ଆସୁଛି ଆଉ ୨ ଲଘୁଚାପ, ୧୦ଦିନ ବର୍ଷିବ

ଭୁବନେଶ୍ୱର,୨୦।୯(ବ୍ୟୁରୋ): ବଙ୍ଗୋପସାଗରକୁ ଲଗାତାର ଆଉ ଦୁଇଟି ଲଘୁଚାପ ଆସୁଛି। ଫଳରେ ଆସନ୍ତା ୧୦ ଦିନ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ‘ସେଣ୍ଟର ଫର୍‌ ଏନ୍‌ଭର୍ଣ୍ଣମେଣ୍ଟ ଆଣ୍ଡ୍‌ କ୍ଲାଇମେଟ୍‌’ ଏଭଳି ଆକଳନ କରି କହିଛି, ଦକ୍ଷିଣ ଚୀନ ସାଗରରୁ ଘୂର୍ଣ୍ଣିବଳୟ ଆସୁଛି। ଏହା ପଶ୍ଚିମାଞ୍ଚଳ ମିଆମାର ଏବଂ ଥାଇଲାଣ୍ଡ ଦେଇ ବଙ୍ଗୋପସାଗରେ ପହଞ୍ଚତ୍ବ। କ୍ରମଶଃ ଏହା ଘନୀଭୂତ ହୋଇ ଆସନ୍ତା ୨୫ ଓ ୨୮ ତାରିଖରେ ଦୁଇଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ପ୍ରଭାବରେ ବିଶେଷକରି ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ଉକ୍ତ ପାଣିପାଗ ସଂସ୍ଥା ଆଶଙ୍କା କରିଛି।
ସଂସ୍ଥାର ସୂଚନାନୁସାରେ, ୨୪ ତାରିଖରେ ଆସୁଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ବଙ୍ଗୋପସାଗରରେ ୨୫ ତାରିଖରେ ଲଘୁଚାପ ହେବ। ସେହିପରି ୨୬ ତାରିଖରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୮ ତାରିଖରେ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଆଉଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ଯୋଗୁ ବନ୍ୟା ହେବାର ଆଶଙ୍କା ରହିଥିବା ସୂଚନା ଦିଆଯାଇଛି।
ଏପଟେ ସାରା ରାଜ୍ୟରେ ଲଘୁଚାପଜନିତ ବର୍ଷା ଜାରି ରହିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ଖୋର୍ଦ୍ଧା, ପୁରୀ, ମୟୂରଭଞ୍ଜ, କେଉଁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଢେଙ୍କାନାଳ, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ନୟାଗଡ଼ ଓ କଳାହାଣ୍ଡିରେ ଅଧିକ ବର୍ଷା ହୋଇଛି। ରବିବାର ଭାବନୀପାଟଣାରେ ସର୍ବାଧିକ ୭୮ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ନୟାଗଡ଼ ୫୧, ଟିଟିଲାଗଡ଼ ୪୫, ଗୋପଳପୁର ୩୮, ପାରଳାଖେମୁଣ୍ଡି ୩୫, ଭୁବନେଶ୍ୱର ୩୪.୪, କଟକ ୨୬, ଦାରିଙ୍ଗବାଡ଼ି ୧୫ ମିମି ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟା ରାଜ୍ୟର କେଉଁଝର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ବରଗଡ଼, ନୂଆପଡ଼ା ଓ ବଲାଙ୍ଗୀର ଆଦି ୮ ଜିଲାରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପ୍ରକାଶ କରିଛି। ପ୍ରବଳ ବର୍ଷା ନେଇ ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।
ଅପରପକ୍ଷେ ରାଜ୍ୟରେ ଗତ କିଛିଦିନ ହେବ ଲଗାତାର ବର୍ଷା ହେଉଥିଲେ ମଧ୍ୟ ଏବେ ବି ରାଜ୍ୟରେ ନିଅଣ୍ଟିଆ ସ୍ଥିତି ଲାଗି ରହିଛି। ରାଜ୍ୟରେ ଏବେ ୧୨% ଅଭାବୀ ବର୍ଷା ଦେଖାଯାଇଥିବାବେଳେ ୧୦ ଜିଲାରେ ନିଅଣ୍ଟିଆ ବର୍ଷା ହୋଇଛି। ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ସମ୍ବଲପୁରରେ ସ୍ବାଭାବିକଠାରୁ ସର୍ବାଧିକ ୩୧% କମ୍‌ ବର୍ଷା ହୋଇଛି। ସେହିପରି ଝାରସୁଗୁଡ଼ା, କଳାହାଣ୍ଡି, ନବରଙ୍ଗପୁର, ବଲାଙ୍ଗୀର, ଯାଜପୁର, କେନ୍ଦୁଝର, ଭଦ୍ରକ, ଗଜପତି ଓ ଦେବଗଡ଼ ଜିଲାରେ ମଧ୍ୟ ନିଅଣ୍ଟିଆ ବର୍ଷା ହୋଇଛି।