ନବମ ଶ୍ରେଣୀ ମାର୍କ ଅପଲୋଡ୍‌ ପାଇଁ ଲିଙ୍କ୍‌ ନାହିଁ

ଭୁବନେଶ୍ୱର,୨୦।୨(ବ୍ୟୁରୋ): ରାଜ୍ୟର ସମସ୍ତ ମେଣ୍ଟର ସ୍କୁଲଗୁଡ଼ିକ ନବମ ଶ୍ରେଣୀର ଫର୍‌ମେଟିଭ ଆସେସ୍‌ମେଣ୍ଟ(ଏଫ୍‌ଏ) ପରୀକ୍ଷା ଫଳକୁ ଫେବୃୟାରୀ ୧୫ରୁ ୨୨ ମଧ୍ୟରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ଏକ ଲିଙ୍କ୍‌ରେ ଅପ୍‌ଲୋଡ୍‌ କରିବା ପାଇଁ କୁହାଯାଇଥିଲା। ଏନେଇ ଗତ ଜାନୁୟାରୀ ୫ରେ ବୋର୍ଡ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ଜାରି ହୋଇଥିଲା। ଇତିମଧ୍ୟରେ ପରୀକ୍ଷା ସରିଥିବାବେଳେ ବିଦ୍ୟାଳୟଗୁଡ଼ିକ ମୂଲ୍ୟାୟନ ମଧ୍ୟ କରିସାରିଛନ୍ତି। ହେଲେ ବୋର୍ଡର ଅବହେଳା ଓ ଖାମଖିଆଲି ପାଇଁ ଏପର୍ଯ୍ୟନ୍ତ ମାର୍କ ଅପ୍‌ଲୋଡ୍‌ ହୋଇପାରୁନି। କାରଣ ନିର୍ଦ୍ଧାରିତ ତାରିଖରୁ ୫ଦିନ ବିତିଯାଇଥିଲେ ମଧ୍ୟ ବୋର୍ଡ ମାର୍କ ଅପଲୋଡ୍‌ ନିମନ୍ତେ ଲିଙ୍କ୍‌ ପ୍ରଦାନ କରିନାହିଁ। ବୋର୍ଡ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ ମାର୍କ ଅପଲୋଡ୍‌ କରିବା ପାଇଁ ଆଉମାତ୍ର ଦୁଇ ଦିନ ସମୟ ରହିଛି। ସେପଟେ ନବମ ଶ୍ରେଣୀର ଦ୍ୱିତୀୟ ସମ୍ମେଟିଭ ପରୀକ୍ଷା ଆସନ୍ତା ସୋମବାରରୁ ଆରମ୍ଭ ହେଉଛି। ପରୀକ୍ଷା ସରିବା ପରେ ଏହାର ମାର୍କ ମଧ୍ୟ ଅପ୍‌ଲୋଡ୍‌ କରିବାକୁ ପଡ଼ିବ। ତେଣୁ ଏନେଇ ଶିକ୍ଷୟିତ୍ରୀଶିକ୍ଷକ ତଥା ପ୍ରଧାନଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଏ ସମ୍ପର୍କରେ ନୂତନ ପେନ୍‌ସନ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ କହିଛନ୍ତି, ବୋର୍ଡ ଏକ ଦାୟିତ୍ୱବାନ ସଂସ୍ଥା। ଏହା ଛାତ୍ରୀଛାତ୍ରଙ୍କ ପରୀକ୍ଷା ପରିଚାଳନାଠାରୁ ଆରମ୍ଭ କରି ମୂଲ୍ୟାୟନ ପର୍ଯ୍ୟନ୍ତ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିଥାଏ। କିନ୍ତୁ ସେ ନିଜେ ଜାରି କରିଥିବା ନିୟମକୁ ନିଜେ ପାଳନ କରିନାହିଁ। ବର୍ତ୍ତମାନ ସମୟ କମ୍‌ ରହିବ ଏବଂ ଦୁଇ ଦୁଇଟି ପରୀକ୍ଷାର ମାର୍କକୁ ଅପଲୋଡ୍‌ କରିବାକୁ ହେବ, ଯାହା ବୋଝ ଉପରେ ନଳିତା ବିଡ଼ା ସଦୃଶ ହେବ। ତେଣୁ ମାଧ୍ୟମିକ ଶିକ୍ଷା ପରିଷଦର ଏପରି ଖାମଖିଆଲି ମନୋଭାବ ତଥା କାର୍ଯ୍ୟକୁ ସଂଘ ବିରୋଧ କରୁଛି। ଏଥିସହ ତୁରନ୍ତ ମାର୍କ ଅପଲୋଡ୍‌ ନିମନ୍ତେ ଲିଙ୍କ୍‌ ପ୍ରଦାନ କରିବା ଏବଂ ମାର୍କ ଅପଲୋଡ୍‌ ସମୟକୁ ଆଉ କିଛିଦିନ ବୃଦ୍ଧି କରିବାକୁ ଏକ ସଂଘ ସଭାପତି ଦାବି ଜଣାଇଛନ୍ତି।