ସୁରକ୍ଷା ପ୍ରତି ଧ୍ୟାନ ନାହିଁ

ଭୁବନେଶ୍ୱର,୧୦। ୧୦(ବ୍ୟୁରୋ): ରାଜ୍ୟରେ ଥିବା ପେଟ୍ରୋଲ ପମ୍ପ ତଥା ଗ୍ୟାସ ଫିଲିଂ ଷ୍ଟେଶନଗୁଡ଼ିକର ସୁରକ୍ଷା ପ୍ରତି ପେଟ୍ରୋଲିୟମ ଆଣ୍ଡ୍‌ ଏକ୍ସପ୍ଲୋସିଭ୍‌ ସେଫ୍ଟି ଅର୍ଗାନାଇଜେଶନ(ପେସୋ) ଗୁରୁତ୍ୱ ଦେଉନାହିଁ। ଫଳରେ ନିୟମିତ ବ୍ୟବଧାନରେ ପମ୍ପଗୁଡ଼ିକର ଯାଞ୍ଚ ହୋଇପାରୁ ନାହିଁ। ପେଟ୍ରୋଲ ପମ୍ପ୍‌ ପ୍ରତିଷ୍ଠା ପାଇଁ କେବଳ ଏକ୍ସପ୍ଲୋସିଭ୍‌ ଲାଇସେନ୍ସ ଦେଇ ତାହାକୁ ତୈଳ କମ୍ପାନୀ ହାତରେ ପେସୋ ଟେକିଦେଉଛି। ଏହାପରେ ତୈଳକମ୍ପାନୀଗୁଡ଼ିକ ସେମାନଙ୍କ ସୁବିଧା ମୁତାବକ ଯାଞ୍ଚ କରୁଛନ୍ତି। ଆଇଓସିଏଲ୍‌, ଭାରତ ପେଟ୍ରୋଲିୟମ୍‌, ହିନ୍ଦୁସ୍ଥାନ ପେଟ୍ରୋଲିୟମ୍‌ ଭଳି ପ୍ରମୁଖ ତୈଳ କମ୍ପାନୀର ଇଞ୍ଜିନିୟରିଂ ଡିପାର୍ଟମେଣ୍ଟ ନାମକୁ ମାତ୍ର ତ୍ରୈମାସିକ ଯାଞ୍ଚ କରୁଥିବାବେଳେ ପେସୋ ପକ୍ଷରୁ ୨/୪ବର୍ଷରେ ଥରେ ଯାଞ୍ଚ କରାଯାଉଛି।
ନିୟମ ଅନୁସାରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ଅଧୀନରେ ଥିବା ପେସୋର ଅଧିକାରୀମାନେ ପେଟ୍ରୋଲ ପମ୍ପର ତୈଳ ଓ ଗ୍ୟାସ ଗଚ୍ଛିତ ପରିମାଣକୁ ନିୟମିତ ବ୍ୟବଧାନରେ ଯାଞ୍ଚ କରିବେ। ଏଥିସହ ସେଠାରେ ଥିବା ବିସ୍ଫୋରକ ସାମଗ୍ରୀ, ଦହନଶୀଳ ପଦାର୍ଥ, ଚାପ ପାତ୍ର ଆଦିର ଅନୁଧ୍ୟାନ କରି ଏହାର ସୁରକ୍ଷା ପ୍ରତି ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେବା କଥା। ହେଲେ ଏହା କରାଯାଉ ନ ଥିବାରୁ ବିଭିନ୍ନ ସମୟରେ ପେଟ୍ରୋଲ୍‌ ପମ୍ପରେ ବିସ୍ଫୋରଣ ଭଳି ଘଟଣା ଘଟୁଛି। ଗତ ୨ଦିନ ତଳେ ରାଜଭବନ ନିକଟସ୍ଥ ପେଟ୍ରୋଲ୍‌ ପମ୍ପରେ ଥିବା ଏଲ୍‌ପିଜି ଟାଙ୍କି ବିସ୍ଫୋରଣ ଘଟଣାରୁ ଏହା ସ୍ପଷ୍ଟ ହୋଇଛି। ଆବଶ୍ୟକ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଇ ନ ଥିବାରୁ ଉକ୍ତ ବିସ୍ଫୋରଣରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ନିଖୋଜ ଏବଂ ଏକାଧିକ ବ୍ୟକ୍ତି ଆହତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି। ବିସ୍ଫୋରଣ ପରେ ପେସୋ ଅଧିକାରୀମାନେ ଘଟଣାର ତଦନ୍ତ ଜାରି ରହିଛି ବୋଲି କହୁଛନ୍ତି।
ଜନବସତି ଅଞ୍ଚଳ, ସ୍କୁଲ୍‌ ଓ ହସ୍ପିଟାଲଠାରୁ ଫୁଏଲ୍‌ ଷ୍ଟେଶନଗୁଡ଼ିକ ଅତିକମ୍‌ରେ ୫୦ମିଟର ଦୂରରେ ରହିବାକୁ ଗତ ଜାନୁୟାରୀରେ ସେଣ୍ଟ୍ରାଲ ପଲ୍ୟୁଶନ କଣ୍ଟ୍ରୋଲ ବୋର୍ଡ(ସିପିସିବି) ସମସ୍ତ ତୈଳ କମ୍ପାନୀକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ରାଜଧାନୀ ଭୁବନେଶ୍ୱର ସମେତ ସମଗ୍ର ରାଜ୍ୟରେ ଏହି ନିର୍ଦ୍ଦେଶନାମା ପାଳନ ହୋଇପାରୁ ନାହିଁ। ଭୁବନେଶ୍ୱରରେ ଅଧିକାଂଶ ପେଟ୍ରୋଲ ପମ୍ପକୁ ଲାଗି ଅନେକ ଲୋକଙ୍କ ଘର, ବାଣିଜି୍ୟକ ପ୍ରତିଷ୍ଠାନ  ଏବଂ ଦୋକାନ ଗୃହ ରହିଛି। ପେଟ୍ରୋଲ୍‌ ପମ୍ପ ନିକଟରେ ଜନବସତି ରହିଥିଲେ ପେସୋର ଅତିରିକ୍ତ ସୁରକ୍ଷା ମାନଦଣ୍ଡ ପୂରଣ କରିବାକୁ ନିର୍ଦ୍ଦେଶ ରହିଛି। ନିୟମ ଅନୁସାରେ ଗୋଟେ ଟାଙ୍କି ଉପରେ ଅନ୍ୟ ଏକ ଟାଙ୍କି ରହିବ ନାହିଁ। ଟାଙ୍କିଠାରୁ ଜଳସ୍ତରର ନିର୍ଦ୍ଧାରିତ ଦୂରତା ରହିବା ଆବଶ୍ୟକ। ତୈଳ ବା ଗ୍ୟାସ୍‌ ଗଚ୍ଛିତ ଟ୍ୟାଙ୍କି ଉପରେ କୌଣସି ବିଦ୍ୟୁତ୍‌ ତାର ଯିବ ନାହିଁ। ଏହା ଧୂମପାନ ନିଷେଧ ଅଞ୍ଚଳ ହୋଇଥିବ। ଏପରି କି ଉପଯୁକ୍ତ ଅଗ୍ନି ସୁରକ୍ଷା ବ୍ୟବସ୍ଥା ସହ ଆର୍ଥିଙ୍ଗ ବ୍ୟବସ୍ଥା ରହିବା ଆବଶ୍ୟକ। ହେଲେ ଏହାକୁ ତୈଳ କମ୍ପାନୀଗୁଡ଼ିକ ଅଣଦେଖା କରୁଛନ୍ତି। ଫଳରେ ପେଟ୍ରୋଲ ଓ ଡିଜେଲ୍‌ ଲିକ୍‌ ହୋଇ ସ୍ଥାନୀୟ ଅଞ୍ଚଳର ଭୂତଳ ଜଳ ଏବଂ ମାଟିକୁ ପ୍ରଦୂଷଣ କରୁଛି। ଗତ ଫେବୃୟାରୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଏଭଳି ଏକ ଘଟଣା ଘଟିଥିଲା। ସେହିପରି ରାଜ୍ୟରେ ପେଟ୍ରୋଲିୟମ୍‌ ରୁଲ୍‌-୨୦୦୨ର ଖୋଲାଖୋଲି ଉଲ୍ଲଂଘନ ହେଉଛି। ପେଟ୍ରୋଲ୍‌ ପମ୍ପ ପ୍ରତିଷ୍ଠା ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ପ୍ରତି ଦୃଷ୍ଟି ନ ଦେଇ ଜିଲା ପ୍ରଶାସନ ପକ୍ଷରୁ ଆପତ୍ତି ବିହୀନ ପ୍ରମାଣପତ୍ର(ଏନ୍‌ଓସି) ଦିଆଯାଉଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱରର ଲୋକସେବା ଭବନ ପଛରେ ଏକ ପେଟ୍ରୋଲ ପମ୍ପ ଥିବାବେଳେ ଜନପଥରେ ୪ଟି, କଟକ ରୋଡ୍‌ରେ ୩ଟି, ୟୁନିଟ-୨ରେ ଗୋଟିଏ, ୟୁନିଟ-୧ରେ ଗୋଟିଏ ପେଟ୍ରୋଲ ପମ୍ପ ରହିଛି। ଏହି ସବୁ ପେଟ୍ରୋଲ୍‌ ପମ୍ପ ନିକଟରେ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାର କାର୍ଯ୍ୟାଳୟ, ହାଟ, ମାର୍କେଟ୍‌ ବିଲ୍ଡିଂ ଓ ବଡ଼ ବଡ଼ ଶପିଂ ମଲ୍‌ ରହିଛି। ପେଟ୍ରୋଲ୍‌ ପମ୍ପ ନିକଟରେ ଉଚ୍ଚକ୍ଷମତାସମ୍ପନ୍ନ ବିଦ୍ୟୁତ୍‌ ତାର ମଧ୍ୟ ଯାଇଛି। କେବଳ ପେଟ୍ରୋଲ ପମ୍ପ୍‌ ନୁହେଁ, ଜିଲାପାଳଙ୍କ ବିନା ଅନୁମତିରେ ବିପଦଜନକ ଗ୍ୟାସ୍‌ ଏବଂ କେମିକାଲ୍‌ ଗାଡ଼ି ଟ୍ୟାଙ୍କର ଜିଲା ସୀମା ମଧ୍ୟରେ ପ୍ରବେଶ କରୁଛି। ଅଧିକାଂଶ ସମୟରେ ଏହି ଟ୍ୟାଙ୍କର୍‌ଗୁଡ଼ିକ ଫାଟି ବଡ଼ ଧରଣର ଦୁର୍ଘଟଣା ହେଉଛି। ରାଜ୍ୟରେ ଏମର୍ଜେନ୍ସି ରେସ୍କ୍ୟୁ ଗାଡ଼ି ବା ଡି-କଣ୍ଟେନର ନ ଥିବାରୁ ଏଭଳି ଦୁର୍ଘଟଣାର ମୁକାବିଲା ଠିକ୍‌ଭାବେ କରିହେଉନି। ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ମଧ୍ୟ ଏନେଇ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଉନାହିଁ। ସେହିଭଳି ଅଧିକ ସଂଖ୍ୟାରେ ଏଲ୍‌ପିଜି ଟ୍ୟାଙ୍କରଗୁଡ଼ିକୁ ସହର ବାହାରେ ରଖିବାକୁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଗ୍ୟାସ୍‌ ଡିଲରମାନେ ଖୋଲାଖୋଲିଭାବେ ତାହାର ଉଲ୍ଲଂଘନ କରୁଥିବା ଦେଖାଯାଉଛି। ଏନେଇ ସୂଚନା ଦେଇ ପେସୋର ଡେପୁଟି ଚିଫ୍‌ କଣ୍ଟ୍ରୋଲର ରୁଆବି ଅଲ୍ଲୀ କହିଛନ୍ତି, ପେଟ୍ରୋଲ ପମ୍ପ୍‌ ଯାଞ୍ଚ କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନାହିଁ। ଆମେ ଅଚାନକ ଯାଞ୍ଚ କରିଥାଉ। ଶେଷଥର ପାଇଁ ଗତ ୨ବର୍ଷ ତଳେ ଭୁବନେଶ୍ୱରରେ ପେଟ୍ରୋଲ ପମ୍ପଗୁଡ଼ିକ ଯାଞ୍ଚ ହୋଇଥିଲା। ସେଫ୍ଟି ଷ୍ଟାଣ୍ଡାର୍ଡ ମାନୁଥିବାରୁ ସେମାନଙ୍କୁ ଏକ୍ସପ୍ଲୋସିଭ୍‌ ଲାଇସେନ୍ସ ଦିଆଯାଇଛି। ଭୁବନେଶ୍ୱରୁ ଏବେ ପ୍ରାୟ ୭ଟି ସିଏନ୍‌ଜି ଷ୍ଟେଶନ ରହିଛି। ସେଗୁଡ଼ିକୁ ଲାଇସେନ୍ସ ଦେବା ସମୟରେ ଯାଞ୍ଚ କରାଯାଇଥିଲା ବୋଲି ଅଲ୍ଲୀ କହିଛନ୍ତି। ଉତ୍କଳ ପେଟ୍ରୋଲିୟମ୍‌ ଡିଲର ଆସୋସିଏଶନର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍‌ କହିଛନ୍ତି, ପ୍ରତି ୩ମାସରେ ଥରେ ତୈଳ କମ୍ପାନୀ ଇଞ୍ଜିନିୟରିଂ ବିଭାଗ ଦ୍ୱାରା ପମ୍ପ୍‌ ଯାଞ୍ଚ କରାଯାଇଥାଏ। ପ୍ରତିଥର ନବୀକରଣ ସମୟରେ ପେସୋ ମଧ୍ୟ ଯାଞ୍ଚ କରିଥାଏ। ସବୁପ୍ରକାର ସୁରକ୍ଷା ଦୃଷ୍ଟିକୋଣକୁ ଧ୍ୟାନ ଦିଆଯାଉଥିବାରୁ ଓଡ଼ିଶାରେ ସେଭଳି ବଡ଼ଧରଣର ଦୁର୍ଘଟଣା ଘଟି ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri