ମିଲେଟ ଚାଷ ପାଇଁ ବଢୁଛି ଆଗ୍ରହ

ଭଦ୍ରକ,୨୧ା୧୨(ସନାତନ ରାଉତ)ଭଦ୍ରକ ଜିଲାରେ ଚଳିତ ଖରିଫ ଋତୁରେ ନୂଆକରି ମିଲେଟ ଚାଷ କରାଯାଇଛି। ବ୍ୟବସାୟିକ ଫାଇଦା ଓ ସରକାରୀ ପ୍ରୋତ୍ସାହନ ବିଶେଷ କରି ମାଣ୍ଡିଆ ଚାଷୀଙ୍କୁ ଆକୃଷ୍ଟ କରିଛି। ମାଣ୍ଡିଆ ଜାତୀୟ ଖାଦ୍ୟଶସ୍ୟର ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ମିଲେଟ୍‌ ମିଶନ ଜରିଆରେ ଏହି ଚାଷକୁ ଗୁରୁତ୍ୱ ଦିଆଯାଉଛି। ଜିଲାର ବନ୍ତ ବ୍ଲକର କିଛି ପଞ୍ଚାୟତରେ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଛି। ମାଣ୍ଡିଆ ଚାଷ ପାଇଁ ଜିଲାର ମୃତ୍ତିକା ଏବଂ ଜଳବାୟୁ ସହାୟକ ହେଉଛି।
ବ୍ଲକ କୃଷି ଅଧିକାରୀ ଅନିରୁଦ୍ଧ ବେହେରାଙ୍କ ସୂଚନା ଅନୁଯାୟୀ, ବ୍ଲକର କାଦବରାଙ୍ଗ, ଆଡ଼ିଆ, ବଡ଼ମହିଷଗୋଠ, ଷେଣ୍ଢତିରା, ଗୋପୀନାଥପୁର ସମେତ ୧୭ ପଞ୍ଚାୟତରେ ୬୪.୩୯ ହେକ୍ଟର ଜମିରେ ମିଲେଟ ଚାଷ କରାଯାଇଛି। ୨୭ ହେକ୍ଟର ଜମିରେ କେବଳ ମାଣ୍ଡିଆ ଚାଷ କରାଯାଇଥିବା ବେଳେ ଅବଶିଷ୍ଟ ୩୭.୩୯ ହେକ୍ଟର ଜମିରେ ସୋରଶୁମ ଏବଂ ଜୱାର ଚାଷ କରାଯାଇଛି। ଏଥିରୁ ପ୍ରାୟ ୨୫୦ କୁଇଣ୍ଟାଲ ମିଲେଟ ଉପତ୍ାଦନ ଲକ୍ଷ୍ୟ ରଖାଯାଇଛି। ଏହି ଚାଷ ସଫଳ ହୋଇଥିବାରୁ ରବି ଋତୁରେ ଚାଷୀଙ୍କ ଆଗ୍ରହକୁ ଲକ୍ଷ୍ୟ ରଖି ଜିଲାରେ ୩୭.୬୧ ହେକ୍ଟର ଜମିରେ ସୋରଶୁମ୍‌, ୭୫ ହେକ୍ଟର ଜମିରେ ବାଜରା ଓ ୨୩ ହେକ୍ଟର ଜମିରେ ମାଣ୍ଡିଆ ଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ସେ କହିଛନ୍ତି। ତେବେ ରବି ଋତୁରେ ବ୍ଲକରେ ଜଳସେଚନ ସୁବିଧା ନ ଥିବାରୁ କମ୍‌ ପରିମାଣ ଜମିରେ ମାଣ୍ଡିଆ ଚାଷ କରାଯିବ ବୋଲି କୁହାଯାଇଛି।
ଜିଲାର ମୁଖ୍ୟ ଫସଲ ଧାନ। ସରକାରୀ ଦରରେ ଧାନ ବିକ୍ରି ପାଇଁ ଚାଷୀଙ୍କୁ ସମସ୍ୟା ହେଉଥିବାରୁ ମିଲେଟ୍‌ ଚାଷ ପ୍ରତି ଚାଷୀଙ୍କର ଆଗ୍ରହ ଦେଖାଦେଇଛି। ଏହାବ୍ୟତୀତ ଧାନର ଏମ୍‌ଏସ୍‌ପି କୁଇଣ୍ଟାଲ ପିଛା ୨,୧୮୩ ଟଙ୍କା ରହିଥିବା ବେଳେ ମିଲେଟ୍‌ର ଏମ୍‌ଏସ୍‌ପି ୩,୮୪୬ ଟଙ୍କା ରହିଥିବାରୁ ଚାଷୀମାନେ ଏଥିରୁ ଅଧିକ ଲାଭବାନ ହେବେ ବୋଲି ଆଶା ରଖିଛନ୍ତି। ମିଲେଟ୍‌ ଉପତ୍ାଦିତ ପୁଷ୍ଟିକର ଖାଦ୍ୟ ପରିବେଷଣ ପାଇଁ ଜିଲାରେ ଭଦ୍ରକ ଏବଂ ବନ୍ତରେ ୨ଟି ଟିଫିନ୍‌ ସେଣ୍ଟର ଖୋଲିବାକୁ ଏଜେନି୍ସ ନିଯୁକ୍ତି ଦିଆଯାଇଛି। ଖରିଫ୍‌ରେ ଚାଷ କରିବା ପାଇଁ ଚାଷୀମାନଙ୍କୁ ବିହନ ଯୋଗାଇଦେବା ସହ ହେକ୍ଟର ପିଛା ୯ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ ବ୍ୟବସ୍ଥା ରହିଛି। ଖରିଫ୍‌ ଅପେକ୍ଷା ରବି ଋତୁରେ ଗରମ ଜଳବାୟୁ ଚାଷ ଉପଯୋଗୀ ହେବା ସହ ଅଧିକ ଅମଳ ମିଳିବ ବୋଲି ଜିଲା କୃଷି ଅଧିକାରୀ ନାରାୟଣ ଉପାଧ୍ୟାୟ କହିଛନ୍ତି।