ରାଜ୍ୟରେ ୪୮୫୩ ସୁନା ଦୋକାନ

ଭୁବନେଶ୍ୱର,୨୫ା୩(ବ୍ୟୁରୋ):ରାଜ୍ୟରେ ମୋଟ ୪୮୫୩ ସୁନା ଦୋକାନ ଅଛି। ସେମାନଙ୍କ ମଧ୍ୟରୁ ୨୦୧୮-୧୯ରେ ୨୭୬ ଦୋକାନରେ ଚଢ଼ାଉ କରାଯାଇ ୬ ଲକ୍ଷ ୬ ହଜାର ୭୫୦ ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ୨୦୧୯-୨୦ରେ ୪୦୦ ସୁନା ଦୋକାନ ଉପରେ ଚଢ଼ାଉ କରାଯାଇ ୧୨ ଲକ୍ଷ ୪୮ ହଜାର ୪୫୦ ଏବଂ ୨୦୨୦-୨୧ରେ ଏ ପର୍ଯ୍ୟନ୍ତ ୧୯୬ ଦୋକାନ ଉପରେ ଚଢ଼ାଉ କରାଯାଇ ୪ ଲକ୍ଷ ୪୫ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବୁଧବାର କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି ପଚାରିଥିବା ମୂଳ ପ୍ରଶ୍ନ ନଂ. ୫୪୨ର ଉତ୍ତରରେ ଏହା କହିଛନ୍ତି। ତାରା ପଚାରିଥିଲେ, କୋରାପୁଟ ଜିଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପେଟ୍ରୋଲ ପମ୍ପ ମାଲିକ ମାପ ଏବଂ ଓଜନରେ ବ୍ୟାପକ ଠକେଇ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ମାପ ଓ ଓଜନ ନିର୍ଦ୍ଦେଶାଳୟର ଏକ ଶାଖା କୋରାପୁଟର ଜୟପୁରଠାରେ ଖୋଲିବେ କି। ବାଚସ୍ପତି ଦେଇଥିବା ରୁଲିଂ ଅନୁଯାୟୀ ଭୁବନେଶ୍ୱର ଓ କଟକରେ ଥିବା ବଡ଼ ବଡ଼ ସୁନା ଦୋକାନ ଉପରେ କେତେଥର ଚଢ଼ାଉ କରାଯାଇ କି ପଦକ୍ଷେପ ନିଆଯାଇଛି। ମନ୍ତ୍ରୀ କହିଥିଲେ, କୋରାପୁଟ ଜିଲାରେ ୪୮ ସୁନା ଦୋକାନ ରହିଛି। ସେଥିରୁ ୨୦୨୦ରେ ୫ ଓ ୨୦୨୧ରେ ଗୋଟିଏ ଦୋକାନ ଉପରେ ଚଢ଼ାଉ କରାଯାଇ ଯଥାକ୍ରମେ ୯ ହଜାର ଓ ୧୫ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି। ମାତ୍ର କଟକ ଓ ଭୁବନେଶ୍ୱର ସୁନା ଦୋକାନ ଉପରେ ମନ୍ତ୍ରୀ କୌଣସି ଉତ୍ତର ଦେଇ ନ ଥିଲେ। ଏହାକୁ ନେଇ ତାରା ଅସନ୍ତୋଷ ପ୍ରକାଶ କରିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଏ ସମ୍ପର୍କରେ ଉତ୍ତର ନ ମିଳିବାରୁ ଶୂନ୍ୟକାଳରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।