କଥା ଦୁଇଟି ପଇଡ଼ର

ଡ. ସୁବାସ ଚନ୍ଦ୍ର ପାତ୍ର

ମୁଁ ପ୍ରଥମଥର ଦେଖିଥିବା ଜଣେ ଅପରିଚିତ ଯୁବକ କୌଣସି ଆନୁଷ୍ଠାନିକ କାମରେ ଆମ ଘରେ ପହଞ୍ଚିଲା। ତା’ର ମୋଠୁ ଦସ୍ତଖତଟିଏ ସଂଗ୍ରହ କରିବାର ଥିଲା, ଯାହାକୁ ନେଇ ସେ ବିଶ୍ୱବିଦ୍ୟାଳୟରେ ଦେବ। ଦସ୍ତଖତ କରିବା ଥିଲା ମୋର କର୍ତ୍ତବ୍ୟ ଏବଂ ଏହା ସମ୍ପାଦନ ପରେ ପୁତ୍ରସମ ଯୁବକଟିକୁ ଶୁଭେଚ୍ଛା ଜଣେଇ ବିଦାୟ ଦେଉଥିଲା ବେଳେ ସେ ରହିଗଲା। ବ୍ୟାଗ ଭିତରୁ ବାହାର କଲା ଦୁଇଟି ଅତିକୋମଳ, ମୁଣ୍ଡକଟା ପଇଡ଼। ମୁଁ ପଚାରିଲାରୁ କହିଲା, ‘ଆପଣ ପିଇବେ। ମୁଁ ବେଶି କିଛି ଦାମିକା ଜିନିଷ ଆଣି ପାରିନି।’
ସେ ଅଟୋଟି ଧରି ଚାଲିଗଲା ବସଷ୍ଟାଣ୍ଡ ରାସ୍ତାରେ, ମୋତେ ଛାଡ଼ି ଦେଇଗଲା ଭାବନା ରାଜ୍ୟରେ ଉଠ୍‌ପଡ୍‌ ହେବାପାଇଁ। ହଠାତ୍‌ ସେ ପଇଡ଼ ଦୁଇଟି ମୋତେ ଭିନ୍ନ ରୂପରେ ଦେଖାଦେଲେ। ସେହି ବୟସର ମୁଣ୍ଡକଟା ହୋଇ ନ ଥିବା ପଇଡ଼ ମାଟିଘଟି ଉପରେ ବସାଯାଏ। ଦିବ୍ୟତ୍ୱ ଆରୋପ ପାଇଁ କେତେବେଳେ ତା’ ଦେହରେ ସିନ୍ଦୂରରେ ଓଁ ଲେଖି ଦିଆଯାଇଥାଏ ତ କେତେବେଳେ ତ୍ରିନେତ୍ର ଚକ୍ଷୁଚିତା ଲଗେଇ ଆହୁରି ଦିବ୍ୟ ଆକର୍ଷଣ ଖଞ୍ଜି ଦିଆଯାଏ । ସେ ପଇଡ଼ ଦୁଇଟି ଅନ୍ତରାଳରେ ଦେଖୁଥିଲି ସେ ଯୁବକର ନିଷ୍କପଟ ହୃଦୟର ଚିତ୍ର। ହଠାତ୍‌ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ କହିଲି, ”ଭାରତୀୟ ଯୁବଗୋଷ୍ଠୀ ଭିତରେ କେତେ ଦିବ୍ୟତ୍ୱ, କେତେ ମହନୀୟତା ସାଇତି ରଖିଛ ପ୍ରଭୁ !“ ସଞ୍ଜବେଳେ ତାକୁ ହ୍ବାଟ୍‌ସଆପରେ ମେସେଜ କରିଥିଲି କାର୍ଯ୍ୟ ତା’ର ସମ୍ପାଦନ ହେଲା କି ନାହିଁ। ଗୋଟିଏ ଛୋଟ ମେସେଜ ଦେଇ ଲେଖିଲା, ”ସାର୍‌, ଆପଣ କେତେ ଭଲ, ମୋର ଟିକିନିଖି ଖବର ରଖୁଛନ୍ତି, ମୋର ଯତ୍ନ ନେଉଛନ୍ତି।“ ମୁଁ ଏଥିରେ ଉଲ୍ଲସିତ ହେଲିନାହିଁ, କାରଣ ମୁଁ ଜଣେ ବୟସ୍କ ମଣିଷ। ପିଲାଟି ମୋ ପୁଅ ପରି। କିନ୍ତୁ ପଇଡ଼ ଦୁଇଟି ଉପରୁ ମୁଁ ଆଖି ହଟେଇ ପାରୁ ନ ଥିଲି। ମନେପଡ଼ିଲେ ଏହି ପିଲାପରି ଆଉ କିଛି କିଶୋର ଦିବ୍ୟ ଚରିତ୍ରମାନେ।
ବହୁତ ବର୍ଷ ତଳର କଥା। ମୋ ପାଖରେ ସେତେବେଳେ କିଛି ପିଲା ପଢୁଥିଲେ। ସେମାନଙ୍କ ଭିତରେ ସବୁବେଳେ ହସୁଥିବା କିଶୋରଟିଏ ଥାଏ। ନାମ ତା’ର ବୁଲୁ। ମୋ ପାଖକୁ ଭିଡ଼ିିକରି ବସେ। କହେ ମୋ ଉପରେ ତା’ର ଅଧିକ ଅଧିକାର। ବେଳେବେଳେ ମୋ ପଞ୍ଜାବୀ ପକେଟରେ ହାତ ପୂରେଇ ଚୁପ୍‌ଚାପ ବସେ ଯେମିତି କିଛି ହେଇନି। ବିପରୀତ ଦିଗରୁ ପିଲାଏ ଦେଖି କହନ୍ତି, ‘ସାର୍‌, ବୁଲୁ ଆପଣଙ୍କ ପକେଟରେ ହାତ ପୂରେଇଛି।’ କଥାଟି ଖବର ହେଲାବେଳକୁ ହାତ ତାହାର ସ୍ବସ୍ଥାନକୁ ଫେରିଯାଇଥାଏ। ପୁଣି କେତେବେଳେ ମୋ ଶାଲ୍‌ର କାନିରେ ସେ କଲମ ଗୁଡଉଥାଏ। ତାହା ଦେଖାଯାଏ, ରିପୋର୍ଟ ମଧ୍ୟ ହୁଏ ମାତ୍ର କଲମ ସେତେବେଳକୁ ଫେରିଯାଇଥାଏ ପାଠ ଲେଖିବାକୁ। ଦିନକ ପରେ ପିଲାମାନେ ଆସିଲେ, ସମସ୍ତେ ମୁହଁ ଶୁଖେଇ ବସିଛନ୍ତି। କାରଣ ପଚାରିଲାରୁ କହିଲେ, ‘ସାର୍‌, ମନ ଭଲ ଲାଗୁନାହିଁ। ବୁଲୁ ଚାଲିଗଲା।’ ‘ମାନେ?’ ‘ସେ ବାଲେଶ୍ୱର ଷ୍ଟେଶନର ରେଳ ଧାରଣାରେ ଆତ୍ମହତ୍ୟା କରିଦେଇଛି।’ ପାଠ ସ୍ଥଗିତ ରହିଲା। ତା’ପରଦିନ ଡାକବାଲା ପୋଷ୍ଟକାର୍ଡ଼ଟିଏ ଦେଇଗଲା। ସେଥିରେ ଲେଖାଥିଲା , ‘ସାର୍‌ , ମଁୁ ଯାଉଛି। ଦୁଃଖ ଲାଗୁଛି, ମୁଁ ଏତେଦିନ ଆପଣଙ୍କ ପାଖରେ ପଢ଼ିଲି କିନ୍ତୁ ପଇସା ଦେଇପାରିଲି ନାହିଁ। ପରଜନ୍ମରେ ଆପଣଙ୍କ ପୁଅହୋଇ ସବୁ ଶୁଝିଦେବି।’ ସବୁବେଳେ ହସୁଥିଲା ବୁଲୁ। ‘ହସିହସି ଚାଲିଗଲା ମୋତେ କନ୍ଦେଇ କନ୍ଦେଇ।’
୨୦୦୦ ମସିହା। ବାଣୀବିହାର ଛକରେ ଛିଡ଼ା ହୋଇଛି ବାଲେଶ୍ୱର ବସ୍‌କୁ ଅପେକ୍ଷାକରି। ହଠାତ୍‌ ଆଖି ପଡ଼ିଲା ଫକୀରମୋହନ କଲେଜର ମୋର ପୁରାତନ ବିଜ୍ଞାନର ଛାତ୍ରୀ ନୁସରତ୍‌ ଉପରେ। ତା’ ସହିତ କଥା ହେଉ ହେଉ ସେ କହିଲା ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ, ବାଙ୍ଗାଲୋରରେ ଡକ୍ଟରେଟ୍‌ କରିବା ପାଇଁ ମନୋନୀତ ହୋଇଛି। ମୁଁ ତାକୁ କହିଲି, ‘ନୁସ୍‌ରତ, ବାଙ୍ଗାଲୋରରେ ମୋର ଜଣେ ଆତ୍ମୀୟସ୍ବଜନଙ୍କ ହୃଦ୍‌ ସର୍ଜରି ହେବ। ସେମାନେ ରକ୍ତ ଯୋଗାଡ଼ କରିବାକୁ ଲେଖିଛନ୍ତି। ମୁଁ ବାଲେଶ୍ୱରରୁ କାହାକୁ ବା ନେବି, କେତେଜଣଙ୍କୁ ନେଇଯିବି? ତୁ ବାଙ୍ଗାଲୋର ଗଲେ ଦେଖିବୁ କିଛି ସାହାଯ୍ୟ କରିପାରିବୁ କି?’ ବହୁତ ଦୃଢ଼ମନା, ଆତ୍ମବିଶ୍ୱାସରେ ଭରପୂର ଝିଅ ନୁସ୍‌ରତ। ସଙ୍ଗେ ସଙ୍ଗେ କହିଲା, ‘ମୋର, ଢେର ସାଙ୍ଗ ଅଛନ୍ତି ସେଠି। ଆପଣ ସେଠି ପହଞ୍ଚି ଖବର ଦେବେ।’ ୨୦୦୦ ମସିହା ମେ ମାସ ୨୦ ତାରିଖ। ଆମେ ବାଙ୍ଗାଲୋରରେ ପହଞ୍ଚି ତାକୁ ଖବର ଦେଲୁ। ସେ କହିଲା, ‘ସାର୍‌, ରକ୍ତଦାନ ଦିବସ ସ୍ଥିରୀକୃତ ହେଲେ ଜଣାଇବେ।’ ନିର୍ଦ୍ଧାରିତ ଦିନ। ନୁସ୍‌ରତ ପହଞ୍ଚିଗଲା ତା’ର ୫/୬ ଜଣ ସାଙ୍ଗକୁ ନେଇ। କେତେ ରକ୍ତ ନେଉଛ ନିଅ! ସେମାନଙ୍କର ବିଶୁଦ୍ଧ ରକ୍ତ ଓ ବିଶୁଦ୍ଧ ଶୁଭେଚ୍ଛା ବଳରେ ମୋର ଆତ୍ମୀୟଙ୍କ ହାର୍ଟ ଅପରେଶନ ସଫଳତାର ସହ ଶେଷ ହେଲା। ନୁସ୍‌ରତ ଆଜି ଭାରତବର୍ଷର ଜଣେ ପ୍ରତିଷ୍ଠିତ ଯୁବ ବୈଜ୍ଞାନିକ। କ୍ୟାନସର ରୋଗ ପ୍ରତିରୋଧ ଉପରେ କାମ କରୁଛି।
୩୮ ବର୍ଷର ଅଧ୍ୟାପନା ଜୀବନରେ ମୁଁ ଏହି ବୁଲୁ, ନୁସ୍‌ରତ ଓ ପଇଡ଼ନେଇ ଆସିଥିବା ଅପରିଚିତ ପଦ୍ମଲୋଚନମାନଙ୍କୁ ବହୁ ନିକଟରୁ ଦେଖିଛି। ଅନେକ ସମୟରେ ସେମାନଙ୍କ ଅନ୍ତର୍ନିହିତ ଗୁଣ ମୋତେ କ୍ଷୁଦ୍ର କରି ଗଢ଼ିତୋଳିଛି। ବେଳେବେଳେ ସେମାନଙ୍କ ଭିତରେ ସ୍ବତଃଜାଗ୍ରତ ଦିବ୍ୟତା ପାଖରେ ପରାସ୍ତ ମଧ୍ୟ ହୋଇଛି। ଏମାନେ ଜଣେ ଜଣେ ମୂର୍ତ୍ତ, ଚଳମାନ ଦେବଶିଶୁ। ମଦର ଟେରେସା ଏହିମାନଙ୍କ କଥା କୁହନ୍ତି। ଏମାନେ କେତେ ପରିଚିତ, ପୁଣି କେଡ଼େ ସ୍ବର୍ଗୀୟ, ଦୈବ ଆତ୍ମପ୍ରକାଶର କେଡ଼େ ନିର୍ଭରଯୋଗ୍ୟ ମାଧ୍ୟମ! ନିଜ ଆଦ୍ୟ ଜୀବନର ଅନୁଭୂତି ବଖାଣିବାକୁ ଯାଇ ମଦର କହନ୍ତି, କିପରି ଥରେ ରାତିରେ ଆଶ୍ରମରେ ରାଶନ ନ ଥିବା ଯୋଗୁ ସେମାନେ ବ୍ୟସ୍ତ ହେଉଥିବାବେଳେ ଜଣେ ଭଦ୍ରମହିଳା ପଶି ଆସିଲେ ଏବଂ ବାହାରକୁ ଯାଉଥିବାରୁ ନିଜ ଘରେ ଥିବା ଡାଲି-ଚାଉଳ ଆଶ୍ରମକୁ ଦେଇଯିବା ପାଇଁ ଆଗ୍ରହ ପ୍ରକାଶ କଲେ। ମଦର ଆଶ୍ୱସ୍ତ ହେଲେ ଏବଂ କିଛି ସମୟ ପରେ ଭଦ୍ରମହିଳା ଜଣକ ତାଙ୍କ ବଳକା ସାମଗ୍ରୀତକ ଦେଇଗଲେ। ମଦରଙ୍କ ଅନୁସନ୍ଧିତ୍ସା ବଢ଼ିଲା। ସେ ଅନ୍ତେବାସିନୀମାନଙ୍କୁ କହିଲେ, ସେ ଚାଉଳତକ ଛୋଟ ମାପ ଡବାରେ ମାପି ଦେବାକୁ ଏବଂ ଦେଖାଗଲା ଠିକ୍‌ ଯେତିକି ଡବା ଚାଉଳ ରାତି ପାଇଁ ଦରକାର ଠିକ୍‌ ସେତିକି ହିଁ ଚାଉଳ ଥିଲା ବ୍ୟାଗରେ!
ଏତେ ଦିବ୍ୟ ସମ୍ଭାବନା ଥିବା ଭାରତର ଯୁବଗୋଷ୍ଠୀର ଆଜିର ଏ ଅବସ୍ଥା କ’ଣ ପାଇଁ?
ସ୍ବାଭିମାନ ଓ ସ୍ବାଧୀନତା ରହିତ ଭାରତର ଯୁବଗୋଷ୍ଠୀ ଆଜି ରାଜନେତାମାନଙ୍କ କବଳରେ। ସେମାନଙ୍କର ବର୍ତ୍ତମାନ ଓ ଭବିଷ୍ୟତ ସେମାନଙ୍କ ନିୟନ୍ତ୍ରଣରେ ନାହିଁ। ତାହା ବନ୍ଧା ପଡ଼ିଛି ଅନ୍ୟ ଜାଗାରେ।
ରାଜନେତାମାନଙ୍କ ଯାବତୀୟ ଶୋଷଣ ସତ୍ତ୍ୱେ ମୁଁ ଭାରତୀୟ ଯୁବଗୋଷ୍ଠୀଙ୍କ ଭବିଷ୍ୟତ ସମ୍ବନ୍ଧରେ ଆଶାବାଦୀ। ମୋ ଟେବୁଲ ଉପରେ ଦୁଇଟି ପଇଡ଼ ଥୋଇ ଦେଇଥିବା ସେହି ଶିକ୍ଷିତ ଯୁବକର ମୁହଁ ଏବେ ବି ଦେଖାଯାଉଛି, ଆଉ ଦେଖାଯାଉଛି ତା’ର ନିଷ୍କପଟ ଆତ୍ମବିଶ୍ୱାସ। ନିଜର ମନ, ସିଦ୍ଧାନ୍ତ, ଆତିଥ୍ୟ ଉପରେ କି ବିଶ୍ୱାସ! ସମାଜରେ ଆଜି ବିଶ୍ୱାସର ସଂକଟ- ନିଜ ଉପରେ, ପରସ୍ପର ଭିତରେ। ଭାବୁଛି ପଦ୍ମଲୋଚନର ବ୍ୟକ୍ତିଗତ ବିଶ୍ୱାସ ସାର୍ବଜନୀନ ହୋଇଉଠିବ ଦିନେ!
ପୂର୍ବତନ ଅଧ୍ୟକ୍ଷ, ଜେଲ ରୋଡ଼, ବାଲେଶ୍ୱର, ମୋ. : ୯୪୩୭୩୭୬୨୧୯


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri