ଏବେ ବି ଚୁଆ ପାଣି ଭରସା

ଚମ୍ପୁଆ, ୮ା୪(ଡି.ଏନ୍‌.ଏ.) କେନ୍ଦୁଝର ଜିଲା ଚମ୍ପୁଆ ଏନ୍‌ଏସିରେ ଦେଖିବାକୁ ମିଳିଛି ଏକ ବିକଳ ଚିତ୍ର। ଆଜି ପାଣି ପାଇଁ ଚୁଆ ଉପରେ ନିର୍ଭର କରୁଛନ୍ତି ମାଛଘାଟ ସାହି ବାସୀନ୍ଦା। ଚମ୍ପୁଆ ପଞ୍ଚାୟତରୁ ଏନ୍‌ଏସି ଘୋଷଣା ହେବା ପ୍ରାୟ ୬ ବର୍ଷ ବିତି ଯାଇଥିଲେ ମଧ୍ୟ ୧ ନମ୍ବର ୱାର୍ଡ ଗୋଧୂଳି ଗ୍ରାମର ମାଛଘାଟ ସାହି ବାସୀନ୍ଦାମାନେ ଜଳ କଷ୍ଟ ନିବାରଣ ପାଇଁ ନାଳରୁ ଚୁଆ ଖୋଳି ଜଳ ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି। ମୌଳିିକ ଅସୁବିଧା ଗୁଡିକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ ଆଶା କରାଯାଇଥିଲେ ମଧ୍ୟ ତାହା ଏବେ ଆଶାରେ ରହିଯାଇଛି। ରାସ୍ତାଘାଟ, ବିଜୁଳି ଓ ପାନୀୟ ଜଳକୁ ଅଧିକ ଗୁରୁତ୍ୱ ଦେଉଥିବା ଏନ୍‌ଏସିର ନଜର ଏହା ଉପରେ ପଡି ପାରୁନାହିଁ।
ଅନୁସାରେ, ଗୋଧୂଳି ଓ ଶିରିପୁର ସୀମାରେ ଅବସ୍ଥିତ ଏହି ମାଛଘାଟ ସାହିରେ ପ୍ରାୟ ଶତାଧିକ ଲୋକ ବସବାସ କରୁଛନ୍ତି। ମାତ୍ର ଏମାନଙ୍କ ପାଇଁ ପାନୀୟ ଜଳ ପାଲଟିଛି ଦୁଃସ୍ବପ୍ନ। ସକାଳ ହେଲେ ଜଳ ଚିନ୍ତା ଦୂର କରିବାକୁ ପାଖରେ ବୋହିଯାଉଥିବା ଏକ ନାଳରେ ଚୁଆ ଖୋଳି ଗାଁ ଲୋକେ ଜଳ ସଂଗ୍ରହ କରିଥାନ୍ତି। ଏହି ଜଳ ତାଙ୍କ ଜଳ କଷ୍ଟକୁ ମେଣ୍ଟାଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଉକ୍ତ ସାହିରେ ନକୂପଟିଏ ମଧ୍ୟ ବସି ପାରିଲା ନାହିଁ। ରାଜନୈତିକ ଦୃଷ୍ଟି କୋଣରୁ ଗୋଧୂଳି ଗ୍ରାମ ଏକ ମହତ୍ୱ ଗ୍ରାମ ଭାବେ ପରିଚିତ ହୋଇଥିବା ବେଳେ ଚମ୍ପୁଆ ଏନ୍‌ଏସିର ପ୍ରଥମ ୫ ବର୍ଷ ଚେୟାରମ୍ୟାନ ଭାବେ ଗୋଧୂଳି ଗ୍ରାମର ଜଣେ ମହିଳା ଦାୟିତ୍ୱ ନିର୍ବାହ କରିଥିଲେ। ତଥାପି ଏହି ମାଛଘାଟ ସାହି ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇଥିଲେ। ବର୍ଷା ଦିନେ ଉକ୍ତ ନାଳରେ ଗଳିଆ ପାଣି ଆସୁଥିବାରୁ ନିକଟସ୍ଥ ଗ୍ରାମ ଶିରପୁରରୁ ଏମାନେ ପାନୀୟ ଜଳ ସଂଗ୍ରହ କରିଥାନ୍ତି। ଏ ନେଇ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହାଙ୍କୁ ପଚାରିବାରୁ ମୁଁ ଉକ୍ତ ସମସ୍ୟା ବିଷୟରେ ଖବର ପାଇ ମାଛଘାଟ ସାହି ଯାଇଥିଲି। ଜନସ୍ବାସ୍ଥ୍ୟ ବିଭାଗ ଯନ୍ତ୍ରୀଙ୍କୁ ଏ ନେଇ ଚିଠି କରାଯାଇଛି। ଖୁବଶୀଘ୍ର ଏହାର ସମାଧାନ କରାଯିବ ବୋଲି କହିଛନ୍ତି।