ଦୁଇ ଆସନରେ ୧୨ ପ୍ରାର୍ଥୀ

ନିରାକାରପୁର, ୧୦ା୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜମି ଆସିଲାଣି ପ୍ରଚାର। ପ୍ରାର୍ଥୀମାନେ ନିଜସ୍ବ ଢଙ୍ଗରେ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି। ପ୍ରତି ଗାଁ, ଓ୍ବାର୍ଡରେ ବସୁଛି ଘନ ଘନ ବୈଠକ। ଗାଁ ଓ୍ବାର୍ଡର ସମସ୍ୟା ବୁଝୁଛନ୍ତି। ସମାଧାନ ପାଇଁ ଭୋଟରଙ୍କୁ ନୂଆ ସମ୍ଭାବନା ଓ ପ୍ରତିଶ୍ରୁତି ଦେଇ ମନାଇବାକୁ ଉଦ୍ୟମ କରୁଛନ୍ତି। ଏହାରି ମଧ୍ୟରେ ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଡିଆ ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ ପଦ ପାଇଁ ୧୨ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ମୁକାବିଲା ହେବ। ସରପଞ୍ଚ ଆସନ ପାଇଁ ସାଧାରଣ ବର୍ଗ ହୋଇଥିବା ବେଳେ ଅଶୋକ କୁମାର ମହାପାତ୍ର, ସୁଜିତ୍‌ କୁମାର ବିଶ୍ୱାଳ, ବିଦୁଭୂଷଣ ମହାରଣା, ପ୍ରଶାନ୍ତ କୁମାର ବେହେରା, ଅରକ୍ଷିତ ଦଳେଇ, ନିରଞ୍ଜନ ରାଉତରାୟ ଓ ସୁଶାନ୍ତ କୁମାର ଦଳେଇ ପ୍ରାର୍ଥୀ ହୋଇଛନ୍ତି। ସେହିପରି ସମିତି ସଭ୍ୟ ପଦ ପାଇଁ ଉତ୍ତମ କୁମାର ମହାନ୍ତି, ସୁମିତ୍ରା ପାଇକରାୟ, ଦୁରୁନାଥ ଶର୍ମା, ସୁନିତା ପ୍ରଧାନ ଓ ସୂର୍ଯ୍ୟ ନାରାୟଣ ଦାସ ପ୍ରାର୍ଥୀ ରହିଛନ୍ତି।

୨୦୧୭ ନିର୍ବାଚନ ପୂର୍ବରୁ ନିରାକାରପୁରଠାରୁ ଅଲଗା ହୋଇ ଡିଆ ସ୍ବତନ୍ତ୍ର ପଞ୍ଚାୟତର ମାନ୍ୟତା ପାଇଥିଲା। ତେବେ ଏହି ପଞ୍ଚାୟତର ନିଜସ୍ବ କାର୍ଯ୍ୟାଳୟ ନାହିଁ। ଅବିଭକ୍ତ ନିରାକାରପୁର ପଞ୍ଚାୟତ କାର୍ଯ୍ୟାଳୟରେ ଥିବା ରାଜୀବ ଗୃହ ମଧ୍ୟରେ ଅସ୍ଥାୟୀ ଭାବେ ଡିଆ ପଞ୍ଚାୟତ କାର୍ଯ୍ୟ ଚାଲିଛି। ଡିଆ ପଞ୍ଚାୟତରେ ୧୧ଟି ଓ୍ବାର୍ଡ ରହିଥିବା ବେଳେ ୩୭୭୪ ଜଣ ମତଦାତା ଅଛନ୍ତି, ଯେଉଁଥିରେ ୧୯୬୫ ପୁରୁଷ ଓ ୧୮୦୯ ମହିଳା ଭୋଟର ରହିଛନ୍ତି। ୧୧ଟି ଓ୍ବାର୍ଡର ଓ୍ବାର୍ଡସଭ୍ୟ ପାଇଁ ୧ନଂ. ଓ୍ବାର୍ଡରେ ୨ଜଣ ପ୍ରାର୍ଥୀ ରହିଛନ୍ତି। ସେହିପରି ୨ନଂ.ରେ ଜଣେ ପ୍ରାର୍ଥୀ ରହିଥିବା ବେଳେ ୩ନଂ.ରେ ୩, ୪ନଂ.ରେ ୩, ୫ନଂ.ରେ ୩, ୬ନଂ.ରେ ୩, ୭ନଂ.ରେ ୩, ୮ନଂ.ରେ ୨, ୯ନଂ.ରେ ୨, ୧୦ନଂ.ରେ ୩ ଏବଂ ୧୧ନଂ. ଓ୍ବାର୍ଡରେ ଜଣେ ପ୍ରାର୍ଥୀ ରହିଛନ୍ତି। ତେବେ ୨ ଓ ୧୧ ନମ୍ବର ଓ୍ବାର୍ଡର ଓ୍ବାର୍ଡସଭ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ା