୨୨ ଜିଲାରେ ହେବ ୫୫ ବସ୍‌ଷ୍ଟାଣ୍ଡ

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ):ରାଜ୍ୟରେ ଗ୍ରାମାଞ୍ଚଳ ଯୋଗାଯୋଗ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଗୁରୁବାର ଭର୍ଚୁଆଲ ମୋଡ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୨ ଜିଲାର ୫୫ଟି ବସ୍‌ଷ୍ଟାଣ୍ଡର ଶିଳାନ୍ୟାସ କରିଛନ୍ତି। ଜିଲା ମୁଖ୍ୟାଳୟରୁ ଯାତାୟାତ ଦୂରତ୍ୱ, ଆର୍ଥିକ କାର୍ଯ୍ୟକଳାପ, ପର୍ଯ୍ୟଟକମାନଙ୍କ ଆଗମନକୁ ଏବଂ ଅନ୍ୟାନ୍ୟ ଦିଗଗୁଡିକୁ ଦୃଷ୍ଟିରେ ରଖି ବସ୍‌ଷ୍ଟାଣ୍ଡଗୁଡିକ ବ୍ଲକସ୍ତରରେ ନିର୍ମାଣ ହେବ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗ୍ରାମାଞ୍ଚଳରେ ଯୋଗାଯୋଗକୁ ସୁଗମ କରିବା ରାଜ୍ୟ ସରକାର ସର୍ବଦା ପ୍ରାଥମିକତା ଦେଇଆସିଛନ୍ତି। ଏହି ନୂତନ ପଦକ୍ଷେପ ଗ୍ରାମାଞ୍ଚଳର ଲୋକମାନଙ୍କୁ ଉନ୍ନତ ଯୋଗାଯୋଗ ଭିତ୍ତିଭୂମି ସହ ଯୋଡ଼ିବା ଓ ଯୋଗାଯୋଗ କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ ହେବ। ଏହି ପଦକ୍ଷେପ ପାଇଁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସ୍‌ଆର୍‌ଟିସି)କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇ କହିଛନ୍ତି, ଓଏସ୍‌ଆର୍‌ଟିସି ସମଗ୍ର ରାଜ୍ୟରେ ପହଞ୍ଚିବା ଏବଂ ଭିତ୍ତିଭୂମି ବିକାଶ ତଥା ପ୍ରଭାବଶାଳୀ ଯୋଗାଯୋଗ ନେଟୱର୍କର ଏକୀକରଣ ମାଧ୍ୟମରେ ଲୋକଙ୍କୁ ସଂଯୋଗ କରିବାରେ ନୂତନ ପଦକ୍ଷେପ ନେଉଛି।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଗ୍ରାମାଞ୍ଚଳ ଲୋକଙ୍କୁ ଉନ୍ନତ ଯୋଗାଯୋଗ ଭିତ୍ତିଭୂମି ଯୋଗାଇଦେବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ ସାକାର କରିବା ଦିଗରେ ପରିବହନ ବିଭାଗ କାମ କରୁଛି। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି. କେ. ପାଣ୍ଡିଆନ୍‌ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବାଣିଜ୍ୟ ଓ ପରିବହନ ବିଭାଗର ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢୀ ସ୍ବାଗତ ଭାଷଣ ଦେଇଥିଲେ। ଓଏସ୍‌ଆର୍‌ଟିସି ସିଏମ୍‌ଡି ଧନ୍ୟବାଦ ଦେଇଥିଲେ। ଜିଲାସ୍ତରୀୟ କାର୍ଯ୍ୟକ୍ରମରେ ମନ୍ତ୍ରୀ, ଏମ୍‌ପି, ବିଧାୟକମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଜିଲାପାଳ ଏବଂ ପରିବହନ ଅଧିକାରୀ ଉପସ୍ଥିତ ଥିଲେ।