ଥୁଆମୂଳ ରାମପୁର, ୨୩।୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତ ଅଧୀନ ତୁମୋନୀଖୋଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ୨୦୦୯ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ବର୍ତ୍ତମାନ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୩୦ ଜଣ ଆଦିବାସୀ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ମାତ୍ର ବିଦ୍ୟାଳୟର ଭିତ୍ତିଭୂମି ସମ୍ପୂର୍ଣ୍ଣ ଶୂନ ହୋଇ ରହିଛି।
ଗତ ୨୦୨୪ ଏପ୍ରିଲ ମାସରେ କାଳବୈଶାଖୀ ଯୋଗୁଁ ବିଦ୍ୟାଳୟର ଆଜବେଷ୍ଟସ ଛାତ ଉଡ଼ିଯାଇଥିଲା। ଏନେଇ ପ୍ରଶାସନକୁ ଲିଖିତ ଅଭିଯୋଗ କରାଯିବା ସହ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇଥିଲା। ତେବେ ବର୍ଷେରୁ ଅଧିକ ସମୟ ବିତିଯାଇଥିଲେ ହେଁ ମୁଖ୍ୟ ଗୃହର ମରାମତି ହୋଇନାହିଁ। ଫଳରେ ପିଲାମାନେ ବାରଣ୍ଡାରେ ଏବଂ ଅସହ୍ୟ ଖରା ସମୟରେ ନିକଟସ୍ଥ ଏକ ତେନ୍ତୁଳି ଗଛ ମୂଳେ ବସି ପାଠ ପଢ଼ୁଛନ୍ତି। ଏବେ ପୁଣି ବର୍ଷା ଦିନ ଆସିଯାଇଥିବାରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଅଭିଭାବକମାନେ ଚିନ୍ତାରେ ପଡ଼ିଛନ୍ତି। ପୂର୍ବରୁ ଖବର ପ୍ରକାଶ ପାଇବା ପରେ ବିଡ଼ିଓଙ୍କ ନିର୍ଦ୍ଦେଶରେ ବିଦ୍ୟାଳୟ ପାର୍ଶ୍ୱରେ ଏକ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ କରାଯାଇଥିଲା। ମାତ୍ର ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁ ଏହି ନୂତନ ଗୃହଟି ଅତ୍ୟନ୍ତ ନିମ୍ନମାନର ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗୃହର ପଛ ପାର୍ଶ୍ଵରେ ନା ପ୍ଲାଷ୍ଟରିଂ କରାଯାଇଛି, ନା ଆଜବେଷ୍ଟସ ଉପରେ କଂକ୍ରିଟ୍ ବାଇଣ୍ଡିଂ (ମୁରକରି) କରାଯାଇଛି। ସାମାନ୍ୟ ପବନ କିମ୍ବା ବର୍ଷା ହେଲେ ଏହି ଛାତଟି ମଧ୍ୟ ଉଡ଼ିଯିବାର ଆଶଙ୍କା ଦେଖାଦେଇଛି। ଏଥିସହ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ରୋଷେଇ ଗୃହ, ସୁରକ୍ଷା ପାଚେରୀ, ପାନୀୟ ଜଳ କିମ୍ବା ଶୌଚାଳୟ ଭଳି କୌଣସି ପ୍ରାଥମିକ ସୁବିଧା ନାହିଁ। ଅପରପକ୍ଷରେ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମସିଂ ମାଝୀ ଏବଂ ସହ-ଶିକ୍ଷକ ପ୍ରମୋଦ ଦଣ୍ଡସେନାଙ୍କ କାର୍ଯ୍ୟକଳାପକୁ ନେଇ ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଦୁଇ ଶିକ୍ଷକ ମାସକୁ ପାଳି କରି ମାତ୍ର ୪ରୁ ୧୦ ଦିନ ବିଦ୍ୟାଳୟକୁ ଆସୁଛନ୍ତି। ବିଦ୍ୟାଳୟକୁ ଆସିବା ଦିନ ମଧ୍ୟ ଶିକ୍ଷାଦାନ ନଦେଇ ପ୍ରାୟ ସମୟରେ ମଦ ଓ ମାଂସ ଖାଇ ଭୋଜିଭାତ କରିବାରେ ବ୍ୟସ୍ତ ରହୁଛନ୍ତି କିମ୍ବା ମୋବାଇଲ୍ ଫୋନ୍ରେ ସମୟ କାଟୁଛନ୍ତି। ଏହି ସମ୍ପର୍କରେ ଜିଲା ଅତିରିକ୍ତ ଶିକ୍ଷାଧିକାରୀ ତପିମନି ଜାନୀଙ୍କୁ ପଚାରିବାରୁ ସେ କହିଛନ୍ତି, “ଛାତ ଉଡ଼ିଯାଇଥିବା ଘଟଣା ସମ୍ପର୍କରେ ବିଡ଼ିଓଙ୍କ ସହ ଆଲୋଚନା କରି ଖୁବ୍ ଶୀଘ୍ର ଏହାର ସ୍ଥାୟୀ ବ୍ୟବସ୍ଥା କରାଯିବ ଏବଂ କାର୍ଯ୍ୟରେ ଅବହେଳା କରୁଥିବା ଶିକ୍ଷକମାନଙ୍କ ବିରୋଧରେ କଠୋର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।” ଅପରପକ୍ଷରେ, ଥୁଆମୂଳ ରାମପୁର ବିଡ଼ିଓ ଧ୍ରୁବ ଚରଣ ମୁଦୁଲି କହିଛନ୍ତି ଯେ ପ୍ରଶାସନ ଏହି ବିଷୟରେ ସମ୍ପୂର୍ଣ୍ଣ ଅବଗତ ଅଛି ଏବଂ ଅତି ଶୀଘ୍ର ବିଦ୍ୟାଳୟର ମରାମତି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ କରାଯିବ। ପ୍ରଶାସନିକ ପ୍ରତିଶ୍ରୁତି ପରେ କୋମଳମତୀ ଶିଶୁଙ୍କ ସମସ୍ୟାର କେତେ ଶୀଘ୍ର ସମାଧାନ ହେଉଛି, ତାହା ଦେଖିବାକୁ ବାକି ରହିଲା।