୭୫ ମିଟର ବାହାରେ ହେବ ଅଢ଼େଇ ମିଟର ରାସ୍ତା

ପୁରୀ ଅଫିସ,୪।୩: ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଏବେ ଜୋରସୋରରେ ଆଗେଇ ଚାଲିଛି। ଗୁରୁବାର ଓଡ଼ିଶା ସେତୁ ନିର୍ମାଣ ନିଗମ(ଓବିସିସି)ର ବରିଷ୍ଠ ଅଧିକାରୀ ଓ କର୍ତ୍ତୃପକ୍ଷମାନେ ପୁରୀ ଆସି ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଶ୍ରୀମନ୍ଦିର ଚାରିପାଖ ବୁଲି ଦେଖିବା ସହ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବୁଝିଛନ୍ତି। ମେଘନାଦ ପ୍ରାଚୀରଠାରୁ ୭୫ ମିଟର ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଚାଲୁଥିବା ବେଳେ ସାହି ଗଳିକୁ ଲାଗିଥିବା ରାସ୍ତା ସମ୍ପୂର୍ଣ୍ଣ ପ୍ରକଳ୍ପ ମଧ୍ୟରେ ଚାଲିଆସୁଛି। ଫଳରେ ବଡ଼ଦାଣ୍ଡକୁ ସାହିବାସିନ୍ଦାଙ୍କ ସିଧାସଳଖ ଯାତାୟାତ ବାଧାପ୍ରାପ୍ତ ହେବ। ଏହାକୁ ଦୃଷ୍ଟିରେ ରଖି ୭୫ ମିଟର ଶେଷ ହେଉଥିବା ସ୍ଥାନରୁ ଅଢେଇ ମିଟରର ଏକ ରାସ୍ତା ନିର୍ମାଣ କରାଯିବ। ଏହା ସାହି ଗଳିରୁ ବାହାରି ପ୍ରକଳ୍ପର ପାର୍ଶ୍ୱ ଦେଇ ବଡ଼ଦାଣ୍ଡଠାରେ ବାହାରିବ। ଫଳରେ ଶ୍ରୀମନ୍ଦିର ଚାରିପାଖରେ ଥିବା ବାସିନ୍ଦାମାନେ ବଡ଼ଦାଣ୍ଡକୁ ଯିବା ସହଜ ହେବ। ବିଶେଷ ଭାବେ ପଶ୍ଚିମପଟେ ଏଭଳି ରାସ୍ତା ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଓବିସିସି ପକ୍ଷରୁ ସୂଚନା ମିଳିଛି। ଓବିସିସିର ପ୍ରକଳ୍ପ ଅଧିକାରୀ ପ୍ରଭାତ ପାଣିଗ୍ରାହୀ, ଓବିସିସି ଏମ୍‌ଡି ଜୟକୃଷ୍ଣ ଦାଶ ଓ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର କାର୍ଯ୍ୟକୁ ତ୍ୱରିତ ବେଗରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳ ସମର୍ଥ ବର୍ମା, ଉପଜିଲାପାଳ ଭବତାରଣ ସାହୁ, ଓବିସିସି ଅଧିକାରୀ ଓ ଟାଟା କମ୍ପାନୀ ଲିମିଟେଡ୍‌ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଓବିସିସି ପକ୍ଷରୁ ଏହା ପ୍ରଥମ ପର୍ଯ୍ୟାୟ ସମୀକ୍ଷା। ପ୍ରକଳ୍ପ କାର୍ଯ୍ୟ ଟାଟା କମ୍ପାନୀ ଓ ଓବିସିସିର ମିଳିତ ଉଦ୍ୟମରେ ପରିଚାଳିତ ହେଉଥିବା ହେତୁ ପ୍ରଥମ ପର୍ଯ୍ୟାୟରେ କେତେ କାର୍ଯ୍ୟ ଲକ୍ଷ୍ୟ ରଖାଯାଇଥିଲା ଓ ଧାର୍ଯ୍ୟ ସମୟସୀମା ମଧ୍ୟରେ ଏହା ହୋଇପାରିଛି ନାହିଁ ସେନେଇ କମ୍ପାନୀର ଅଧିକାରୀଙ୍କ ସହ ଓବିସିସିର ଅଧିକାରୀମାନେ ଆଲୋଚନା କରିଥିଲେ।