ଅତାବିରା,୨୦।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଚକୁଳିଫାର୍ମ(ନୂଆଁ ଖଇରପାଲି)ରେ ଗତ ୮ତାରିଖ ବିଳମ୍ବିତ ରାତିରେ ସଂଘଟିତ ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ପୋଲିସ ଏଥିରେ ସମ୍ପୃକ୍ତ ୩ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି।
ସେମାନେ ହେଲେ, ବରଗଡ଼ ପଞ୍ଚାୟତ କଲେଜ ନିକଟ କୁଲିବନ୍ଧ ପଡ଼ାର ରିଙ୍କୁ ଭୋଇ(୨୫), ବରଗଡ଼ ଗ୍ରାମାଞ୍ଚଳ ଥାନା କଣ୍ଟାଟିକ୍ରାର ସୁଶାନ୍ତ ତାଣ୍ଡି(୩୭), ପଣ୍ଡରିପଥର ନିବାସୀ ଗଙ୍ଗା ହନୁମାନ(୨୫) ଏବଂ ବରଗଡ଼ ଓ୍ବାର୍ଡ ନଂ. ୪ର ଜଗନ୍ନାଥ ଦାଶ(୩୭)।
ସେମାନଙ୍କ ପାଖରୁ ଏକ କାର୍(ନଂ-ଓଡ଼ି୧୪ଏଏ ୯୮୧୨), ଏକ ସ୍କୁଟି(ନଂ-ଓଡ଼ି୧୭ଏଡ଼ି ୫୯୭୨) ସମେତ ୩ସାମସଙ୍ଗ ଟିଭି, ଗୋଟିଏ କମ୍ପ୍ୟୁଟର ମଲ୍ଟି ମିଡ଼ିଆ ସ୍ପିକର, ୧୩ଖଣ୍ଡ ନୂଆଶାଢ଼ି, ଗୋଟିଏ ସାମସଙ୍ଗ ଟାବଲଏଡ୍, ୪ଲାପଟପ୍, ୪ମୋବାଇଲ, ୯୨୫ଗ୍ରାମର ରୂପା ଅଳଙ୍କାର, ୩.୫ ଗ୍ରାମର ସୁନା ଗହଣା ଆଦି ଜବତ ହୋଇଛି।
ଏ ନେଇ ଅତାବିରା ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ବରଗଡ଼ ଏସ୍ଡ଼ିପିଓ ପଦାରବିନ୍ଦ ତ୍ରିପାଠୀ ସୂଚନା ଦେଇ କହିଥିଲେ, ଚକୁଳିଫାର୍ମ ନିବାସୀ କେ. ସାବିତ୍ରୀ(୫୦) ଘରେ ଅନୁପସ୍ଥିତ ରହିଥିବା ସୁଯୋଗ ନେଇ ଅଭିଯୁକ୍ତମାନେ ଘର ଭିତରକୁ ପଶିବା ସହିତ ଆଲମିରା ଭାଙ୍ଗିବା ସହିତ ସୁନା, ରୂପା ଅଳଙ୍କାର ସମେତ ନଗଦ ୩୦ହଜାର ଟଙ୍କା ଚୋରି କରି ନେଇଥିବା ଅଭିଯୋଗ ହୋଇଥିଲା। ତାକୁ ଆଧାର କରି ଅତାବିରା ପୋଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଚୋରି ସାମଗ୍ରୀ ଉଦ୍ଧାର କରିଥିଲା। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ରିଙ୍କୁ ଏବଂ ଗଙ୍ଗା ପେଶାଦାର ଅପରାଧି । ସେମାନଙ୍କ ବିରୋଧରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ରିଙ୍କୁଙ୍କ ବିରୋଧରେ ବରଗଡ଼ ଟାଉନ ଥାନା, ବରଗଡ଼ ସଦର ଥାନା ଏବଂ ବିଜେପୁର ଥାନାରେ ୮ଟି ମାମଲା ରହିଛି। ସେହିପରି ଗଙ୍ଗାଙ୍କ ବିରୋଧରେ ବରଗଡ଼ ଟାଉନ ଥାନା, ବରଗଡ଼ ସଦର ଥାନା ସମେତ ବରପାଲି, ଅତାବିରା, ଟିଟିଲାଗଡ଼, ନାକଟିଦେଉଲ, ଯୁଯୋମୁରା, ରେଢ଼ାଖୋଲ ରେଢ଼ାଖୋଲ ଥାନାରେ ୧୭ଟି ମାମଲା ରହିଛି ବୋଲି ଏସ୍ଡ଼ିପିଓ ତ୍ରିପାଠୀ କହିଥିଲେ। ୨୦୨୪ ସେପ୍ଟେମ୍ବର ମାସରୁ ୨୦୨୫ ମସିହା ଫେବୃୟାରୀ ମାସ ଯାଏ ଅଭିଯୁକ୍ତ ଗଙ୍ଗା ଏବଂ ରିଙ୍କୁ ଅନ୍ୟଜଣେ ଅଭିଯୁକ୍ତ ମହେଶ ଶର୍ମାଙ୍କ ସହିତ ମିଶି ସମ୍ବଲପୁର ଜିଲାର ଡଇଁଚା, ଡିମିରିକୁଦା, ଲୁହାପଙ୍କ, ଅଙ୍ଗରପଡ଼ା, କୁଟାସିଂଘା, ପୁରୁଣାଗଡ଼, ବେତଗଡ଼ ଆଦି ଅଞ୍ଚଳର ସ୍କୁଲରେ ଲାଗିଥିବା ସାମସଙ୍ଗ ଏଲଇଡ଼ି ଟିଭି ଚୋରି କରିଥିବା ଜେରାବେଳେ ସ୍ବୀକାର କରିଥିଲେ ବୋଲି ଏସଡ଼ିପିଓ ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ଅତାବିରା ଆଇଆଇସି ପ୍ରକାଶ କର୍ଣ୍ଣ ମଧ୍ୟ ଉପସ୍ଥିତ ଥିଲେ।


