ରାଜ୍ୟରେ ଚାଲୁଛି ୪୯ ଶୀତଳଭଣ୍ଡାର

ଭୁବନେଶ୍ୱର,୬।୧୨(ବ୍ୟୁରୋ): ରାଜ୍ୟରେ ସମୁଦାୟ ୧୩୧ଟି ଶାତଳଭଣ୍ଡାର ପ୍ରତିଷ୍ଠା ହୋଇଛି। ସେଥିରୁ ୨ଟି ଶୀତଳ ଭଣ୍ଡାର ଆଳୁ ମିଶନ ଅଧୀନରେ ହୋଇଛି। ଆଳୁ ମିଶନ ବାବଦରେ ୩୦୨ ଲକ୍ଷ ଟଙ୍କା ଅର୍ଥ ବ୍ୟୟ ହୋଇଛି। ଏତଦ୍‌ ବ୍ୟତୀତ ବିଦ୍ୟୁତ୍‌ ଶୁଳ୍କ ରିହାତି ବାବଦରେ ୯୩.୭୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ୨୦୧୪-୧୫ ଆର୍ଥିକ ବର୍ଷରେ ରାଜ୍ୟର ୩୦ ଜିଲାରେ ଆଳୁ ମିଶନ ପୂର୍ବରୁ ମୋଟ ୨.୬୯ ଲକ୍ଷ ମେଟ୍ରିକ ଟନ୍‌ ଉତ୍ପାଦନ ହୋଇଥିଲା। ସେହିପରି ଆଳୁ ମିଶନ ସମୟରେ ସାମାନ୍ୟ ଅଧିକ ଉତ୍ପାଦନ ହୋିତିଲେ ମଧ୍ୟ ଏତେଟା ଉତ୍ସାହଜନକ ନ ଥିଲା। ୨୦୧୫-୧୬ ଆର୍ଥିକ ବର୍ଷରେ ରାଜ୍ୟରେ ମୋଟ ୨.୭୯ ଲକ୍ଷ ମେଟ୍ରିକ ଟନ୍‌ ଆଳୁ ଉତ୍ପାଦନ ହୋଇଥିଲା। ୨୦୧୬-୧୭ ଆର୍ଥିକ ବର୍ଷରେ ମୋଟ ୩.୦୨ ଲକ୍ଷ ମେଟ୍ରିକ ଟନ୍‌ ଆଳୁ ଉତ୍ପାଦିତ ହୋଇଥିଲା। ସେହିପରି ୨୦୧୭-୧୮ ଆର୍ଥିକ ବର୍ଷରେ ମୋଟ ୨.୯୮ ଲକ୍ଷ ମେଟ୍ରିକ ଟନ୍‌ ଆଳୁ ଉତ୍ପାଦନ ହୋଇଛି। ଆଳୁ ମିଶନ ପରେ ୨୦୧୮-୧୯ ଆର୍ଥିକ ବର୍ଷରେ ମୋ ୨.୯୦ ଲକ୍ଷ ମେଟ୍ରିକ ଟନ୍‌ ଆଳୁ ଉତ୍ପାଦନ ହୋଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ ୨.୯୫ ଲକ୍ଷ ମେଟ୍ରିକ ଟନ୍‌ ଆଳୁ ଉତ୍ପାଦନ ହୋଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ମୋଟ ୩.୧୦ ଲକ୍ଷ ମେଟ୍ରିକ ଟନ୍‌ ଆଳୁ ଉତ୍ପାଦନ ହୋଇଛି ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।

ବିଧାୟକ ମୋହନ ଚରଣ ମାଝୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ସାହୁ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ୪୯ଟି ଶୀତଳଭଣ୍ଡାର କାର୍ଯ୍ୟକ୍ଷମ ଅଛି। ଏବେ ୮୨ଟି ଶୀତଳ ଭଣ୍ଡାର ଅଚଳ ଅବସ୍ଥାରେ ଅଛି। ଅଚଳ ଅବସ୍ଥାରେ ଥିବା ଶୀତଳଭଣ୍ଡାରକୁ ସଚଳ କରିବା ପାଇଁ ଏହାର ସମ୍ଭାବ୍ୟତା, କରଣୀୟତା ଓ ସାଧନଯୋଗ୍ୟତାକୁ ବିଚାରକୁ ନେଇ ନିୟମାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶୀତଳବଣ୍ଡାର ଗୁଡିକର ପୂର୍ଣ୍ଣ କ୍ଷମତା ଉପଯୋଗ ସମ୍ପୂର୍ଣ୍ଣ ଭାବେ ଉଦ୍ୟଗୀମାନଙ୍କ ଦାୟିତ୍ୱ ଅଟେ। ମାତ୍ର ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ଶୀତଳ ଭଣ୍ଡାର ପାଇଁ ୩ ବର୍ଷ ଯଥା ୨୦୨୧-୨୨, ୨୦୨୨-୨୩ ଏବଂ ୨୦୨୩-୨୪ ପର୍ଯ୍ୟନ୍ତ ୫୦ ପ୍ରତିଶତ ହାରରେ ବିଦ୍ୟୁତ୍‌ ଶୁଳ୍କ ଉପରେ ରିହାତି ପ୍ରଦାନ କରାଯାଉଛି। ରାଜ୍ୟରେ ଆଳୁ ଓ ଆଳୁ ବିହନ ଉତ୍ପାଦନ ବୃଦ୍ଧି ଓ ରାଜ୍ୟକୁ ସ୍ବାବଲମ୍ବି କରିବା ପାଇଁ ଚାଷୀମାନଙ୍କୁ ହେକ୍ଟର ପିଛା ୫୮ ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯାଉଛି। ରାଜ୍ୟରେ ଆଳୁ ଓ ଆଳୁ ବିହନ ଉତ୍ପାଦନ ବୃଦ୍ଧି, ରାଜ୍ୟକୁ ସ୍ବଳ୍ପ ଓ ବ୍ୟୟ ଉପଯୋଗୀ ମୂଲ୍ୟରେ ଆଳୁ ବିହନ ଚାଷୀଙ୍କୁ ଯୋଗାଇଦେବା, ପ୍ରୟୋଗଶାଳାରେ ନୂତନ ଜ୍ଞାନକୌଶଳ ପ୍ରୟୋଗ କରି ଆଳୁ ବିହନ ଉତ୍ପାଦନ କ୍ଷେତ୍ରରେ ରାଜ୍ୟକୁ ସ୍ବାବଲମ୍ବୀ କରିବା ଲାଗି ଘରୋଇ ସଂସ୍ଥା ଆନ୍ତର୍ଜାତୀୟ ଆଳୁ କେନ୍ଦ୍ର(ସିଆଇପି)କୁ ପ୍ରୋତ୍ସାହନ ଦିଆଯାଉଛି। ସେହିପରି ବିଧାୟକ ପ୍ରଶାନ୍ତ ବେହେରା ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ସାହୁ କହିଛନ୍ତି, ରାଜ୍ୟର ୨୮୨ଟି ବ୍ଲକରେ କୌଣସି ଶୀତଳଭଣ୍ଡାର ପ୍ରତିଷ୍ଠା ହୋଇନାହିଁ। ରାଜ୍ୟର ୩୨ ବ୍ଲକରେ ସମୁଦାୟ ୪୯ଟି ଶୀତଳଭଣ୍ଡାର ସଚଳ ଅବସ୍ଥାରେ ଅଛି।