ସ୍କୁଲରେ ହେବ ସୋସିଆଲ ଅଡିଟ୍‌

ଭୁବନେଶ୍ୱର, ୮।୧୦(ଅସମାପିକା ସାହୁ)ସମଗ୍ର ଶିକ୍ଷା ଯୋଜନା ଅଧୀନରେ ବିଦ୍ୟାଳୟସ୍ତରୀୟ ସୋସିଆଲ ଅଡିଟ୍‌ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସୋସିଆଲ ଅଡିଟ୍‌ ୟୁନିଟ୍‌ (ଓସାଟ୍‌) ସହ ଓସେପାର ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ସମନ୍ବିତ ବିଦ୍ୟାଳୟ ଶିକ୍ଷା ଯୋଜନା ଅଧୀନରେ ପ୍ରାକ୍‌-ବିଦ୍ୟାଳୟ ଶ୍ରେଣୀଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ସମଗ୍ର ଦେଶରେ ଶିକ୍ଷାର ଗୁଣାତ୍ମକ ମାନରେ ବ୍ୟାପକ ବିକାଶ ଏବଂ ଉନ୍ନତି ସୁନିଶ୍ଚିତ କରିବା ଏହାର ଉଦ୍ଦେଶ୍ୟ। ଯୋଜନାର କାର୍ଯ୍ୟକାରିତାରେ ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ୱ ବୃଦ୍ଧି କରିବା ପାଇଁ ସାମାଜିକ ଅଡିଟ୍‌ ବ୍ୟବସ୍ଥା ଆରମ୍ଭ ହୋଇଛି। ଏହି ଅଡିଟ୍‌ ସମଗ୍ର ଶିକ୍ଷାର ମନିଟରିଂ ଏବଂ ଟ୍ରାକିଂ ବ୍ୟବସ୍ଥା ପାଇଁ ସ୍ବାଧୀନ ଭାବରେ କାର୍ଯ୍ୟ କରିବ। ଏହି ଯୋଜନା ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ, ପଦକ୍ଷେପ ଏବଂ କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ସଂଗ୍ରହ କରାଯିବ। ଏଥିସହିତ ତୃଣମୂଳ ସ୍ତରରେ ବିଶେଷକରି ବିଦ୍ୟାଳୟଗୁଡ଼ିକରୁ ଅଂଶୀଦାରଙ୍କଠାରୁ ମତାମତ ସଂଗ୍ରହ ଉପରେ ଗୁରୁତ୍ୱ ଦିଆଯିବ। ସମଗ୍ର ଶିକ୍ଷା କାର୍ଯ୍ୟକାରିତା ପ୍ରକ୍ରିୟାରେ ଜନସାଧାରଣଙ୍କ ଉତ୍ତରଦାୟିତ୍ୱ ବୃଦ୍ଧି କରିବା ଏହି ପଦକ୍ଷେପର ଅନ୍ୟତମ ଲକ୍ଷ୍ୟ। ନିର୍ଦ୍ଦେଶାବଳୀ ଅନୁଯାୟୀ, ସୋସିଆଲ ଅଡିଟ୍‌ ୟୁନିଟ୍‌ ୫ବର୍ଷ ମଧ୍ୟରେ ସମସ୍ତ ସରକାରୀ ବିଦ୍ୟାଳୟ ପାଇଁ ସୋସିଆଲ ଅଡିଟ୍‌ କରିବ।