ୍ତାରୁ ସେ ମାନସିକ ରୋଗୀ ବୋଲି ସନ୍ଦେହ ହୋଇଥିଲା। ବୁଧବାର ଘରେ ଛାଡ଼ିଦେବାକୁ ଧର୍ମେନ୍ଦ୍ର ଥାନାର ଡ୍ରାଇଭର ଶିବୁ ପ୍ରସାଦ ବାରିକଙ୍କୁ କହିଥିଲେ। ପୋଲିସ କର୍ମଚାରୀମାନେ ତାଙ୍କୁ ଗାଡ଼ି (ନଂ. ଓଡ଼ି ୦୫ ଏପି ୨୭୧୬)ରେ ବସାଇଦେଇ ଆସିଥିଲେ। ଡ୍ରାଇଭର ଶିବୁ ପାଣି ବୋତଲ ନେବା ପାଇଁ ଥାନାକୁ ଆସିଥିଲେ। ଏହି ସୁଯୋଗରେ ପୋଲିସର ନାଲିବତି ଲାଗିଥିବା ଗାଡ଼ି ଧରି ଚମ୍ପଟ ମାରିଥିଲେ ଧର୍ମେନ୍ଦ୍ର। ସେ ଖୁଣ୍ଟୁଣି ଅଭିମୁଖେ ଯାଉଥିବା ଜଣାପଡ଼ିବା ପରେ ଟାଉନ ଥାନା ଓ ସଦର ଥାନାର ପିସିଆର ଭ୍ୟାନ୍‌ ପିଛା କରିଥିଲା। ଟାଉନ ଥାନା ପୋଲିସ ନିକଟରୁ ସୂଚନା ପାଇ ଖୁଣ୍ଟିଣୀ ଥାନା ପୋଲିସ ନାକାବନ୍ଦୀ କରିଥିବାବେଳେ ଚମ୍ପେଶ୍ୱର ନିକଟରୁ ଧର୍ମେନ୍ଦ୍ର ଧରାପଡ଼ିଥିଲେ। ଢେଙ୍କାନାଳ ଟାଉନ ଥାନା ପୋଲିସ ଅଭିଯୁକ୍ତଙ୍କୁ ହେପାଜତକୁ ନେଇଛି। ଡାକ୍ତରୀ ପରୀକ୍ଷା ପାଇଁ ତାଙ୍କୁ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଏ ନେଇ ସଦର ଏସ୍‌ଡିପିଓ ବିକାଶ ରଞ୍ଜନ ବେଉରାଙ୍କୁ ପଚାରିବାରୁ ଗାଡ଼ି ସହ ଯୁବକ ଧରାପଡ଼ିଛନ୍ତି। ସେ ମାନସିକରୋଗୀ କି ନୁହନ୍ତି, ତାହାର ଯାଞ୍ଚ ଚାଲିଛି। ତଦନ୍ତ ପ୍ରକ୍ରିୟା ସରିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।