ଗୋଟିଏ ବସ୍ତିର ନାମ ୩ ପ୍ରକାର

ପାରାଦୀପ,୧।୫(ସ୍ବ.ପ୍ର.): ପାରାଦୀପ ପୌରାଞ୍ଚଳର ୧୯ ଓ୍ବାର୍ଡରେ ଥିବା ୫୫ ବସ୍ତିର ନାମ ଅଲଗା ରହିଛି। ସେଥିରୁ ଏମିତି କିଛି ବସ୍ତି ରହିଛି ଯାହାର ନାମ ଏକାଧିକ ରହିଛି। ସେଥିମଧ୍ୟରେ ୪ ନଂ. ଓ୍ବାର୍ଡର ଭିତରଗଡ ଅନ୍ୟତମ। ଏହାର ୩ଟି ନାମରେ ରହିଛି। ତା’ହେଲା ଭିତରଗଡ, ଉଦୟବଟ ଓ ଘନଗଳିଆ। ଏଭଳି ଏକାଧିକ ନାମ ପଛରେ ରୋଚକ କାହାଣୀ ରହିଛି।
୧୯୯୮ ପର୍ଯ୍ୟନ୍ତ ଅଠରବାଙ୍କୀରେ ଦୁଇଟି ବସ୍ତି ଥିଲା। ଗୋଟିଏ ଘନଗଳିଆ ଓ ଅନ୍ୟଟି ଇନ୍ଦିରା ପାର୍କ। ଏହାପରେ ପାରାଦୀପ ବନ୍ଦର ସମ୍ପ୍ରସାରଣ ପାଇଁ ଘନଗଳିଆ ବିସ୍ଥାପିତ ହୋଇଥିଲା। ସେହି ବସ୍ତିର ଲୋକଙ୍କୁ ଭିତରଗଡ ରାଜସ୍ବ ମୌଜାର ଉଦୟବଟ ଧାମ ପାଖରେ ଥଇଥାନ କରାଯାଇଥିଲା। ସେତେବେଳେ ଘନଗଳିଆଠାରେ ଥିବା ଯେତେ ସରକାରୀ ଅନୁଷ୍ଠାନ ମଧ୍ୟ ସ୍ଥାନାନ୍ତର ହୋଇଥିଲା। ଏପରିକି ଭିତରଗଡଠାରେ ଥିବା ସ୍କୁଲର ନାମ ଘନଗଳିଆ ପ୍ରାଥମିକ ବିଦ୍ୟାଳୟ ରଖାଯାଇଛି। ସେଥିପାଇଁ ଏପର୍ଯ୍ୟନ୍ତ ଲୋକେ ଏହାକୁ ଘନଗଳିଆ ବୋଲି କହୁଛନ୍ତି। ରାଜସ୍ବ ଗ୍ରାମ ଭିତରଗଡ ହୋଇଥିବାରୁ ସେହି ନାମରେ ମଧ୍ୟ ରହିଛି। ପ୍ରସିଦ୍ଧ ଉଦୟବଟ ଧାମ ସଲଗ୍ନ ହୋଇଥିବାରୁ ଏହାକୁ ଉଦୟବଟ ବୋଲି ମଧ୍ୟ କୁହାଯାଏ। ସବୁଠାରୁ କୌତୁହଳ ହେଲା ସରକାରୀ ଭାବେ ମଧ୍ୟ ଏହି ୩ଟି ନାମ ପ୍ରଚଳିତ ରହିଛି। ପୌରପାଳିକା ପକ୍ଷରୁ ଲଗାଯାଇଥିବା ଏକାଧିକ ଫଳକ ଓ ସରକାରୀ କାର୍ଯ୍ୟାଳୟରେ ୩ଟି ନାମ ଲେଖାଯାଇଛି। ଉକ୍ତ ବସ୍ତିରେ ଏବେ ପ୍ରାୟ ୨୭୦୦ ଘର ଥିବାବେଳେ ୫ ହଜାରରୁ ଊର୍ଦ୍ଧ୍ୱ ଲୋକ ରହୁଛନ୍ତି। ଏହି ବସ୍ତିର ଚତଃୁପାଶର୍‌ବ ଅଞ୍ଚଳ ଘର, ରାସ୍ତା ଓ କମ୍ପାନୀ ଆଦି ପାରାଦୀପ ଲକ୍‌ଥାନା ଅଧୀନରେ ଥିବାବେଳେ କେବଳ ବସ୍ତି କିଛି ଅଞ୍ଚଳ ପାରାଦୀପ ଆଦର୍ଶଥାନା ଅଧୀନରେ ରହିଛି। ଅଧିକାଂଶ ସମୟରେ କୌଣସି ଆପରାଧିକ ଘଟଣାବେଳେ ପୋଲିସ ଓ ସାଧାରଣ ଲୋକେ ଏପଟସେପଟ ହେଉଛନ୍ତି।
ଏ ସମ୍ପର୍କରେ ସ୍ଥାନୀୟ କାଉନସିଲର କେଦାର ଜେନା କୁହନ୍ତି, ବିସ୍ଥାପନ ଓ ଥଇଥାନ ଯୋଗୁ ଏପରି ହୋଇଯାଇଛି। ପରିବର୍ତ୍ତନ ପାଇଁ ଏଥର ପ୍ରସ୍ତାବ ରଖିବି। ସେହିପରି ପାରାଦୀପର ନେହେରୁବଙ୍ଗଳା ଅଞ୍ଚଳର ମଧ୍ୟ ଅନ୍ୟ ଏକ ନାମ ରହିଛି। ଏହାକୁ ସେକ୍ଟର ୨୧ ବୋଲି କୁହାଯାଏ। ବିଜୟଚନ୍ଦ୍ରପୁରର ଅନ୍ୟନାମ ହେଉଛି ତାରିଣୀଗଡା। ବାଉରିଆପାଳନ୍ଦା ଓ ବଙ୍ଗାଳି ପଡା ଗୋଟିଏ ବସ୍ତିକୁ କୁହାଯାଏ। ମଧୁବନ ଜଗନ୍ନାଥ ମନ୍ଦିର ପାଖ ବସ୍ତିକୁ ବଙ୍ଗାଳିପଡା ଓ ଜଗନ୍ନାଥ କଲୋନୀ ବୋଲି କୁହାଯାଏ। ସେମିତି କିଛି ରାସ୍ତାର ନାମ ମଧ୍ୟ ଏକାଧିକ ରହିଛି। ଯାହା ଆଗନ୍ତୁକ ଓ ନୂଆ ଲୋକଙ୍କୁ ବେଳେବେଳେ ଦ୍ବନ୍ଦ୍ୱରେ ପକାଇଥାଏ।