‘ଚାଷ ନ ହୋଇ ଏମ୍‌ଏସ୍‌ପି ନେବାକୁ ହୋଇଛି ମସୁଧା’

ଭୁବନେଶ୍ବର,୨୧।୧୨(ବ୍ୟୁରୋ): ଓଡ଼ିଶାରେ କ୍ରମାଗତ ଧାନକିଣାରେ ଦୁର୍ନୀତି, ମଣ୍ଡି ପରିଚାଳନାରେ ଅବ୍ୟବସ୍ଥା ଓ ଚାଷୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ହସ୍ତକ୍ଷେପ କରିବାକୁ ମଙ୍ଗଳବାର ଓଡ଼ିଶାର ଭାଜପା ଏମ୍‌ପିମାନେ ନୂଆଦିଲ୍ଲୀଠାରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟି ଏକ ସ୍ମାରକପତ୍ର ଦେଇଛନ୍ତି। ଏନେଇ ଏମ୍‌ପି ବସନ୍ତ ପଣ୍ଡା କହିଛନ୍ତି, ନକଲି ଚାଷୀ, ଠକ ବେପାରୀମାନେ ମଣ୍ଡି କର୍ମଚାରୀଙ୍କ ସହ ଅସାଧୁ ମେଣ୍ଟକରି ଧାନ ବିକ୍ରି ନିମନ୍ତେ ଟୋକନ ହାତେଇବା ସହିତ ସରକାରୀ ଏମ୍‌ଏସ୍‌ପିକୁ ହରିଲୁଟ କରୁଛନ୍ତି। ସାଟେଲାଇଟ ସର୍ଭେରେ ଚଳିତ ଖରିଫ ଋତୁରେ ୫ ଲକ୍ଷ ୫୪ ହଜାର ୬୭୯ ଏକର ଭୂତଜମି ବୋଲି ଜଣାପଡ଼ିଛି। ମାତ୍ର ଏ ବାବଦରେ ୧୭୧୫ କୋଟି ଟଙ୍କାର ଏମ୍‌ଏସ୍‌ପି ସହାୟତା ପାଇବାକୁ ମସୁଧା ହୋଇଛି। ତେବେ ସାଟେଲାଇଟ ସର୍ଭେରେ ଜଣାପଡ଼ିଥିବା ଭୂତଜମି ରିପୋର୍ଟ କିଏ କଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଆହୁରି କହିଛନ୍ତି, ଭାରତ ସରକାର ଧାନ କିଣା ପାଇଁ ପ୍ରୋସତ୍ାହନ ଦେଉଛନ୍ତି। ଏହାଦ୍ୱାରା ସ୍ଥାନୀୟ ଚାଷୀମାନେ ଏମ୍‌ଏସ୍‌ପିର ଲାଭ ନେଉଛନ୍ତି। ମାତ୍ର ରାଜ୍ୟ ସରକାରଙ୍କ ଅବ୍ୟବସ୍ଥା ଯୋଗୁ ଧାନ ସଂଗ୍ରହ ପ୍ରକ୍ରିୟା ଓଡ଼ିଶାର ଚାଷୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ୧୬ ମାର୍ଚ୍ଚ ୨୦୨୧ ଏବଂ ୨୨ ଡିସେମ୍ବର ୨୦୨୨ରେ ଆର୍‌ଏମ୍‌ଏସି, ମଣ୍ଡି ସୋସାଇଟିରେ ଚାଲିଥିବା ଦୁର୍ନୀତି ଓ ଅବ୍ୟବସ୍ଥା ସମ୍ପର୍କରେ ଆମ ଦଳ ତରଫରୁ ଭାରତ ସରକାରଙ୍କ ବିଭାଗୀୟ ମନ୍ତ୍ରଣାଳୟକୁ ବିସ୍ତୃତ ସୂଚନା ଦିଆଯାଇଥିଲା। ଏହି ଦୁର୍ନୀତିକୁ ନେଇ କେନ୍ଦ୍ରୀୟ ଟିମ୍‌ କରିଥିବା ତଦନ୍ତରେ ମଧ୍ୟ ଉକ୍ତ ବିଷୟରେ ମତ ରଖିଥିଲା। ମାତ୍ର ଦୁର୍ଭାଗ୍ୟଜନକ ଭାବେ ରାଜ୍ୟ ସରକାର କେନ୍ଦ୍ରୀୟ ତଦନ୍ତକାରୀ ଟିମ୍‌ ଦେଇଥିବା ରିପୋର୍ଟ ଓ ପରାମର୍ଶକୁ ଉପେକ୍ଷା କରିଛନ୍ତି, ଯାହା ବର୍ତ୍ତମାନ ରାଜ୍ୟରେ ଚାଲିଥିବା ଧାନ କିଣା ପ୍ରକ୍ରିୟାରେ ହେଉଥିବା ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ ହେଉଛି। ସରକାରୀ ଭାବେ ଖରିଫ୍‌ ଧାନକିଣା ବ୍ୟବସ୍ଥା ଅକ୍ଟୋବରରୁ ଆରମ୍ଭ ହୋଇଥାଏ। ଧାନକିଣାକୁ ବ୍ୟବସ୍ଥିତ କରିବା ପାଇଁ ଏହାର ସମୟସୀମା ରହିଛି ୧୫୧ ଦିନ। ମାତ୍ର ଓଡ଼ିଶାରେ କିଛି ଜିଲାକୁ ଛାଡ଼ିଦେଲେ ଡିସେମ୍ବର ତୃତୀୟ ସପ୍ତାହ ସୁଦ୍ଧା ମଣ୍ଡି ଖୋଲିନାହିଁ। ନିକଟରେ ହୋଇଥିବା ଡ୍ରୋନ୍‌ ସର୍ଭେ ରିପୋର୍ଟ ଅନୁସାରେ ପ୍ରାୟ ୩୫ ପ୍ରତିଶତ ଚାଷ ଜମିରୁ ଫସଲ ଅମଳ ସରିଛି। ଅପରପକ୍ଷେ ଅଧିକାଂଶ ଉପକୂଳବର୍ତ୍ତୀ ଜିଲାରେ ଏପର୍ଯ୍ୟନ୍ତ ମଣ୍ଡି ଖୋଲିନାହିଁ ବୋଲି ବସନ୍ତ କହିଛନ୍ତି।