ଗାଁକୁ ରାସ୍ତା ନାହିଁ ତ ଭୋଟ୍‌ ନାହିଁ

ମହାକାଳପଡ଼ା ,୨୫ା୧ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳ ପେଟଛେଲା ପଞ୍ଚାୟତ ୧୪ ନଂ. ୱାର୍ଡ ଜ୍ୱାଇଁପଡ଼ା ଗାଁକୁ ସବୁଦିନିଆ ରାସ୍ତା ନାହିଁ। ଗ୍ରାମବାସୀ ବର୍ଷା ଦିନରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ବିରୋଧରେ ସୋମବାର ପଡ଼ା ଗାଁର ମହିଳାମାନେ ଏକଜୁଟ ହୋଇ କହିଛନ୍ତି, ଗାଁକୁ ରାସ୍ତା ନାହିଁ ତ ଭୋଟ୍‌ ନାହିଁ। ଏଥର ଆମେ ମତଦାନକୁ ବର୍ଜନ କରିବୁ ବୋଲି ଚେତାବନୀ ଦେଇଛନ୍ତି।
ଏହି ପଡ଼ା ଗାଁରେ ନଳିନୀ ସରକାର, ବାବୁଲାଲ ଦେବନାଥ, ମଲ୍ଲିକା ବର୍ମନ, ରବି ମଣ୍ଡଳ, ନାରାୟଣ ଦେବନାଥ ପ୍ରମୁଖ କହିଛନ୍ତି, ୪୫ରୁ ଅଧିକ ପରିବାର ଦୀର୍ଘବର୍ଷ ହେଲା ବସବାସ କରୁଛନ୍ତି। ହେଲେ ପ୍ରଶାସନ ପକ୍ଷରୁ ରାସ୍ତାଟିଏ ହୋଇପାରୁନାହିଁ। ଫଳରେ ଏହି ପଡ଼ା ଗାଁର ଗର୍ଭବତୀ, ଗୁରୁତର ରୋଗୀମାନେ ଆମ୍ବୁଲାନ୍ସ ସେବାରୁ ବଞ୍ଚତ୍ତ ହେଉଛନ୍ତି। ଡାକ୍ତରଖାନା ଯିବାକୁ ହେଲେ ଭାରର ସାହାରା ନେବାକୁ ପଡୁଛି। କିଛି ବାଟ ଗଲା ପରେ ଆମ୍ବୁଲାନ୍ସରେ ରୋଗୀଙ୍କୁ ନିଆଯାଉଛି। ଛାତ୍ରୀଛାତ୍ରମାନେ ନିକଟ ବିଦ୍ୟାଳୟକୁ ଯାଇ ପାରୁନାହାନ୍ତି। ଏହି ସମସ୍ୟାକୁ ନେଇ ଜ୍ୱାଇଁପଡ଼ା ଗାଁର ମହିଳାମାନେ ପ୍ଲା କାର୍ଡ ଧରି ଗାଁ ପରିଭ୍ରମଣ କରି ବିଭିନ୍ନ ନାରାବାଜି କରିଥିଲେ। ଆମ ଗାଁକୁ ରାସ୍ତା ନାହିଁ ତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବୁ। କୌଣସି ରାଜନେତାଙ୍କୁ ଗାଁରେ ପୂରାଇ ଦିଆଯିବ ନାହିଁ ବୋଲି ବିଭିନ୍ନ ସ୍ଲୋଗାନ ଦେଇ ଚେତାବନୀ ଦେଇଛନ୍ତି। ପଡ଼ା ଗାଁର ମହିଳାମାନେ କହିବା କଥା, ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ଗାଁକୁ ସବୁଦିନିଆ ରାସ୍ତା ପାଇଁ ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କୁ ବହୁ ଗୁହାରି କଲୁ। ହେଲେ ରାଜନେତା ଓ ପ୍ରଶାସନିକ ଅଧିକାରୀମାନେ ଆମ କଥାକୁ ଶୁଣିଲେନି କି ସମସ୍ୟାର ସମାଧାନ କଲେ ନାହିଁ। ପାଖ ଗାଁରେ ଗଳି କନ୍ଦିରେ ପକ୍କା ଓ ଟାଇଲି ରାସ୍ତା ନିର୍ମାଣ ହେଉଛି। ଆମ ପଡ଼ା ଗାଁ ସେଥିରୁ ବଞ୍ଚତ୍ତ କରାଯାଇଛି। ଏ ନେଇ ସ୍ଥାନୀୟ ପ୍ରଶାସନଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଅପରପକ୍ଷେ ଭୋଟ ବେଳେ ସ୍ଥାନୀୟ ଜନ ପ୍ରତିନିଧିମାନେ ବିଭିନ୍ନ ପ୍ରତିଶ୍ରୁତି ଦେଉଛନ୍ତି। ହେଲେ ନିର୍ବାଚନ ସରିଲେ ସବୁ କିଛି ଭୁଲି ଯାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି।