ଭୁବନେଶ୍ୱର,୧।୭(ସୁନିତ୍ ମିଶ୍ର): ୧୯୯୭ ବ୍ୟାଚ୍ ଆଇପିଏସ୍ ଅଫିସର ଡି.ଏସ୍. କୁଟ୍ଟେ, ୧୯୯୮ ବ୍ୟାଚ୍ ଆଇପିଏସ୍ ରବି କାନ୍ତ, ୨୦୦୪ ବ୍ୟାଚ୍ ଆଇପିଏସ୍ ଆଶିଷ ସିଂ ଏବଂ ୨୦୧୦ ବ୍ୟାଚ୍ ଆଇପିଏସ୍ ମିତ୍ରଭାନୁ ମହାପାତ୍ର ଗତ ବିଜେଡି ସରକାର ସମୟରେ ସବୁଠାରୁ କ୍ଷମତାଶାଳୀ ଅଫିସର ଥିଲେ। ଓଡ଼ିଶାରେ ସରକାର ବଦଳିବାର କିଛି ମାସ ଭିତରେ ଏମାନେ ସବୁ ରାଜ୍ୟ ଛାଡ଼ି କେନ୍ଦ୍ରୀୟ ଡେପୁଟେଶନରେ ଚାଲିଯାଇଛନ୍ତି। ସମସ୍ତ ୪ଜଣ ଯାକ ଅଫିସର ବର୍ତ୍ତମାନ ପାରାମିଲିଟାରି ଫୋର୍ସରେ ଅଛନ୍ତି। ପାରାମିଲିଟାରିରେ ଦାୟିତ୍ୱ ପାଉଥିବା ଆଇପିଏସ୍ମାନେ ମୁଖ୍ୟତଃ ସେମାନଙ୍କୁ ନୂଆଦିଲ୍ଲୀସ୍ଥିତ ମୁଖ୍ୟାଳୟରେ ରଖାଯାଉ ବୋଲି ଚାହାନ୍ତି। ମାତ୍ର ଝାଡ଼ଖଣ୍ଡର ହଜାରିବାଗ୍ସ୍ଥିତ ମେରୁଠାରେ ଥିବା ବିଏସ୍ଏଫ୍ର ଟ୍ରେନିଂ ସେଣ୍ଟର ଆଣ୍ଡ ସ୍କୁଲରେ ଯଦି ଆଇଜି ଭାବେ ଫିଲ୍ଡ ଦାୟିତ୍ୱ ମିଳିଯାଏ, ତେବେ ସେଥିରେ ଆଇପିଏସ୍ ଅଫିସରମାନଙ୍କ ଖୁସି ଉଡ଼ିଯାଏ। କାରଣ ପାରାମିଲିଟାରିରେ ଫିଲ୍ଡରେ କିଛି ଦାୟିତ୍ୱ ରହେନାହିଁ। ଖାଲିରେ କେବଳ ଗୋଟିଏ ଅଫିସ୍ ଭିତରେ ବସିବାକୁ ପଡ଼େ। ଦିନକୁ ଅତ୍ୟଧିକ ହେଲେ ୨ରୁ ୩ ଘଣ୍ଟା କିଛି ଯଦି କାମ ରହେ, ନ ହେଲେ ଉପାନ୍ତ ଅଞ୍ଚଳରେ ଖାଲିରେ ବସିବାକୁ ପଡ଼େ। କୁଟ୍ଟେ ବର୍ତ୍ତମାନ ହଜାରିବାଗ୍ର ସେହି ଦାୟିତ୍ୱରେ ଅଛନ୍ତି। ସେହିପରି ରବିକାନ୍ତ ବର୍ତ୍ତମାନ ବିଏସ୍ଏଫ୍ ଆଇଜି ଭାବେ ମଣିପୁରରେ ଅଛନ୍ତି। ସେ ମଧ୍ୟ ଫିଲ୍ଡରେ ଅଛନ୍ତି। ସେହିପରି ମିତ୍ରଭାନୁ ମହାପାତ୍ର ପଶ୍ଚିମବଙ୍ଗର ମାଲଦାଠାରେ ବିଏସ୍ଏଫ୍ ଡିଆଇଜି ଭାବେ ଫିଲ୍ଡରେ ଅଛନ୍ତି। ଆଇପିଏସ୍ ଅଫିସର ଆଶିଷ ସିଂ ଓଡ଼ିଶାରୁ ଡେପୁଟେଶନରେ ଯିବା ପରେ ଆସାମର ଗୁଆହାଟୀରେ ଆଇଟିବିପି(ଇଣ୍ଡୋ-ଟିବେଟାନ ବର୍ଡର ପୋଲିସ) ଆଇଜି ଭାବେ ନିଯୁକ୍ତ ହୋଇଥିଲେ। ସେଠାରେ ମଧ୍ୟ ଦୀର୍ଘଦିନ ପର୍ଯ୍ୟନ୍ତ ଆଶିଷ ସିଂଙ୍କୁ ଫିଲ୍ଡରେ ଡ୍ୟୁଟି କରିବାକୁ ପଡ଼ିଥିଲା। ମାତ୍ର ଗତ ୩ ମାସ ତଳେ ସେ ଆଇଟିବିପିର ନୂଆଦିଲ୍ଲୀ ମୁଖ୍ୟାଳୟକୁ ବଦଳି ହୋଇଛନ୍ତି।
ସୂଚନାଯୋଗ୍ୟ, ବିଶେଷ ଭାବେ କୁଟ୍ଟେ ଏବଂ ଆଶିଷ ସିଂ ଗତ ସରକାରରେ ବହୁ କ୍ଷମତାଶାଳୀ ଥିଲେ। ଏକଥା ସରକାରୀସ୍ତରଠାରୁ ଆରମ୍ଭକରି ସବୁ ଦଳର ରାଜନେତାମାନଙ୍କୁ ଜଣାଥିଲା। ଏପରିକି ସେତେବେଳେ ରାଜ୍ୟ ସରକାରଙ୍କ ସବୁକିଛି ବଡ଼ ନିଷ୍ପତ୍ତି ଏହି ଅଫିସରମାନଙ୍କ ଜରିଆରେ ଏକ ପ୍ରକାର ନିଆଯାଉଥିଲେ। ମିତ୍ରଭାନୁ ମହାପାତ୍ର ଏବଂ ରବିକାନ୍ତ ମଧ୍ୟ ଶାସକ ଦଳ ପାଇଁ କାମ କରୁଛନ୍ତି ବୋଲି ଅଭିଯୋଗ ଆସିଥିଲା। ଏହାପରେ ସେମାନେ ଡେପୁଟେଶନ ପାଇଁ ଆବେଦନ କରିଥିଲେ। କେନ୍ଦ୍ର ମଧ୍ୟ ସଙ୍ଗେ ସଙ୍ଗେ ଅନୁମୋଦନ ଦେଇଥିଲା। ଭାଜପା ଶାସନକୁ ଆସିଲେ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଯାହା କହୁଥିଲା ସେଗୁଡା କେବଳ ପାଣିର ଗାର ହୋଇ ରହିଗଲା। ମାତ୍ର ଏହି ଆଇପିଏସ୍ ଅଫିସରମାନେ କାଲି ପର୍ଯ୍ୟନ୍ତ ଯେମିତି ଶକ୍ତିଶାଳୀ ଥିଲେ ଏବେ ବିନା କାମରେ ଦିନ କାଟୁଛନ୍ତି।