କୋଭିଡ୍‌ ପାଇଁ ବେଡ୍‌ ନାହିଁ

ଭୁବନେଶ୍ୱର, ୧୭।୫(ବ୍ୟୁରୋ):ରାଜ୍ୟରେ ଦୈନିକ ସଂକ୍ରମଣ ୧୦ରୁ ୧୨ହଜାର ରହୁଛି। ଏଥିରେ ପ୍ରତିଦିନ ଖୋର୍ଦ୍ଧା ଜିଲା ଆଗରେ ରହୁଛି। ଆଉ ଖୋର୍ଦ୍ଧା ଜିଲାରେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟାର ପ୍ରାୟ ୮୭% ଭୁବନେଶ୍ୱରରେ ଚିହ୍ନଟ ହେଉଛନ୍ତି। ଏଠାରେ ଦୈନିକ ୧୧ରୁ ୧୩ଶହ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସବୁଠାରୁ ବଡ଼ କଥା ହେଲା ଏହି ଦ୍ୱିତୀୟ ଲହରରେ ସଂକ୍ରମିତ ହେଉଥିବା ଅଧିକାଂଶ ରୋଗୀଙ୍କ ଅକ୍ସିଜେନସ୍ତର ହ୍ରାସ ପାଉଥିବାରୁ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ଆଉ ପ୍ରତିଦିନ ଭୁବନେଶ୍ୱରରେ ୨ରୁ ୩ ଜଣଙ୍କ ମୃତ୍ୟୁ ଘଟୁଛି। ତେବେ ଏତେ ସଂଖ୍ୟାରେ ରୋଗୀ ଚିହ୍ନଟ ହେଉଥିବାରୁ ହସ୍ପିପିଟାଲରେ ସେହି ସଂଖ୍ୟାର ବେଡ୍‌ ମଧ୍ୟ ଅଭାବ ଦେଖାଦେଲାଣି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭୁବନେଶ୍ୱରରେ ଏକାଧିକ କୋଭିଡ୍‌ ହସ୍ପିଟାଲ କରାଯାଇଥିଲେ ସୁଦ୍ଧା କ୍ୟାପିଟାଲ ହସ୍ପିଟାଲରେ କୋଭିଡ୍‌ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇ ନାହିଁ। ଏଠାକୁ କେହି ରୋଗୀ ଆସିଲେ ତାଙ୍କ ପାଇଁ ଏକ ଅବ୍‌ଜରଭେଶନ ରୁମ୍‌ କରାଯାଇଛି। ସେଠାରେ ୮ଟି ବେଡ୍‌ ରହିଛି। ଯେଉଁମାନେ ପଜିଟିଭ ଚିହ୍ନଟ ଜଣାପଡ଼ୁଛନ୍ତି ସେଠାରେ ସେମାନଙ୍କୁ ରଖାଯାଉଛି। ଆଉ ପ୍ରାୟ ୨ଘଣ୍ଟା ମଧ୍ୟରେ ସେମାନଙ୍କୁ ବିଏମ୍‌ସି ସହିତ ଯୋଗାଯୋଗ କରି କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି। ଗୁରୁତର ରୋଗୀ ଥିଲେ ତାଙ୍କୁ ଅକ୍ସିଜେନ ଦେବାର ମଧ୍ୟ ବ୍ୟବସ୍ଥା ରହିଛି। ରାଜଧାନୀର ଅନେକ ଲୋକ ଏହି ହସ୍ପିଟାଲ ଉପରେ ନିର୍ଭର କରୁଥିବା ବେଳେ ଏଠାରେ କୋଭିଡ୍‌ ବେଡ୍‌ କରା ନ ଯିବା ଜନସାଧାରଣଙ୍କୁ ବ୍ୟଥିତ କରିଛି। ବିଶେଷ କରି ଶନିବାର ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଅଞ୍ଚଳର ଜଣେ ୧୮ଦିନର ନବବଧୂଙ୍କୁ ଚିକିତ୍ସା ପାଇଁ ଅଣାଯାଇଥିବାବେଳେ କୋଭିଡ୍‌ ବେଡ୍‌ ଉପଲବ୍ଧ ନ ଥିବାରୁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ କୁହାଯାଇଥିଲା। ଏବଂ ଶେଷରେ ସେ ଆଖି ବୁଜି ଦେଇଥିଲେ। ସ୍ବାସ୍ଥ୍ୟ ବିଶେଷଜ୍ଞ ନିରଞ୍ଜନ ସାହୁ କହିଛନ୍ତି ଯେ, କ୍ୟାପିଟାଲ ହସ୍ପିଟାଲରେ କୋଭିଡ୍‌ ରୋଗୀଙ୍କ ପାଇଁ ବେଡ୍‌ କରିବା ଉଚିତ୍‌। ଫଳରେ ପାଖାପାଖି ଲୋକ ବହୁ ଉପକୃତ ହୋଇପାରିବେ।