ଆମେ ସଚେତନ ହୋଇ ଦୈନନ୍ଦିନ ଜୀବନ ଓ କାର୍ଯ୍ୟଧାରାରେ ପରିବର୍ତ୍ତନ ଆଣିଲେ ହିଁ ଏକ ସୁନ୍ଦର ପରିବେଶ ସୃଷ୍ଟି କରିପାରିବା। ପାଣି, ଶବ୍ଦ ଓ ବିଦ୍ୟୁତ୍କୁ କମ୍ ଖର୍ଚ୍ଚ କରିବା। ଆମ ପିଲାଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ବହୁ ପରିଶ୍ରମ କରୁଛୁ। ଭବିଷ୍ୟତ ପିଢ଼ିଙ୍କୁ ସୁରକ୍ଷିତ ରଖିବା ପାଇଁ ଆମକୁ ପ୍ଲାଷ୍ଟିକ କମ୍ କରିବାକୁ ପଡ଼ିବ। ଛୋଟ ଛୋଟ ପ୍ରୟାସ ହିଁ ଆମକୁ ସୁରକ୍ଷିତ ରଖିପାରିବ। ସମସ୍ତଙ୍କ ସହଯୋଗରେ ଭବିଷ୍ୟତ ପିଢ଼ିଙ୍କ ପାଇଁ ଏକ ସୁନ୍ଦର ପରିବେଶ ତିଆରି କରିହେବ।
ଅର୍ଚ୍ଚିତା ସାହୁ, ଅଭିନେତ୍ରୀ
ପରିବେଶରୁ ପ୍ଲାଷ୍ଟିକକୁ ଦୂର କରାଯାଉ
ପରିବେଶରୁ ପ୍ଲାଷ୍ଟିକକୁ ଦୂର କରାଯାଉ
ପରିବେଶରୁ ପ୍ଲାଷ୍ଟିକ ହଟାଇବାକୁ ଗୁରୁତ୍ୱ ଦିଆଯାଉ। ପ୍ଲାଷ୍ଟିକ ବଦଳରେ କାଗଜ ଓ କପଡ଼ା ବ୍ୟାଗକୁ ବ୍ୟବହାର କରିପାରିବା। ସହରାଞ୍ଚଳରେ ସମସ୍ତ ପ୍ରକାରର ସୁବିଧା ପାଇଁ ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ଲୋକମାନେ ଆସିଛନ୍ତି। ସେଥିପାଇଁ ଜଙ୍ଗଲ କାଟି ସେଠାରେ ବଡ଼ ବଡ଼ କୋଠା ତିଆରି କରାଯାଉଛି। କିନ୍ତୁ ଗ୍ରାମାଞ୍ଚଳରେ ସମସ୍ତ ସୁବିଧା ମିଳିଲେ, ସେମାନେ ସହରାଞ୍ଚଳ ମୁହଁା ହୁଅନ୍ତେ ନାହିଁ। ପରିବେଶ ସୁରକ୍ଷିତ ପାଇଁ ଏସବୁ ଦିଗକୁ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ।
ପରମେଶ୍ୱର ଦେ, ଛାତ୍ର
ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ, ବାଲେଶ୍ୱର
ଗଛ ଲଗାଇଲେ ପରିବେଶ ସ୍ଥିତି ବଦଳିବ
ଆଧୁନିକୀକରଣ ନାମରେ ପ୍ରାକୃତିକ ପରିବେଶକୁ ନଷ୍ଟ କରୁଛୁ। ବଡ ବଡ଼ ଗଛ କାଟି ସୁଉଚ୍ଚ ଅଟାଳିକା, ଶିଳ୍ପ କଳକାରଖାନା ଓ ଭିତ୍ତିଭୂମି ବିକାଶ କରୁଛୁ। କିନ୍ତୁ ସେହି ଅନୁସାରେ ଗଛ ଲଗାଇ ତାକୁ ବଡ଼ କରାଯାଇ ପାରୁ ନ ଥିବାରୁ ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ବିପର୍ଯ୍ୟୟକୁ ଆମେ ସାମ୍ନା କରୁଛୁ। ବ୍ୟାପକ ଗଛ ଲଗାଇଲେ ହିଁ ପରିବେଶ ସ୍ଥିତି ବଦଳିବ। ଅଳିଆ ଆବର୍ଜନାକୁ ବାହାରେ ନ ପକାଇ ଡଷ୍ଟବିନରେ ପକାଇବାକୁ ପଡିବ। ସମସ୍ତଙ୍କୁ ଗୋଟିଏ ଲେଖାଏ ଗଛ ଲଗାଇବାକୁ ମୁଁ ଅନୁରୋଧ କରୁଛି। ସବୁଜିମା ପରିବେଶ ସୃଷ୍ଟି ହେଲେ ହିଁ ଆମେ ସୁରକ୍ଷିତ ଭାବେ ବଞ୍ଚତ୍ପାରିବା।
ଋତୁରାଣୀ କର, ଛାତ୍ରୀ, ଧର୍ମଶାଳା ମହାବିଦ୍ୟାଳୟ
ଗଛ ଯୋଗୁ ଅଧିକାଂଶ ସମସ୍ୟା ଦୂର ହେଉଛି
ପେଟ୍ରୋଲ ଗାଡ଼ିରୁ ନିର୍ଗତ ହେଉଥିବା ଧୂଆଁ ପରିବେଶକୁ ବହୁ ମାତ୍ରାରେ ପ୍ରଦୂଷିତ କରୁଛି। ସେଥିପାଇଁ ଖରାଦିନେ ବର୍ଷା ହେଉଛି, ଶୀତଦିନେ ଖରା ହେଉଛି। ତେଣୁ ପେଟ୍ରୋଲ ଗାଡ଼ି ପରିବର୍ତ୍ତେ ବ୍ୟାଟେରି ଗାଡ଼ି ବ୍ୟବହାର କରିବା ଉଚିତ। ସେହିପରି ସମସ୍ତେ ନିଜ ଜନ୍ମ ଦିନରେ ଗୋଟିଏ ଲେଖାଏ ଗଛ ଲଗାନ୍ତୁ। ଗଛ ପାଇଁ ଆମକୁ ସ୍ବଚ୍ଛ ବାୟୁ ମିଳିପାରିବ। ଖରାଦିନେ ଗଛ ତଳର ଥଣ୍ଡା ଛାଇରେ ଛିଡ଼ା ହେବାକୁ ସୁଯୋଗ ମିଳିବ। ଏଭଳି ଗଛ ମନୁଷ୍ୟର ଅଧିକାଂଶ ଆବଶ୍ୟକତାକୁ ମେଣ୍ଟାଇବା ସହ ଅସୁବିଧାକୁ ଦୂର କରିପାରୁଛି।
ସୁକାନ୍ତି ମହାପାତ୍ର, ଛାତ୍ରୀ, ଖୋର୍ଦ୍ଧା ମହିଳା କଲେଜ