ଲିଙ୍ଗ ନିରୂପଣ ଉପରେ ଲଗାମ ନାହିଁ

ନୟାଗଡ଼ ଅଫିସ,୨୩।୧:ନୟାଗଡ଼ ଜିଲାରେ ପିସି ପିଏନ୍‌ଡିଟି ଆଇନ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ଭ୍ରୂଣହତ୍ୟାକୁ ଲଗାମ ଦିଆଯାଇପାରୁନି ବୋଲିି ଅଭିଯୋଗ ହୋଇଆସୁଛି । ଜିଲାରେ ବିଭିନ୍ନ ସମୟରେ ଭ୍ରୂଣହତ୍ୟା ଧରାପଡିବା ପରେ ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟଦକ୍ଷତା ଉପରେ ସନ୍ଦେହ ସୃଷ୍ଟି ହୋଇଛି। ଭ୍ରୂଣହତ୍ୟା ଧରାପଡିଲେ ଅଳ୍ପ କିଛିଦିନ ପାଇଁ ଚଢ଼ାଉ, ଧରପଗଡ଼ କରି ଲୋକଦେଖାଣିଆ ଭାବେ କାମ ଶେଷ କରି ଦିଆଯାଉଛି । ଅନ୍ୟପକ୍ଷେ ଲିଙ୍ଗ ନିରୂପଣ କରୁଥିବା ନେଇ ସୂଚନା ଦେଲେ ସୂଚନାଦାତା ୨୫ ହଜାର ଟଙ୍କା ପୁରସ୍କାର ପାଇବେ ବୋଲି ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା ।
ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟବିଭାଗ ନୀରବ ରହିବା ସବୁ ସଫଳତାକୁ ବିଗାଡି ଦେଉଛି । ଅନ୍ୟପକ୍ଷେ ପିସି ପିଏନ୍‌ଡିଟି ପରାମର୍ଶ ବୈଠକରେ ସମୀକ୍ଷା କରାଯାଇ ପ୍ରସଙ୍ଗକୁ ଶୀତଳଭଣ୍ଡାରକୁ ଫୋପାଡି ଦିଆଯିବା ପରେ ବିଫଳତା ମିଳୁଛି ବୋଲି ଅଭିଯୋଗ ହୋଇଛି ା
ଲିଙ୍ଗ ନିରୂପଣ କରାଯାଉଥିବା ସଂକ୍ରାନ୍ତରେ ସୂଚନା ଦେଲେ ସୂଚନାଦାତା ୨୫ ହଜାର ଟଙ୍କା ପୁରସ୍କାର ପାଇବେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗଣମାଧ୍ୟକୁ ସୂଚନା ଦିଆଯାଇଥିଲା । ଲିଙ୍ଗ ନିରୂପଣ ନେଇ ସୂଚନା ଦେଇଥିବା ବ୍ୟକ୍ତିଙ୍କ ରିପୋର୍ଟ ସତ୍ୟତା ଜଣାପଡିଲେ ପ୍ରଥମେ ୧୦ ହଜାର ଟଙ୍କା ପୁରସ୍କାର ଦିଆଯିବ । ମାମଲା କୋର୍ଟକୁ ଗଲେ ପୁଣି ୧୦ ହଜାର ଓ ଦଣ୍ଡ ହେଲେ ପୁଣି ୫ ହଜାର ଟଙ୍କା ପୁରସ୍କାର ରାଶି ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା । ପୁରସ୍କାର ରାଶି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବହନ କରିବ । ଜନସାଧାରଣ ଏହାର ଫାଇଦା ନେଇ ଲିଙ୍ଗ ନିରୂପଣ କରୁଥିବା ବ୍ୟକ୍ତିଙ୍କୁ ଧରାଇବାକୁ ଗର୍ଭଧାରଣ ପୂର୍ବ ଓ ପ୍ରସୂତି ନିଦାନ କୌଶଳ(ପିସି ପିଏନ୍‌ଡିଟି) ପରାମର୍ଶ ସମିତି ବୈଠକରେ ଗତ ଡିସେମ୍ବର ୭ରେ ଜିଲାପାଳ ରବୀନ୍ଦ୍ର ନାଥ ସାହୁ କହିଥିଲେ ।
ଅପରପକ୍ଷେ ସହାୟକ ପ୍ରଜନନ ପ୍ରଯୁକ୍ତି ବିଦ୍ୟା ଅଧିନିୟମ ଓ ସରୋଗେସି ନିୟମାବଳୀର ଠିକ୍‌ ଅନୁପାଳନ ପୂର୍ବକ ଟେକ୍ନୋଲୋଜିର ଅପବ୍ୟବହାରକୁ ରୋକି ଗର୍ଭସ୍ଥ ଶିଶୁର ଜୀବନ ଅଧିକାର ରକ୍ଷା କରା ଯାଇ ପାରିବ ବୋଲି ସେ କହିଥିଲେ । ତେବେ ବୈଠକ ଶେଷ ପରେ ଯୋଜନାର ସଫଳତା ନେଇ ସ୍ବାସ୍ଥ୍ୟ ବିଭାଗର ପ୍ରଚେଷ୍ଟା ନ ଥିବା ଆଲୋଚନା ହେଉଛି ।