ଚୋରଙ୍କ ଟାର୍ଗେଟରେ ହନୁମାନ ମନ୍ଦିର, ମୁଖାପିନ୍ଧି ଆସି ଲୁଟିନେଲେ ସୁନା ରୂପା ସମେତ ଦାନ ହୁଣ୍ଡି

ଛତ୍ରପୁର,୬ା୫(ଦିଲ୍ଲୀପ ସାମଲ): ଠାକୁରଙ୍କୁ ବି ଛାଡିଲେନି ଦୁର୍ବୃତ୍ତ । ରାତି ଅଧରେ ମନ୍ଦିର ଭିତରେ ପଶି ଲୁଟିନେଲେ ସୁନା ରୁପା ଅଳଙ୍କାର ସମେତ ଦାନ ହୁଣ୍ଡି । ଛତ୍ରପୁର ଥାନା ଅଧିନ କୁମାରବେଗପଲ୍ଲୀ ଗ୍ରାମରେ ଥିବା ହନୁମାନ ମନ୍ଦିରରୁ ସୁନା ଅଳଙ୍କାର, ସମେତ ଦାନ ହୁଣ୍ଡି, ରୂପା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି । ଚୋରି ବେଳର ଦୃଶ୍ୟ ସିସି ଟିଭିରେ କଏଦ ହୋଇଛି ।

ଚୋରି ସାମଗ୍ରୀର ଆନୁମାନିକ ମୂଲ୍ୟ ୫୦ ଲକ୍ଷରୁ ଅଧିକା ହେବ ବୋଲି ସୂଚନା ମିଳିଛି । ମଙ୍ଗଳବାର ରାତିରେ ପୂଜକ ଦାଶରଖି ପଣ୍ଡା ପୂଜା ସାରି ଘରକୁ ଯାଇଥିଲେ । ବୁଧବାର ସକାଳୁ ମନ୍ଦିରକୁ ଆସି ଦେଖିଲା ବେଳକୁ ତାଲା ଭାଙ୍ଗି ଥିବା ବେଳେ ହନୁମାନଙ୍କ ସୁନାର ଆଖି, ସୁନାର ଚିତା, ରୂପାର ଗଦା, ପର୍ବତ, ରାମ, ଲକ୍ଷଣ, ସୀତାଙ୍କ ରୂପାର ବିଭିନ୍ନ ଅଳଙ୍କାର ଲୁଟି ନେବା ସହ ହୁଣ୍ଡିକୁ ଦୁର୍ବୁତ୍ତମାନେ ଟେକି ନେଇଥିଲେ । ଘଟଣାର ଖବର ପାଇ ଛତ୍ରପୁର ଥାନା ପୋଲିସ ଆସି ତଦନ୍ତ କରିଛନ୍ତି । ଦୃର୍ବତ୍ତମାନେ ମୁହଁ ଘୋଡାଇ ଏହି ଘଟଣା ଘଟାଇଛନ୍ତି ।

ସୂଚନା ଥାଉକି, ମନ୍ଦିରର ଦାନ ହୁଣ୍ଡି ୭ ବର୍ଷ ହେଲା ଖୋଲା ଯାଇନାହିଁ । ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ପହଞ୍ଚି ଘଟଣାକୁ ଦୃଢ ନିନ୍ଦା କରିବା ସହିତ ଚୋରଙ୍କୁ ଗିରଫ କରି ଚୋରି ସାମଗ୍ରୀ ଫେରସ୍ତ କରାଇବା ପାଇଁ ପୋଲିସ ପ୍ରଶାସନକୁ ନିବେଦନ କରିଛନ୍ତି । ଉକ୍ତ ହନୁମାନ ମନ୍ଦିରଟି ଦୀର୍ଘ ୪୦ ବର୍ଷର ପୁରୁଣା ମନ୍ଦିର ହୋଇଥିବାରୁ ଚୋରି ଘଟଣା ସମସ୍ତ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଛି । ଏଣୁ ଦୋଷୀଙ୍କୁ ଖୋଜି ବାହାର କରିବା ଓ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମନ୍ଦିର ପୂଜକ, ପରିଚାଳନା କମିଟି ସଦସ୍ୟ, ସ୍ଥାନୀୟ ବାସିନ୍ଦା ଓ ଶ୍ରଦ୍ଧାଳୁ ମାନେ ନିବେଦନ କରିଛନ୍ତି । ଗତ କିଛି ଦିନ ତଳେ ଛତ୍ରପୁର ଥାନା ବିରେଶ୍ୱର ମନ୍ଦିର ସମେତ ଚମାଖଣ୍ଡି ଥାନା ଅଞ୍ଚଳରେ ମଧ୍ୟ ମନ୍ଦିର ମାନଙ୍କରେ ଲୁଟ ହେଉଥିବା ବେଳେ ପୋଲିସ ଅପରାଧୀଙ୍କ ସୁରାକ ପାଉନଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ ଛତ୍ରପୁର ଏସଡିପିଓ ଚନ୍ଦନ କୁମାର ଘଡ଼େଇଙ୍କ ସମେତ ଛତ୍ରପୁର ଥାନାର ବହୁ ପୋଲିସ କର୍ମଚାରୀ କୁମାରବେଗପଲ୍ଲୀ ହନୁମାନ ମନ୍ଦିରରେ ପହଞ୍ଚି ବିଭିନ୍ନ ଦିଗକୁ ନେଇ ତଦନ୍ତ କରିଛନ୍ତି । ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଚଳାଇଛି ।

 

Dharitri – Odisha’s No.1 Odia Daily

Share