ବଡ଼ ଖବର! ଗଣଶିକ୍ଷା ସଚିବଙ୍କ ସୂଚନା, ଦଶମ-ଦ୍ୱାଦଶ ପାଇଁ ହେବ ଗୋଟିଏ ବୋର୍ଡ

ଭୁବନେଶ୍ୱର, ୭।୯: ଦଶମ ଓ ଦ୍ବାଦଶ ପରୀକ୍ଷା ନେଇ ବଡ଼ ସୂଚନା ଦେଲେ ଗଣଶିକ୍ଷା ସଚିବ । ଏଣିକି ଦଶମ ଓ ଦ୍ବାଦଶ ପରୀକ୍ଷା ପାଇଁ ଗୋଟିଏ ବୋର୍ଡ କାର୍ଯ୍ୟ କରିବ  । ଏନେଇ ସୂଚନା ଦେଲେ ଗଣଶିକ୍ଷା ସଚିବ ଏନ୍‌ ତିରୁମାଲା ନାୟକ । ଆଉ ଆଗକୁ BSE ଓ CHSE ଅଲଗା ଅଲଗା ବୋର୍ଡ ରହିବ ନାହିଁ ।  ଦଶମ ଓ ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ ଗଠନ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଥିବା ନେଇ ସେ କହିଛନ୍ତି ।

ଗଣଶିକ୍ଷା ସଚିବଙ୍କ କହିବା ଅନୁସାରେ, ଆଗକୁ ମାଧ୍ୟମିକ ଶିକ୍ଷା ପରିଷଦ (BSE) ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଅଲଗା ଅଲଗା ବୋର୍ଡ ଭାବେ ରହିବ ନାହିଁ। ଦଶମରୁ ଦ୍ୱାଦଶ ପର୍ଯ୍ୟନ୍ତ ଶିକ୍ଷା ଓ ପରୀକ୍ଷା ବ୍ୟବସ୍ଥାକୁ ଗୋଟିଏ ବୋର୍ଡ ଅଧୀନକୁ ଆଣିବା ନେଇ ପଦକ୍ଷେପ ନିଆଯିବ।

ଏହି ପରିବର୍ତ୍ତନ ଲାଗୁ ହେଲେ ଦଶମ ଓ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା, ଶିକ୍ଷା ବ୍ୟବସ୍ଥା ଓ ଅନ୍ୟାନ୍ୟ ପ୍ରକ୍ରିୟା ଗୋଟିଏ ବୋର୍ଡ ମାଧ୍ୟମରେ ପରିଚାଳିତ ହେବ। ଏହାଦ୍ୱାରା ଦୁଇଟି ବୋର୍ଡର ପୃଥକ ପ୍ରଶାସନିକ ବ୍ୟବସ୍ଥାରେ ପରିବର୍ତ୍ତନ ଆସିପାରେ।

ବର୍ତ୍ତମାନ BSE ଦଶମ ଶ୍ରେଣୀ ସମେତ ବିଭିନ୍ନ ମାଧ୍ୟମିକ ପରୀକ୍ଷା ପରିଚାଳନା କରୁଥିବାବେଳେ CHSE +2 ଅର୍ଥାତ୍ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଓ ଫଳ ପ୍ରକାଶନ ଭଳି କାର୍ଯ୍ୟ କରୁଛି। ଗୋଟିଏ ବୋର୍ଡ ଗଠନ ହେଲେ ଦଶମରୁ ଦ୍ୱାଦଶ ଯାଏଁ ଶିକ୍ଷା ବ୍ୟବସ୍ଥାରେ ସମନ୍ୱୟ ବଢ଼ିବା ସହ ପରୀକ୍ଷା ପରିଚାଳନା ଓ ପ୍ରଶାସନିକ କାର୍ଯ୍ୟ ସରଳ ହୋଇପାରେ। ତେବେ ଏହି ବ୍ୟବସ୍ଥା କେବେଠାରୁ ଲାଗୁ ହେବ ଏବଂ ନୂଆ ବୋର୍ଡର ଗଠନ କିପରି ହେବ, ସେନେଇ ବିସ୍ତୃତ ସୂଚନା ମିଳିପାରି ନାହିଁ ।

 

Dharitri – Odisha’s No.1 Odia Daily

Share