ଦାରିଙ୍ଗବାଡିରେ ଖାଦ୍ୟ ସୁରକ୍ଷା ନେଇ ବଢୁଛି ଚିନ୍ତା: ହୋଟେଲରେ ଦେଉଛନ୍ତି ବାସି ଖାଦ୍ୟ

ଦାରିଙ୍ଗବାଡି,୮।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ସମେତ ବିଭିନ୍ନ ବ୍ଲକ ଅଞ୍ଚଳରେ ଛତୁ ଫୁଟିଲା ଭଳି ହୋଟେଲ, ରେଷ୍ଟୁରାଣ୍ଟ, ଫାଷ୍ଟଫୁଡ, ମିଠା ଦୋକାନ ଆଦି ଖୋଲୁଛି। ଫଳରେ ଲୋକଙ୍କ ଖାଦ୍ୟ ସୁରକ୍ଷା ନେଇ ଚିନ୍ତା ବଢିବାରେ ଲାଗିଛି। କେଉଁଠି ନିମ୍ନମାନର ଖାଦ୍ୟ ପ୍ରସ୍ତୁତି କରାଯାଉଥିବା ବେଳେ ଅନେକ ହୋଟେଲରେ ଗ୍ରାହକଙ୍କୁ ବାସିଖାଦ୍ୟ ପରିବେଷଣ କରାଯାଉଛି। ଏପରି କି କେତେକ ହୋଟେଲରେ ୪ରୁ ୫ ଦିନ ଧରି ଫ୍ରିଜ୍‌ରେ ଖାଦ୍ୟ ପାଇଁ ପ୍ରସ୍ତୁତ ମସଲା, ମାଛ, ମାଂସ ଆଦି ରଖି ଗ୍ରାହକଙ୍କୁ ଦିଆଯାଉଥିବା ଅଭିଯୋଗ ହୋଇଛି। ଏନେଇ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଉଥିବା ବେଳେ ଏଥିରେ କୌଣସି ପରିବର୍ତ୍ତନ ହେଉ ନାହିଁ। ଫଳରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

ଅନ୍ୟପକ୍ଷେ ହୋଟେଲର ସ୍ବଚ୍ଛତା ଉପରେ ମଧ୍ୟ ପ୍ରଶ୍ନ ଉଠୁଛି। ଜିଲାରେ ଖାଦ୍ୟ ନିରାପତ୍ତା ପାଇଁ ବିଭାଗୀୟ ଅଧିକାରୀ ରହିଥିଲେ ସୁଦ୍ଧା ତଦାରଖ ଦିଗରେ ଅବହେଳା ହେଉଥିବା ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। କ.ନୂଆଗାଁ ବ୍ଲକ ଅଞ୍ଚଳରେ ଏକ ହୋଟେଲରେ ଅତି ନିମ୍ନମାନର ମିଠା ଜଣେ ଲୋକଙ୍କୁ ବିକ୍ରି ହେଉଥିବା ଭିଡିଓ ଏବେ ଭାଇରଲା ହୋଇଛି।

ପ୍ରକଶା ଯେ, ବର୍ତ୍ତମାନ କନ୍ଧମାଳ ଜିଲାକୁ ଦୈନିକ ହଜାର ହଜାର ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି। ଫଳରେ ପର୍ଯ୍ୟଟକ ହୋଟେଲ, ରେଷ୍ଟୁରାଣ୍ଟ ଉପରେ ନିର୍ଭର କରୁଛନ୍ତି। ତେବେ ଗ୍ରାହକଙ୍କ ଭିଡ଼ର ଫାଇଦା ନେଇ କେତେକ ହୋଟେଲ ମାଲିକ ଲାଭଖୋର ନୀତିରେ ଖାଦ୍ୟର ମାନ୍‌ ଉପରେ ଗୁରୁତ୍ୱ ନ ଦେଇ ନିମ୍ନମାନର ଖାଦ୍ୟ ବିକ୍ରି କରୁଥିବା ଅଭିଯୋଗ ହେଉଛି। ଜିଲା ପ୍ରଶାସନ ଏହି ଦିଗରେ ଗୁରୁତ୍ୱ ଦେଇ ଲୋକଙ୍କ ଖାଦ୍ୟ ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହୋଇଛି। ଏନେଇ ଜିଲା ଖାଦ୍ୟ ସୁରକ୍ଷା ଅଧିକାରୀ ସତ୍ୟବ୍ରତ ଷେଣ୍ଢଙ୍କ ଫୋନ୍‌ରେ ଯୋଗାଯୋଗ କରାଯାଇଥିଲା ହେଲେ ସେ ଫୋନ୍‌ ରିସିଭ କରି ନ ଥିଲେ।