ସାମିଲ ହେଲେ ୨୭୫ ପ୍ରତିଯୋଗୀ

ଢେଙ୍କାନାଳ ଅଫିସ, ୧୦।୧୨: ଢେଙ୍କାନାଳ ଷ୍ଟାଡିୟମ୍‌ ପରିସରରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ୪ର୍ଥ ରାଜ୍ୟ ଆଦିବାସୀ ତୀରନ୍ଦାଜୀ ପ୍ରତିଯୋଗିତା। ରାଜ୍ୟ ତୀରନ୍ଦାଜୀ ସଂଘ ଓ ଢେଙ୍କାନାଳ ତୀରନ୍ଦାଜୀ ସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ୧୪ଟି ଜିଲା, କିଟ୍‌ ବିଶ୍ୱବିଦ୍ୟାଳୟ, ହିନ୍ଦୁସ୍ଥାନ ଏରୋନେଟିକ୍ସ, ସାଇ ଆଦି ଅନୁଷ୍ଠାନର ୨୭୫ ପ୍ରତିଯୋଗୀ ଭାଗ ନେଇଛନ୍ତି।
୩ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତାକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରିଗେଡିୟର କାମାକ୍ଷା ପ୍ରସାଦ ସିଂଦେଓ ତୀର ଚାଳନା କରି ଉଦ୍‌ଘାଟନ କରିଥିଲେ। ରାଜ୍ୟ ତୀରନ୍ଦାଜୀ ସଂଘ ସଭାପତି ଗୋକୁଳାନନ୍ଦ ପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରାଇଥିଲେ। ପ୍ରତିଯୋଗିତା କମିଟି ଅଧ୍ୟକ୍ଷ ତଥା ଜିଲାପାଳ ସରୋଜ କୁମାର ସେଠୀ କହିଲେ, ତୀରନ୍ଦାଜୀ ଆଦିବାସୀଙ୍କ ପାରମ୍ପରିକ ଖେଳ। ଏହାକୁ ବଜାୟ ରଖିବା ସହ ଜନଜାତି ବର୍ଗର ଯୁବଗୋଷ୍ଠୀଙ୍କୁ ଏଥିପ୍ରତି ଆକର୍ଷିତ କରାଇବା ଲାଗି ଏଭଳି ପ୍ରତିଯୋଗିତା ସୁଯୋଗ ସୃଷ୍ଟି କରିବ। ଏହା ସେମାନଙ୍କୁ ଅଲିମ୍ପିକ୍‌କୁ ଯିବାର ବାଟ ଦେଖାଇବ ବୋଲି ଜିଲାପାଳ କହିଥିଲେ। ଜିଲା ତୀରନ୍ଦାଜୀ ସଂଘ ସଭାପତି ନବୀନଚନ୍ଦ୍ର ନାରାୟଣ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ରାଜ୍ୟ ସମ୍ପାଦକ ସମ୍ପୂର୍ଣ୍ଣାନନ୍ଦ ଦାସ ବିବରଣୀ ପ୍ରଦାନ କରିଥିଲେ। ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ଓଡ଼ିଶା ରୋଇଂ ଆସୋସିଏଶନ ସଭାପତି ବିନୋଦ ଦାଶ, ରାଜ୍ୟ ସଂଘ ଉପସଭାପତି ପ୍ରଫେସର ସରୋଜ ସିଂ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ କ୍ରୀଡ଼ାରେ ଜୀବନବ୍ୟାପୀ ସାଧନା ପାଇଁ ବରିଷ୍ଠ କ୍ରୀଡ଼ାବିତ୍‌ ଶ୍ରଦ୍ଧାନନ୍ଦ ଦାସଙ୍କୁ ଲାଇଫ୍‌ଟାଇମ୍‌ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଥିଲା।
ଆଦିବାସୀଙ୍କ ପାରମ୍ପରିକ ତୀରଚାଳନା ଖେଳର ବିକାଶ ଲକ୍ଷ୍ୟରେ ରାଜ୍ୟ ତୀରନ୍ଦାଜୀ ସଂଘ ପକ୍ଷରୁ ବିଭିନ୍ନ ସ୍ଥାନରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବା ସୂଚନା ଦିଆଯାଇଛି। ଜିଲା ସଂଘ ଉପସଭାପତି ରାଜ କିଶୋର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଜିଲା ସଂଘ ସମ୍ପାଦକ ଅମୀୟ ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।