ମୃତଦେହ ରଖିବାକୁ ମର୍ଚୁରି ନାହିଁ

କାମାକ୍ଷାନଗର, ୩୧।୫(ଡି.ଏନ.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ମର୍ଚୁରି ନାହିଁ। ଫଳରେ ଅକସ୍ମାତ ମୃତ୍ୟୁ ଘଟୁଥିବା ରୋଗୀ ଏବଂ ପରିଚୟ ନ ଥିବା ମୃତଦେହଗୁଡ଼ିକ ଘଣ୍ଟାଘଣ୍ଟା ଧରି ବାହାରେ ପଡ଼ିରହୁଛି। ଏହାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିବାବେଳେ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଢେଙ୍କାନାଳ ଜିଲାର ପ୍ରମୁଖ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ମଧ୍ୟରେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ଅନ୍ୟତମ। ଏହା ଉପରେ କଙ୍କଡ଼ାହାଡ଼, ଭୁବନ ସମେତ ବହୁ ଗ୍ରାମାଞ୍ଚଳର ଶତାଧିକ ଜନସାଧାରଣ ନିର୍ଭର କରିଥାନ୍ତି। ବିଶେଷ କରି ହାତୀ ଆକ୍ରମଣର ଶିକାର ହେଲେ କିମ୍ବା ଦୁର୍ଘଟଣା ଘଟିଲେ ରୋଗୀ ଏଠାକୁ ବୁହା ହୋଇ ଆସିଥାଆନ୍ତି। ସେହିପରି କଙ୍କଡ଼ାହାଡ଼ ଭଳି ଆଦିବାସୀ ଅଧ୍ୟୁଷିତ ବ୍ଲକର ଗର୍ଭବତୀ, ପ୍ରସୂତିଙ୍କ ଲାଗି କାମାକ୍ଷାନଗର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ଆଶା ଭରସା ପାଲଟିଛି। ହେଲେ ଚିକିତ୍ସାଳୟରେ ମୃତଦେହ ସଂରକ୍ଷଣ ଲାଗି ସ୍ବତନ୍ତ୍ର ଗୃହ ନ ଥିବାରୁ ଅଧିକାଂଶ ସମୟରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହେଉଛି। କୌଣସି କାରଣରୁ ରୋଗୀଙ୍କ ମୃତ୍ୟୁ ହେଲେ କେତେବେଳେ ଡାକ୍ତରଖାନା ବାରଣ୍ଡାରେ ତ ଆଉ କେବେ ଗଛମୂଳେ ରଖାଯାଉଛି। ଅନେକ ସମୟରେ ଡ୍ରେସିଂ ରୁମ୍‌ ନିକଟରେ ମୃତଦେହ ଦିନ ଦିନ ଧରି ରହିବା ଫଳରେ ପୂତ୍ତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। କରୋନା ସମୟରେ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଉପରେ ସରକାର ଗୁରୁତ୍ୱ ଦେଉଥିବାବେଳେ ଏଠାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ସେହିପରି ଅଚିହ୍ନା ମୃତଦେହଗୁଡ଼ିକ ତୁରନ୍ତ ଚିହ୍ନଟ ହୋଇ ନ ପାରିଲେ ଡାକ୍ତରଖାନା କର୍ତ୍ତୃପକ୍ଷ ପୋଲିସ ସହାୟତାରେ ପୋତି ଦେଉଛନ୍ତି। ପରିବାର ଲୋକେ ଆସିବା ପରେ ପୁନର୍ବାର ଖୋଳାଯାଇ ଶବ ବାହାର କରାଯାଉଛି, ଯାହାକୁ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ସମେତ ମୃତକଙ୍କ ସମ୍ପର୍କୀୟ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଅପରପକ୍ଷେ ଶବଗୁଡ଼ିକ ଏଣେତେଣେ ରଖାଯିବା ଦ୍ୱାରା ରୋଗୀ ଏବଂ କୋମଳମତି ଶିଶୁଙ୍କ ମନରେ ଭୟ ସୃଷ୍ଟି ହେଉଛି। ଯନ୍ତ୍ରାଂଶ, ଉପକରଣ ଥିବା ସତ୍ତ୍ୱେ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ଡାକ୍ତରଖାନା ପରିସରରେ ମର୍ଚୁରି କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଗତ ଶନିବାର ଡାକ୍ତରଖାନାରେ ବିଭିନ୍ନ କାରଣରୁ ୪ଜଣଙ୍କ ମୃତ୍ୟୁ ଘଟିଥିଲା। ତନ୍ମଧ୍ୟରୁ ୩ ମୃତଦେହ ଡ୍ରେସିଂ ରୁମ ସମ୍ମୁଖରେ ଥିବା ୩ଟି ଶଯ୍ୟାରେ ରଖାଯାଇଥିଲା। ଅନ୍ୟ ଗୋଟିଏ ଡାକ୍ତରଖାନା କ୍ୟାମ୍ପସରେ ଥିବା ଏକ ଗଛମୂଳେ ରଖାଯାଇଥିଲା। ମୃତଦେହଗୁଡ଼ିକ ଏଭଳି ରଖାଯିବା ଦ୍ୱାରା କର୍ମଚାରୀ ଏବଂ ରୋଗୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।
ସୂଚନାଯୋଗ୍ୟ, କାମାକ୍ଷାନଗରରେ ୧୮୫୬ରେ ଏକ ଚାଳ ଘରେ ପ୍ରଥମେ ଡାକ୍ତରଖାନା ଆରମ୍ଭ ହୋଇଥିଲା, ଯାହା ଏବେକାର ଚିକିତ୍ସାଳୟଠାରୁ ୩୦ ମିଟର ଦୂରରେ ଅବସ୍ଥିତ ଥିଲା। ତେବେ ଉକ୍ତ ସ୍ଥାନକୁ କେତେଜଣ ମୁଷ୍ଟିମେୟ ଲୋକ ଜବରଦଖଲରେ ରଖିଛନ୍ତି। ୧୯୨୬ରେ ନୂତନ ଡାକ୍ତରଖାନାର କୋଠା ସ୍ଥାପିତ ହୋଇଥିଲା। ଇତିମଧ୍ୟରେ ସ୍ବାସ୍ଥ୍ୟକେନ୍ଦ୍ରର କଳେବର ବଦଳିଛି। ପ୍ରତିବର୍ଷ ଭିତ୍ତିଭୂମି ବିକାଶ ନାମରେ ବହୁ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଡାକ୍ତରଖାନାର ବଡ଼ ଆବଶ୍ୟକତା ‘ମର୍ଚୁରି’ ନିର୍ମାଣ ନ ହେବା ଜନଅସନ୍ତୋଷ ବଢ଼ାଉଛି।

ଦୀର୍ଘଦିନର ସମସ୍ୟା
କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଶବ ସଂରକ୍ଷଣ ଗୃହ ନ ଥିବା ସମସ୍ୟା ଦୀର୍ଘଦିନର। ଉପଯୁକ୍ତ ସ୍ଥାନ ନ ଥିବାରୁ ଏହା ହୋଇପାରୁନାହିଁ। ମୃତଦେହ ସଂରକ୍ଷଣ କରି ରଖାଯିବା ସୁବିଧା ନ ଥିବାରୁ ତୁରନ୍ତ ବ୍ୟବଚ୍ଛେଦ ଲାଗି ପଠାଇବାକୁ ପଡୁଛି। କରୋନା ସମୟରେ କାର୍ଯ୍ୟ ଚାପ ଭିତରେ ଅସୁବିଧା ଅନୁଭବ କରୁଛୁ।
-ଡା. ରତ୍ନାକର ସାମଲ, ଉପଖଣ୍ଡ ଚିକିତ୍ସାଧିକାରୀ

ଇଚ୍ଛାଶକ୍ତିର ଅଭାବ
କାମାକ୍ଷାନଗର ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଇଚ୍ଛାଶକ୍ତି ଅଭାବରୁ ‘ମର୍ଚୁରି’ କାର୍ଯ୍ୟକ୍ଷମ ହେଉନାହିଁ। ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଅନେକ ଗୃହ ଅବ୍ୟବହୃତ ହୋଇ ପଡ଼ିଛି। ସେଥିରୁ ଗୋଟିଏକୁ ଶବ ସଂରକ୍ଷଣ ଗୃହ କରାଯାଇପାରିବ। ପ୍ରଶାସନ ଏବଂ ଡାକ୍ତରଖାନା କର୍ତ୍ତୃପକ୍ଷ ଚାହିଁଲେ ଏହା ସମ୍ଭବ।
-ରଶ୍ମିରଞ୍ଜନ ଦାସ, ଅଧ୍ୟାପକ

ଯନ୍ତ୍ରପାତି ଖତ ଖାଉଛି
କାମାକ୍ଷାନଗର ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବଠାରୁ ଆରମ୍ଭ କରି ଅନେକ ସମସ୍ୟା ଲାଗିରହିଛି। କେବଳ ବଡ଼ ବଡ଼ କୋଠା ନିର୍ମାଣ ହେଉଛି। କିନ୍ତୁ ଆବଶ୍ୟକ ଯନ୍ତ୍ରପାତି କି କର୍ମଚାରୀ ନାହାନ୍ତି। କାର୍ଯ୍ୟକ୍ଷମ ହୋଇପାରି ନ ଥିବା ଯନ୍ତ୍ରପାତି ଖତ ଖାଉଛି।
-ଆର୍ଶାଦ ଅହମ୍ମଦ, ସାମାଜିକ କର୍ମୀ

ପରିତାପର ବିଷୟ
କାମାକ୍ଷାନଗର ଉପଖଣ୍ଡରେ ଶବ ସଂରକ୍ଷଣ ଗୃହ ନ ଥିବା ପରିତାପର ବିଷୟ। ରାଜନୈତିକ ଇଚ୍ଛାଶକ୍ତିର ଅଭାବରୁ ପ୍ରଶାସନିକ ଅଧିକାରୀମାନେ କାର୍ଯ୍ୟରେ ଅବହେଳା କରୁଛନ୍ତି। ପ୍ରଶାସନ ଦୃଷ୍ଟି ଦେଇ ସମସ୍ୟାର ତୁରନ୍ତ ସମାଧାନ କରିବା ଜରୁରୀ।
-ଡ. ଆଶୁତୋଷ ପାଣିଗ୍ରାହୀ, ଅନ୍ତର୍ଜାତୀୟ ଚିତ୍ରଶିଳ୍ପୀ


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

ଟେନ୍‌ସନ୍‌ରେ ଆମେରିକା: ଇରାନ ବିକଶିତ କରୁଛି ଏମିତି ଜିନିଷ

ଓ୍ବାଶିଂଟନ୍‌,୨୭।୩: ଯୁଦ୍ଧ ମଧ୍ୟରେ ଇରାନ ଏକ ଜ୍ୟାକେଟ ଯୁକ୍ତ ପରମାଣୁ ବୋମା ବିକଶିତ କରିପାରେ। ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏହି ଚିନ୍ତା ପ୍ରକାଶ କରିଛନ୍ତି। ଭାନ୍ସ…

ରଥଯାତ୍ରା ପାଇଁ କାଠ ଚିରା ଆରମ୍ଭ

କଟକ,୨୭।୩: ଶୁକ୍ରବାର ପବିତ୍ର ଶ୍ରୀରାମ ନବମୀ। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥ କାଠ ଚିରଟ ଆରମ୍ଭ ହୋଇଛି।…

ପୋତି ହୋଇଯାଉଛି ବିରୂପା ନଦୀଶଯ୍ୟା, ଜଳପଥ ନିର୍ମାଣ ପ୍ରସ୍ତାବ ସନ୍ଦୀହାନ

ଚଣ୍ଡିଖୋଲ,୨୭ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ମହାନଦୀର ଶାଖା ନଦୀ ହେଉଛି ବିରୂପା ଓ ଗେଙ୍ଗୁଟି। ଦୀର୍ଘ ବର୍ଷ ହେବ ଏହି ନଦୀଖନନ ନ ହେବା ଦ୍ବାରା ନଦୀ ଶଯ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri